Latest Odisha News

BREAKING NEWS

ଜେଡିୟୁରୁ ବିଦା ହେଲେ ପ୍ରଶାନ୍ତ କିଶୋର ଓ ପୱନ ବର୍ମା

ପାଟନା : ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଓ ଜେଡିୟୁର ସମ୍ପର୍କରେ ପଡିଲା ପୂର୍ଣ୍ଣଛେଦ । ଦଳର ଉପସଭାପତି ଥିବା ପ୍ରଶାନ୍ତ କୁମାରଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦଳରୁ ବିଦା କରିଛନ୍ତି । ଏଥିସହ ଦଳର ପୂର୍ବତନ ରାଜ୍ୟସଭା ସାଂସଦ ପୱନ କୁମାର ବର୍ମାଙ୍କୁ ମଧ୍ୟ ବହିସ୍କାର କରାଯାଇଛି । ଅନୁଶାସନହୀନତାକୁ ଦର୍ଶାଇ ଏ ଦୁହିଁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ନାଗିରକତା ସଂଶୋଧନ ଆଇନ ପ୍ରସଙ୍ଗରେ ପ୍ରଶାନ୍ତ କିଶୋର ଏବଂ କୂଟନୀତିଜ୍ଞରୁ ରାଜନେତା ପବନ କୁମାର ଆରମ୍ଭରୁ ଦଳର ଆଭିମୁଖ୍ୟ ସହ ସହମତ ନଥିଲେ । ଦୁହେଁ ପବ୍ଲିକ ଫୋରମ୍‌ରେ ସିଏଏ ଏବଂ ଏନ୍‌ଆର୍‌ସି ପ୍ରସଙ୍ଗରେ ଭିନ୍ନ ମତ ରଖିଥିଲେ । ଏପରିକି ଦୁହେଁ ସିଏଏ ନେଇ ନୀତିଶ କୁମାରଙ୍କ ମତାମତ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ।

ଏପରିକି ବିଜେପି ସହ ଦଳର ମେଂଟକୁ ବିରୋଧ କରି ଖୋଲା ଚିଠି ଲେଖିଥିଲେ ଏବଂ ନୀତିଶ କୁମାରଙ୍କ ଉପରେ ଅନେକ ଅଭିଯୋଗ ମଧ୍ୟ ଲଗାଇଥିଲେ । ତେବେ ଦୁଇ ଦିନ ତଳେ ଏହି ପ୍ରସଙ୍ଗ ଅଧିକ ଜଟିଳ ହୋଇଥିଲା । ଦୁଇ ନେତାଙ୍କୁ ଦଳ ଛାଡି ଚାଲିଯିବାକୁ ସଂକେତ ଦେଇଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସେ କହିଥିଲେ ଯେ, ଯଦି ପ୍ରଶାନ୍ତ କିଶୋର ଦଳ ଛାଡି ଯିବାକୁ ଚାହୁଁଛନ୍ତି ତେବେ ସେ ଯାଇପାରିବେ । ସେ ଦଳ ଛାଡିଲେ ତାଙ୍କ ପାଇଁ କିଛି ସମସ୍ୟା ହେବ ନାହିଁ ବୋଲି ସେ କହିଥିଲେ ।

ଶେଷରେ କିଛି ଦିନର ଛକାପଞ୍ଝା ପରେ ଆଜି ପ୍ରଶାନ୍ତ କିଶୋର ଏବଂ ପୱନ ବର୍ମାଙ୍କୁ ଦଳରୁ ବହିସ୍କାର କରାଯାଇଛି । ସେପଟେ ପ୍ରଶାନ୍ତ କିଶୋର ଦଳରୁ ବିଦା ହେବା ପରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି । ସେ ନୀତିଶ କୁମାରଙ୍କୁ ଶୁଭେଚ୍ଛା ଜଣାଇବା ସହ ଗଡ୍ ବ୍ଲେସ୍ ୟୁ ବୋଲି କହିଛନ୍ତି ।

Leave A Reply

Your email address will not be published.