Latest Odisha News

BREAKING NEWS

ଆଜି ପ୍ରାକ୍-ବଜେଟ୍ ମିଟିଂ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକବର୍ଷ ପାଇଁ ବଜେଟ୍ ପ୍ରସ୍ତୁତି ଆରମ୍ଭ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପ୍ରାକ୍-ବଜେଟ୍ ମିଟିଂ କରିବେ । ଏଥିରେ ବିଭିନ୍ନ ଭିତ୍ତିଭୂମି ସମ୍ୱନ୍ଧିତ ଶିଳ୍ପ ମାଲିକ ଓ ବିଶେଷଜ୍ଞ ସାମିଲ ହେବେ । ତେବେ ଏହି ବୈଠକ ଭର୍ଚୁଆଲ ମୋଡରେ ହେବାକୁ ଯାଉଛି । ୨୦୨୩ ପାଇଁ ଏହା ପ୍ରଥମ ପ୍ରି-ବଜେଟ୍ ମିଟିଂ । ଏହାପରେ ୨୨, ୨୪ ଓ ୨୮ ତାରିଖରେ ମଧ୍ୟ ଅର୍ଥମନ୍ତ୍ରୀ ଅନ୍ୟକ୍ଷେତ୍ରର ପ୍ରତିନିଧିଙ୍କ ସହିତ ଆଲୋଚନା କରିବେ ।

୨୦୨୩-୨୦୨୪ ସାଧାରଣ ବଜେଟ୍ ପ୍ରସ୍ତୁତି ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଦେଶର ଅର୍ଥନୀତିକୁ ସୁଦୃଢ କରିବାରେ ସହଯୋଗ କରୁଥିବା ବିଭିନ୍ନ କ୍ଷେତ୍ରର ଭୂମିକା ରହିଛି । ଉତ୍ପାଦନ, ରପ୍ତାନୀ ଦେଶର ଅର୍ଥନୀତିକୁ ପ୍ରଭାବିତ କରିଥାଏ । ତେଣୁ ବିଭିନ୍ନ ଶିଳ୍ପ ମାଲିକଙ୍କ ସହିତ ଅର୍ଥମନ୍ତ୍ରୀ ବୈଠକ କରିବାକୁ ଯୋଜନା କରିଛନ୍ତି ।  ଇନଫ୍ରାଷ୍ଟ୍ରକଚର ବ୍ୟତୀତ ଅର୍ଥମନ୍ତ୍ରୀ କ୍ଲାଇମେଟ୍ ଚେଞ୍ଜ ସମ୍ପର୍କିତ ଶିଳ୍ପାୟନ ସଂସ୍ଥାର କର୍ତ୍ତୃପକ୍ଷଙ୍କ ସହିତ ମଧ୍ୟ ଆଲୋଚନା କରିବେ । ଆସନ୍ତାକାଲି ଦୁଇଟି ଗ୍ରୁପରେ ଏହି ବୈଠକ ହେବାକୁ ଯାଉଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍  କରାଯାଇଛି । ସେହିପରି ଆସନ୍ତାକାଲି କୃଷି ଓ କୃଷିଜାତ ଶିଳ୍ପ ସଂସ୍ଥାଗୁଡିକର ପ୍ରତିନିଧିଙ୍କୁ ସେ ସାକ୍ଷାତ କରିବେ । ଏହାପରେ ସେ ଫାଇନାନ୍ସିଆଲ ସେକ୍ଟର ଓ କ୍ୟାପିଟାଲ ମାର୍କେଟର ପ୍ରତିନିଧିଙ୍କୁ ମଧ୍ୟ ଭେଟି ଆଲୋଚନା କରିବେ ।

ପରବର୍ତ୍ତୀ ସମୟରେ ଅର୍ଥମନ୍ତ୍ରୀ ସେବା ଓ ବାଣିଜ୍ୟ-ବ୍ୟବସାୟ କ୍ଷେତ୍ରର ଅଧିକାରୀ ତଥା ବିଶେଷଜ୍ଞମାନଙ୍କ ସହିତ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ସ୍ୱାସ୍ଥ୍ୟ, ଶିକ୍ଷା, ଜଳ ଓ ପରିମଳ ଆଦି ସାମାଜିକ କ୍ଷେତ୍ରର ସହଭାଗିତାରେ ଦେଶର ଉନ୍ନତି ଆଗେଇ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ନିଜ ଭାଷଣରେ କହିଆସିଛନ୍ତି । ତାଙ୍କ ମତରେ ଏସବୁ ସାମାଜିକ ଶିଳ୍ପ ବିନା ଭାରତୀୟ ଅର୍ଥନୀତିର ପରିକଳ୍ପନା ଅବଶ୍ୟମ୍ଭାବୀ ।

ତେଣୁ ୨୪ ତାରିଖରେ ଅର୍ଥମନ୍ତ୍ରୀ ଏସବୁ କ୍ଷେତ୍ରର ବିଶେଷଜ୍ଞଙ୍କ ସହିତ ବସି ସ୍ଥିତି ଅନୁଧ୍ୟାନ ଓ ଯୋଜନା କରିବାକୁ ଆଲୋଚନା କରିବେ । ୨୮ ତାରିଖରେ ଟ୍ରେଡ ୟୁନିଅନ ପ୍ରତିନିଧି ଓ ଅର୍ଥନୀତିଜ୍ଞଙ୍କ ସହିତ ବୈଠକ ଚୂଡ଼ାନ୍ତ ହୋଇଛି । ସମସ୍ତ କ୍ଷେତ୍ରର ଅଧିକାରୀ ତଥା ପ୍ରତିନିଧି ୨୦୨୩-୨୦୨୪ ବଜେଟ୍ ପାଇଁ ନିଜ ନିଜ ମତାମତ ରଖିବେ । ଫେବୃଆରୀ ୧ତାରିଖ ୨୦୨୪ରେ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ୍ ଉପସ୍ଥାପନ କରିବେ ।

Leave A Reply

Your email address will not be published.