Latest Odisha News

BREAKING NEWS

‘ନବ ନିର୍ମାଣ କୃଷକ ସଂଗଠନ’ର ଓଡ଼ିଶା ବନ୍ଦ ଜାରି, ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ଅଟକ

ଭୁବନେଶ୍ୱର: ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜ୍ୟ ବ୍ୟାପୀ ଦିଆଯାଇଥିବା ଓଡ଼ିଶା ବନ୍ଦ ଯୋଗୁଁ କେତେକାଂଶରେ ସଫଳ ହୋଇଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଅବରୋଧ ଯୋଗୁଁ ଯାନବାହନ ଚଳାଚଳରେ ବ୍ୟାହତ ହୋଇଛି ।

ନବ ନିର୍ମାଣ କୃଷକ ସଂଗଠନ (ଏନଏନକେଏସ) ପକ୍ଷରୁ କର୍ମୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ କରିବା ସହିତ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜଧାନୀ ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର, ପୁରୀ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, କଳାହାଣ୍ଡି, ବୌଦ୍ଧ, ମୟୂରଭଞ୍ଜ ଆଦି ଜିଲ୍ଲା ମାନଙ୍କରେ ବନ୍ଦର ପ୍ରଭାବ ଅନ୍ୟ ଜିଲ୍ଲାମାନଙ୍କ ଅପେକ୍ଷା ଅଧିକ ପ୍ରଭାବିତ ହୋଇଛି ।

ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ସକାଳ ୬ଟାରୁ କୃଷକ ସଂଗଠନର କର୍ମୀମାନେ ସତ୍ୟନଗର, ପଟିଆ, ମାଷ୍ଟରକ୍ୟାଣ୍ଟିନ, ବରମୁଣ୍ଡାଠାରେ ରାସ୍ତା ଅବରୋଧ କରି ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ବିକ୍ଷୋଭକାରୀଙ୍କୁ ଆନ୍ଦୋଳନସ୍ଥଳରୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ବିଭିନ୍ନ ସ୍ଥାନରେ ଅନ୍ଦୋଳନକାରୀଙ୍କୁ ପୋଲିସ ଧରି ଥାନାରେ ଅଟକ ରଖିଛି ।

ଭଦ୍ରକରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସକାଳ ୭ଟା ସମୟରେ ୧୬ ନଂ ଜାତୀୟ ରାଜପଥକୁ ଅବରୋଧ କରିବାକୁ ଚେଷ୍ଟା କରି ସଂଗଠନର କର୍ମୀମାନେ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ପୋଲିସ ପ୍ରାୟ ୫୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ଧରିନେଇ ଥାନାରେ ଅଟକ ରଖିଛନ୍ତି ।

ସେହିପରି କେନ୍ଦୁଝର, ବାଲେଶ୍ୱର, ଢେଙ୍କାନାଳ, ଅନୁଗୁଳ, ତାଳଚେର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଜିଲ୍ଲାରେ କୃଷକ ସଂଗଠନର କର୍ମୀମାନେ ରାସ୍ତା ଅବରୋଧ କରିଛନ୍ତି ।

ନବ ନିର୍ମାଣ କୃଷକ ସଂଗଠନ (ଏନଏନକେଏସ) ପକ୍ଷରୁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବି କରି ‘ଓଡ଼ିଶା ବନ୍ଦ’ ଡ଼ାକରା ଦିଆଯାଇଛି । ଏହି ବନ୍ଦ ଡ଼ାକରାକୁ ସରକାରଙ୍କ ବାରଣ ସତ୍ୱେ ସଂଗଠନ ଓହରିବ ନାହିଁ ବୋଲି ଜଣାଇଥିଲେ । ମାଟ୍ରିକ ପରୀକ୍ଷା ପ୍ରଭାବିତ ହେବ ବୋଲି ସରକାରଙ୍କ ପକ୍ଷରୁ ଏହି ବନ୍ଦ ଡ଼ାକରାକୁ ବିରୋଧ କରାଗଲେ ମଧ୍ୟ ସଂଗଠନ ଏହି ବନ୍ଦ ପାଳନ କରିବ ବୋଲି ଗଣମାଧ୍ୟମ ବୁଧବାର ଦିନ ସନ୍ଧ୍ୟାରେ ଏନଏନକେଏସ ପକ୍ଷରୁ କୁହାଯାଇଥିଲା ।

Leave A Reply

Your email address will not be published.