Latest Odisha News

BREAKING NEWS

ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣି ପୀଠକୁ ନେଇ କ’ଣ ରହିଛି ଲୋକକଥା, ଜାଣନ୍ତୁ

ଭୁବନେଶ୍ୱର: ଆଖଣ୍ଡଳମଣି ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡ଼ିଠାରେ ଅବସ୍ଥିତ ଏକ ପ୍ରମୁଖ ଶୈବ ପୀଠ। ଏହା ବୈତରଣୀ ନଦୀ କୂଳରେ ଆରଡ଼ି ଠାରେ ଅବସ୍ଥିତ। ଭଦ୍ରକ ସହର ଠାରୁ ପାଖାପାଖି ୪୦ କି.ମି. ଦୂରରେ ଏହା ଅବସ୍ଥିତ । ବୈତରଣୀ ଓ ସାଳନ୍ଦୀ ନଦୀଦ୍ଵୟର ସଙ୍ଗମସ୍ଥଳରେ ଆଖଣ୍ଡଳେଶ୍ଵର ବା ଆଖଣ୍ଡଳମଣି ବା ବାବାମଣିଙ୍କ ମନ୍ଦିର ଅବସ୍ଥିତ।

ଏହି ପ୍ରସିଦ୍ଧ ଶୈବପୀଠକୁ ନେଇ କଣ ରହିଛି ଲୋକ କଥା, ଆସନ୍ତୁ ଜାଣିବା

ତତ୍କାଳିନ ଜମିଦାର ନିଳାଦ୍ରୀ ସମରସିଂହ ଦିନେ ନିଜ ଜମିରେ ହଳ କରିବା ନିମନ୍ତେ ଅନନ୍ତ ନାମକ ଜଣେ ହଳୁଆକୁ ନିର୍ଦ୍ଦେଶ ଦେଇଥିଲେ । ଅନନ୍ତ କିଛି ସମୟ ହଳ ବୁଲାଇବା ପରେ ହଠାତ ଲଙ୍ଗଳ ମୁନଟି ମାଟିତଳେ ଥିବା ଏକ ବସ୍ତୁରେ ବାଜି ଭାଙ୍ଗି ଯାଇଥିଲା ।

ତ‌ତ୍‌କ୍ଷଣାତ୍ ଆକାଶରେ କଳାବଦଲ ଛାଇଗଲା, ପ୍ରଚଣ୍ଡ ଘଡ଼ଘଡ଼ି ସ‌ହ ବିଜୁଳି ଚକିବାରେ ଲାଗିଲା । ଲୁହାରେ ନିର୍ମିତ ଫାଳଟି ଭାଙ୍ଗିଯିବା ସ‌ହିତ ପ୍ରକୃତିର ଅବସ୍ଥାର ହଠାତ୍ ପରିବର୍ତ୍ତନରେ ଆତଙ୍କିତ ହୋଇଯାଇଥିବା ଅନନ୍ତ ବସ୍ତୁଟିର ଚାରିକଡ଼ର ମାଟି ଆଡ଼େଇଲା।

ଏକ କଳା ମୁଗୁନି ପଥର ଦେହରୁ ରକ୍ତର ଧାର ବୈତରଣୀ ନ‌ଦୀ ଆଡ଼କୁ ବହିଯାଉଥିବାର ଦେଖିଲା । ଏହାପରେ ସେ ଯାଇ ଜମିଦାରଙ୍କୁ ସମସ୍ତ କଥା ଜଣାଇଲା । ଜମିଦାର ସମରସିଂହ କିଛି ଗ୍ରାମବାସୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଲେ ।

ସେତେବେଳେ ଆଃ ଶବ୍ଦ ରଡ଼ି କରି ବାବା ଆଖଣ୍ଡଳମଣି ଶିବଲିଙ୍ଗ ରୂପରେ ବିଦ୍ୟମାନ ହେଲେ । ଆଃ ଶବ୍ଦ ରଡ଼ି କରିଥିବାରୁ ସେହି ସ୍ଥାନର ନାମ ଆରଡ଼ି ହୋଇଛି ବୋଲି କୁହାଯାଏ । ସେହି ଲିଙ୍ଗଟିରେ ଏକ କ୍ଷତ ହୋଇଯାଇଥିଲା ଏବଂ ସେହି ସ୍ଥାନରୁ ରକ୍ତ ଝରୁଥିବାର ସମସ୍ତେ ଦେଖିଲେ ଏବଂ ଶିବଙ୍କର ମସ୍ତକ ଉପରେ ଖିର ବର୍ଷା ହେବା ସ‌ହ ସେଠାରେ ଏକ ନାଗ ସେହି ଖିରରେ ଗାଧୋଉଥିବାର ଦେଖାଯାଇଥିବା କୁହାଯାଏ ।

ଉକ୍ତଦିନ ରାତିରେ ଜମିଦାରଙ୍କୁ ସ୍ୱପ୍ନରେ ଜଣେ ସାଧୁ ତାଙ୍କର ସମାଧିସ୍ତ କାହାଣୀ ବିଷୟରେ ଜଣାଇଲେ । ସେ ଦ୍ଵାପର ଯୁଗରୁ ଆଖଣ୍ଡଳେଶ୍ୱର ଭାବରେ ସମାଧିସ୍ତ ଥିଲେ । ସେହି ଲଙ୍ଗଳର ଫାଳ ବାଜିବା ଫଳରେ ସେ ଲିଙ୍ଗ ରୂପରେ ଅବିର୍ଭାବ ହେଲେ । ଏହା ପର ଠାରୁ ଖଣ୍ଡମଣ୍ଡଳର ଇଶ୍ଵର ଭାବରେ ମହାପ୍ରଭୁ ଆଖଣ୍ଡଳେଶ୍ଵର ବା ଆଖଣ୍ଡଳମଣି ବା ବାବାମଣି ଭାବେ ପୂଜିତ ହେଲେ ।

ଭଗବାଙ୍କର ଇଚ୍ଛାନୁସାରେ ସେ ଶିବଲିଙ୍ଗର ସ୍ଥାପନ କଲେ । ପୂଜା କରିବା ନିମନ୍ତେ ଯାଜପୁରର ନହରା ଗ୍ରାମରୁ ପାଞ୍ଚଜଣ ବ୍ରାହ୍ମଣଙ୍କୁ ଅଣାଗଲା । ଏକ ତାଳପତ୍ର ଛତାରେ ଶିବଲିଙ୍ଗକୁ ସୁରକ୍ଷା ଦିଆଯାଉଥିଲା । କିଛି ଦିନ ପରେ ଜମିଦାର ଜଣଙ୍କ ଗାଁ ଲୋକଙ୍କ ସାହାଯ୍ୟରେ କାଠରେ ଏକ ମନ୍ଦିର ନିର୍ମାଣ କଲେ । ଅଳ୍ପଦିନ ମଧ୍ୟରେ ଭଗବାନ ଆଖଣ୍ଡଳେଶ୍ୱରଙ୍କ ଅଲୌକିକତା ସାରା ଦେଶରେ ପ୍ରଚାର ହେଲା ଏବଂ ବିଭିନ୍ନ ସ୍ଥାନରୁ ଶ୍ରାଦ୍ଧାଳୁମାନଙ୍କର ସମାଗମ ହେଲା । ଏହି ସ୍ଥାନଟିକୁ ଭଗବାନଙ୍କର ଆଶୀର୍ବାଦ ଭାବରେ ଗଣାଯାଏ।

Leave A Reply

Your email address will not be published.