ଲଣ୍ଡନ: ସମୟ ବଦଳିବା ସହିତ ଲୋକଙ୍କ ଚଳଣି ଓ ମାନସିକତାରେ ଆସିଛି ଅନେକ ପରିବର୍ତ୍ତନ । ପୂର୍ବରୁ ପ୍ରଚଳିତ ମାନସିକତା ଆଧାରରେ ରାତିରେ କେହି ବି ବାହାରେ ବୁଲିବାକୁ ପସନ୍ଦ କରୁ ନ ଥିଲେ । ମୋଟ ଉପରେ ଘର ଓ ପରିବାର ଭିତରେ ବିନା ଅନୁମତିରେ ରାତିରେ ବାହାରେ ବୁଲିବା କିମ୍ବା ସମୟ କାଟିବାକୁ ଏକ ତ୍ରୁଟି ବୋଲି ମନେ କରାଯାଉଥିଲା । କିନ୍ତୁ ବଦଳୁଥିବା ସମୟ ଅନୁସାରେ ଏବେ ଯୁବପିଢୀଙ୍କ ମଧ୍ୟରେ ନାଇଟ୍ ଆଉଟ୍ ବା ରାତିରେ ବାହାରେ ମଉଜମସ୍ତି କରିବା ଏକ ଟ୍ରେଣ୍ଡ ପାଲଟିଛି । କେବଳ ପୁରୁଷମାନେ ନୁହଁନ୍ତି ମହିଳାମାନେ ମଧ୍ୟ ଏହି ଟ୍ରେଣ୍ଡକୁ ପସନ୍ଦ କରୁଛନ୍ତି । ନିକଟରେ ୩ ଭଉଣୀ ନାଇଟଆଉଟ୍କୁ ଏକ ଆଡ୍ଭେନଚ୍ର ଭାବେ ଗ୍ରହଣ କରିଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ନାଇଟଆଉଟ୍ ବାହାନାରେ ବିଦେଶରେ ଗୋଟିଏ ରାତି କାଟି ଘରକୁ ଫେରି ଆସିଛନ୍ତି । ସେମାନେ ଏହି କଥାକୁ ସୋସିଆଲ ମିଡ଼ିଆରେ ସେୟାର କରିବା ପରେ ଚର୍ଚ୍ଚାକୁ ଆସିଛନ୍ତି ।
ଇଂଲଣ୍ଡର ହୁଡର୍ସଫିଲ୍ଡର ବାସିନ୍ଦା ୨୪ ବର୍ଷୀୟା ବ୍ରୋଗନ ମୁରେ କଷ୍ଟମର ସର୍ଭିସରେ କାମ କରୁଥିବାବେଳେ ତାଙ୍କ ଦୁଇ ଭଉଣୀ ଅମେଲିଆ ଏବଂ ଇଜାବେଲ କେବିନ କ୍ରୁ ସଦସ୍ୟ ଭାବେ କାମ କରନ୍ତି । ୩ ଭଉଣୀ ଦିନେ ନାଇଟଆଉଟ୍ ଯିବାକୁ ଯୋଜନା କଲେ । ଯୋଜନାମୁତାବକ ସେମାନେ ଲିଡ୍ସ ବ୍ରାଡ୍ଫୋର୍ଡ ଏୟାରପୋର୍ଟରୁ ରାତି ୮ଟା ୨୫ରେ ଫ୍ଲାଇଟ୍ରେ ବସି ଆୟର୍ଲାଣ୍ଡର ରାଜଧାନୀ ଡୁବଲିନ୍ରେ ପହଞ୍ଚିଥିଲେ । ସେତେବେଳକୁ ରାତି ସାଢେ ୧୦ଟା ହୋଇଥିଲା । ସେଠାରେ ରାତି ଯାକ ବୁଲାବୁଲି କରି ସକାଳ ୬ଟା ଫ୍ଲାଇଟ୍ରେ ଘରକୁ ଫେରିଆସିଲେ । ଘର ଲୋକ ଏକଥାର କୌଣସି ଟେର୍ ବି ପାଇ ନ ଥିଲେ ।
ବ୍ରୋଗନ କହିଛନ୍ତି, ସେମାନଙ୍କୁ ଏହି ଟ୍ରିପ୍ ଖୁବ୍ ଆନନ୍ଦ ଦେଇଛି । ସେମାନେ ଆଉ ଥରେ ଏପରି ଟ୍ରିପ୍ରେ ଯିବାକୁ ବି ଇଛା ଅଛି । କାରଣ ଆମର ଏହି ଟ୍ରିପ୍ରେ କୌଣସି ଅସୁବିଧା ହୋଇନାହିଁ । ତେବେ ତାଙ୍କ ଫ୍ଲାଇଟ ପାଇଁ ୨୫ ପାଉଣ୍ଡ ଅର୍ଥାତ୍ ୨୫୬୮ ଟଙ୍କା ଖର୍ଚ୍ଚ ହୋଇଥିଲା । ହେଲେ ଏୟାରପୋର୍ଟର ଖାଦ୍ୟ ୫୦୦୦ ଟଙ୍କା ଥିଲା । ସେମାନଙ୍କର ମାତ୍ର ୧୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା କହିଛନ୍ତି । ଗତ ଜାନୁୟାରୀରେ ସେମାନେ ସ୍ପେନ୍ ଟ୍ରିପ୍ରେ ଯାଇଥିଲେ । ଯେଉଁଥିରେ ସେମାନଙ୍କୁ ୨୩ ପାଉଣ୍ଡ ଅର୍ଥାତ୍ ୨୩୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା ।
Comments are closed.