Latest Odisha News

BREAKING NEWS

ଗମ୍ଭୀର ହେଉଛି ଦିଲ୍ଲୀ ପ୍ରଦୂଷଣ: ମନ୍ତ୍ରୀ କହିଲେ, ’୧୦ ବର୍ଷ କମାଇଦେବ ଆୟୁଷ’

ନୂଆଦିଲ୍ଲୀ: ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଦିଲ୍ଲୀ ପ୍ରଦୂଷଣ । କଂକ୍ରିଟ୍ ସହର ଏବେ ଦିଲ୍ଲୀବାସୀଙ୍କ ଉପରେ ଦାଉ ସାଧୁଛି । ଯାହାକୁ ନେଇ ଏବେ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଦିଲ୍ଲୀ ପ୍ରଦୂଷଣ ନେଇ ଚିନ୍ତା ପ୍ରକଟ କରିବା ସହ ଏନେଇ ତୁରନ୍ତ ପଦକ୍ଷେପ ନେବା ଉପରେ ମଧ୍ୟ ଗୁରୁତ୍ବାରୋପ କରିଛନ୍ତି ।

ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଗଡକରୀ କହିଛନ୍ତି, ଏହି ସହରରେ ଅଳ୍ପ ସମୟ ରହିବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଜଟିଳ ହେବ । ଯଦି ଆପଣ ଦିଲ୍ଲୀରେ ତିନି ଦିନ ରହିବେ, ତେବେ ଆପଣଙ୍କୁ କିଛି ନା କିଛି ସଂକ୍ରମଣ ହେବ । ଏଥିସହିତ ଏହାବି ଦର୍ଶାଇଛନ୍ତି ଯେ କି, ରିପୋର୍ଟ ଅନୁସାରେ, ରାଜଧାନୀ ସହରର ବିଷାକ୍ତ ବାୟୁ ଯୋଗୁଁ ଆୟୁଷ ୧୦ ବର୍ଷ ହ୍ରାସ ପାଇବାର ସମ୍ଭାବନା ରହିଛି । ଏଥିସହିତ ପ୍ରଦୂଷଣକୁ ନେଇ ଦିଲ୍ଲୀ ଏବଂ ମୁମ୍ବାଇ ସହର ରେଡ ଜୋନରେ ଥିବା ଦର୍ଶାଇ ଗଡକରୀ କହିଛନ୍ତି, ପରିବେଶଗତ ଚିନ୍ତାକୁ ତୁରନ୍ତ ସମାଧାନ କରାଯିବା ଉଚିତ । ଆମେ ପରିବେଶଗତ ସମସ୍ୟାକୁ ଗମ୍ଭୀରତାର ସହିତ ନେଇନାହୁଁ । ପରିବେଶ ଏବଂ ନୀତିଶାସ୍ତ୍ରକୁ ଅର୍ଥନୀତି ଏବଂ ଭିତ୍ତିଭୂମି ପରି ସମାନ ପ୍ରାଥମିକତା ଦେବା ଆବଶ୍ୟକ ।

ସେ ଆହୁରି ବି କହିଛନ୍ତି, ଆମେ ପ୍ରାୟ ୨୨ ଲକ୍ଷ କୋଟି ଟଙ୍କାର ଜୀବାଶ୍ମ ଇନ୍ଧନ ଆମଦାନୀ କରୁ । ପେଟ୍ରୋଲ ଏବଂ ଡିଜେଲ ପ୍ରଦୂଷଣର ପ୍ରମୁଖ କାରଣ । ଟ୍ରାଫିକ୍ ଜାମ୍ ସମାଧାନ କରିବାକୁ ପଡିବ । ଯାନବାହାନରେ ବ୍ୟବହୃତ ଇନ୍ଧନରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ମୁଁ ଏକ ଧର୍ମଯୁଦ୍ଧକାରୀ ପରି ବିକଳ୍ପ ଇନ୍ଧନକୁ ସମର୍ଥନ କରୁଛି । ୨୨ ଲକ୍ଷ କୋଟି ଟଙ୍କାର ଜୀବାଶ୍ମ ଇନ୍ଧନ ଆମଦାନୀ ସଞ୍ଚୟ କରିବାକୁ ଏବଂ ଚାଷୀଙ୍କ ପକେଟରେ ୧୦ରୁ ୧୨ ଲକ୍ଷ କୋଟି ଟଙ୍କା ରଖିବାକୁ ଚାହୁଁଛି ।

ତେବେ ପୂର୍ବରୁ ମଧ୍ୟ ଦିଲ୍ଲୀ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମନ୍ତ୍ରୀ । ଗତ ବର୍ଷ ଡିସେମ୍ବରରେ, ନୀତିନ ଗଡକରୀ ଦିଲ୍ଲୀ ପ୍ରଦୂଷଣକୁ ନେଇ କହିଥିଲେ, ପ୍ରତ୍ୟେକ ଥର, ଦିଲ୍ଲୀ ଆସିବା ସମୟରେ, ମୁଁ ଭାବେ, ଯିବା ଉଚିତ କି ନାହିଁ, କାରଣ ପ୍ରଦୂଷଣ ସ୍ତର ଏତେ ଅଧିକ ରହିଛି ଯେ, ଯେବେ ଯେବେ ସିଏ ପରିଦର୍ଶନ କରନ୍ତି ସେବେ ସଂକ୍ରମିତ ହୁଅନ୍ତି ।

Comments are closed.