Latest Odisha News

BREAKING NEWS

ବିହାର ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ନେବେ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ନେଇ ସସପେନ୍ସ

ପାଟନା: ବିହାରରେ ପୁଣି ନୀତିଶ ରାଜ । ଆଜି ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନୀତିଶ କୁମାର । ଅପରାହ୍ଣ ସାଢ଼େ 4ଟାରେ ରାଜଭବନ ପରିସରରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ରାଜ୍ୟପାଳ ଫଗୁ ଚୋହ୍ୱାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ଲଗାତାର ଚତୁର୍ଥ ଥର ସେ ଧରିବେ ବିହାର କମାଣ ।
ନୀତିଶଙ୍କ ସହ ତାଙ୍କର ମନ୍ତ୍ରିମଣ୍ଡଳର ୧୬ ଜଣ ସଦସ୍ୟ ବି ଶପଥ ନେବା ସୂଚନା ମିଳିଛି । ଭିଆଇପି ଓ ହାମରୁ ଜଣେ ଲେଖାଏଁ ସଦସ୍ୟ ତାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ । ଗତକାଲି ସରକାର ଗଠନ ନେଇ ରାଜ୍ୟପାଳଙ୍କ ନିକଟରେ ଦାବିପତ୍ର ଉପସ୍ଥାପନ କରିଥିଲେ ନୀତିଶ କୁମାର । ଲଗାତାର ଚତୁର୍ଥ ଥର ସେ ସମ୍ଭାଳିବେ ବିହାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ । ସପ୍ତମ ଥର ହେବେ ମୁଖ୍ୟମନ୍ତ୍ରୀ ।

ତାପୂର୍ବରୁ ଏନଡିଏ ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ ନୀତିଶ କୁମାର । ତେବେ ଉପମୁଖ୍ୟମନ୍ତ୍ରୀ ପଦକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି । ସୁଶୀଲ ମୋଦି ବିହାର ଉପମୁଖ୍ୟମନ୍ତ୍ରୀ ହେବେ କି ନାହିଁ ସେନେଇ ଏନଡିଏ କିମ୍ବା ବିଜେପି ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ।

କୁହାଯାଉଛି ଏଥର ବିହାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଗତକାଲି ତାରକିଶୋକ ପ୍ରସାଦ ବିଜେପି ବିଧାୟକ ଦଳ ନେତା ଓ ରେଣୁ ଦେବୀ ବିଜେପି ଉପନେତା ନିର୍ବାଚିତ ହୋଇଥିଲେ । ଏହି ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.