ଭୁବନେଶ୍ୱର: ଜେଲଗଲା କୋଟିପତି ଚୋର ସତୀଶ। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାରେ ଗିରଫ ସତୀଶ ରେଡ୍ଡି ଓରଫ ସ୍ପାଇଡର ସତୀକୁ ଗିରଫ ପରେ ଭୁବନେଶ୍ବର ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ଅଧିକ ପଚରାଉଚରା ପାଇଁ ତାକୁ ରିମାଣ୍ଡରେ ଅଣାଯିବ। ଦୁଇ ସପ୍ତାହର କସରତ ପରେ ସତୀଶକୁ ବିଶାଖାପାଟଣାରୁ ପୋଲିସ ଗିରଫ କରିଥିଲା।
ଅଭିଯୁକ୍ତ ନିକଟରୁ ଚୋରି ୫୦ ଲକ୍ଷ ଟଙ୍କାର ସୁନା ଗହଣା ଓ ୭ ଲକ୍ଷ ଟଙ୍କା ଜବତ ହୋଇଛି। ଧୂର୍ତ୍ତ ସତୀଶ କାନ୍ଥ ଓ ପାଚେରୀ ଚଢ଼ିବାରେ ମାହିର। ସେ ୫ ରାଜ୍ୟରୁ ଲୁଟିଛି ୨ଶହ କୋଟି ଟଙ୍କାର ସମ୍ପତ୍ତି। ସେ କେରଳରେ ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଜେଲରେ ରହିଥିଲା। ଜେଲରୁ ବାହାରିବା ପରେ ଗାଏବ ହୋଇଯାଇଥିଲା।
ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲାରେ ପୋଲିସ ୪ଶହ ସିସିଟିଭି ଫୁଟେଜ୍ ସହ ୧୦ ହଜାର ଫୋନ କଲ ଯାଞ୍ଚ କରିଥିଲା। ୫୦ ଜଣଙ୍କ ବ୍ୟାକଗ୍ରାଉଣ୍ଡ ଖୋଜିଥିଲା। ସିସିଟିଭି ଯାଞ୍ଚ ବେଳେ ଜଣା ପଡିଥିଲା ଏକାଧିକ କାର ବଦଳାଇ ଆନ୍ଧ୍ରପ୍ରଦେଶ ପଳାଇଥିଲା ଲୁଟେରା। ପୋଲିସ ବିଭିନ୍ନ ଟିମରେ ଓଡ଼ିଶାର ବିଭିନ୍ନ ସ୍ଥାନ ସହ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ କେରଳରେ ତନାଘନା କରିଥିଲା। ଗୁଗୁଲ ଓ ୟୁ ଟ୍ୟୁବରୁ ସତୀଶ କୋଟିପତି ଲୋକଙ୍କ ଠିକଣା ଠାବ କରୁଥିଲା। ୫ ରାଜ୍ୟରେ କେବଳ ବଛାବଛା କୋଟିପତିଙ୍କ ଘରୁ ୨ଶହ କୋଟିର ସଂପତ୍ତି ଲୁଟିଛି ବୋଲି ପୋଲିସ ସୂଚନା ଦେଇଛି।
Comments are closed.