Latest Odisha News

BREAKING NEWS

ବହୁ ଆଡମ୍ବରେ ଲଘୁକ୍ରିୟା, ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ପୁରୀ ଶରଧାବାଲି ୩ ଭକ୍ତଙ୍କ ମୃତ୍ୟୁ ଘଟଣାରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସୁଛି। ଏହି ସମୟରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କର ପ୍ରତିକ୍ରିୟା ଆସିଛି। ସେ କହିଛନ୍ତି, ଚଳିତ ବର୍ଷ ଶ୍ରୀ ଗୁଣ୍ଡିଚା ରଥଯାତ୍ରାର ବିଶୃଙ୍ଖଳତା ଓ ଶ୍ରଦ୍ଧାଳୁମାନଙ୍କ ମୃତ୍ୟୁ ସମ୍ବାଦ ମୋତେ ଭୀଷଣ ଆଘାତ ଦେଇଛି। ଯେଉଁ ଶ୍ରଦ୍ଧାଳୁମାନେ ମୃତ୍ୟୁବରଣ କଲେ, ସେମାନଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବାକୁ ମୋର ଭାଷା ନାହିଁ। ଭକ୍ତମାନେ କାହିଁ କେତେ ଦୂରରୁ କଷ୍ଟ ସ୍ବୀକାର କରି ରଥରେ ତିନିଠାକୁରଙ୍କୁ ଦର୍ଶନ କରିବାକୁ ଆସିଥିଲେ। ସେମାନଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରାଇବାକୁ ସରକାର ଅକ୍ଷମ ହେବା ଜାଣି ମୁଁ ଆଶ୍ଚର୍ଯ୍ୟ ହେଉଛି।

ସରକାର ଅନଭିଜ୍ଞ। କିନ୍ତୁ ବ୍ୟବସ୍ଥା ତ ଅନଭିଜ୍ଞ ନୁହେଁ। ସେହି ବ୍ୟବସ୍ଥାରେ ସମନ୍ଵୟ ରକ୍ଷା କରି ପ୍ରତିବର୍ଷ ଶୃଙ୍ଖଳାର ସହ ମହାପ୍ରଭୁଙ୍କ ରଥ ଯାତ୍ରା ସଂପନ୍ନ ହୁଏ। ଚଳିତ ଥରର ଏପରି ଅବ୍ୟବସ୍ଥା ଓ ଅଘଟଣ ଦର୍ଶାଉଛି ସରକାରଙ୍କର ବିଭିନ୍ନ ବିଭାଗ ଭିତରେ ସମନ୍ବୟ ନାହିଁ। କେହି କାହାକୁ ମାନିବା ଅବସ୍ଥାରେ ନାହାନ୍ତି। ଯାହାର ଫଳ ସ୍ୱରୂପ ତିନୋଟି ଅମୂଲ୍ୟ ଜୀବନ ଗଲା ଓ ଅନେକ ଲୋକ ଭୀଷଣ ଭାବେ ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ସରକାରଙ୍କ କୁ ପରିଚାଳନା ଯୋଗୁଁ ବାରବାଟୀରେ କ୍ରିକେଟ ଖେଳ ବେଳେ ଆମ ରାଜ୍ୟର ଦୁର୍ନାମ ହୋଇଥିଲା। ଏବେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଭକ୍ତ ମୃତାହତ ଯୋଗୁଁ ଆମେ ସାରା ବିଶ୍ବରେ ନିନ୍ଦିତ ହେଲୁ। ଏଥିପାଇଁ ସରକାର ଉତ୍ତରଦାୟୀ ହୋଇ ଓଡିଶାର ଜନସାଧାରଣଙ୍କୁ କ୍ଷମା ମାଗିବା ପରିବର୍ତ୍ତେ ରାଜନୈତିକ ବୟାନ ଦେବା ଅତ୍ୟନ୍ତ ଦୁଃଖ ଦାୟକ କଥା। ପ୍ରଥମେ ସରକାରର ମୁଖ୍ୟ ଜଗନ୍ନାଥଙ୍କ ପାଖରେ ନିଜର କୁପରିଚାଳନା ଓ ଅହଂକାର ଯୋଗୁଁ କ୍ଷମା ମାଗିବାରୁ ତାଙ୍କୁ ଧନ୍ୟବାଦ କିନ୍ତୁ ଆଗାମୀ ଦିନରେ ବାହୁଡାଯାତ୍ରା ଠାରୁ ଆରମ୍ଭ କରି ସୁନାବେଶ ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟରେ କିପରି ଶୃଙ୍ଖଳା ରକ୍ଷା କରାଯାଇପାରିବ, ସେ ସଂପର୍କରେ ଅଭିଜ୍ଞ ଲୋକଙ୍କ ସହ ଆଲୋଚନା ନ’କଲେ ଓଡିଶାବାସୀ ଆହୁରି ଦୁଃଖ ପାଇବେ। ଏହି ଘଟଣାର ତୁରନ୍ତ ବିଚାର ବିଭାଗୀୟ ତଦନ୍ତ କରନ୍ତୁ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

Comments are closed.