Latest Odisha News

BREAKING NEWS

ବିଜେଡିକୁ ‘ନୀଳଗିରି’ ଟେନସନ୍

ଭୁବନେଶ୍ବର: ନିର୍ବାଚନ ବେଳେ ଦଳବଦଳର ସାଇଡ୍ ଇଫେକ୍ଟ । ବିଜେଡିକୁ ମହଙ୍ଗା ପଡିପାରେ ଟିକେଟ ନିଷ୍ପତ୍ତି। ଟଳମଳ ନୀଳଗିରି ଏନଏସି ଅଧ୍ୟକ୍ଷାଙ୍କ ପଦ । ଅନାସ୍ଥା ପ୍ରସ୍ତାବ ଆଗତ କଲେ ଦଳୀୟ କାଉନସିଲର । ବାଲେଶ୍ବର ଜିଲ୍ଲା ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ରାଜନୀତି ନେଇଛି ନୂଆ ମୋଡ଼ । ବିଜେଡି ଛାଡି ସନ୍ତୋଷ ଖଟୁଆ ବିଜେପିରୁ ବିଧାୟକ ନିର୍ବାଚିତ ହେବା ପରେ ଏବେ ଏନଏସି ରାଜନୀତିରେ ଝଟକା ଦେବାକୁ ଯାଉଛନ୍ତି ।

ବିଜେଡିକୁ ପୁଣି ଝଟକା ଦେବେ ସନ୍ତୋଷ !

ଚଳିତ ନିର୍ବାଚନରେ ଦଳବଦଳ ପାଇଁ ଚର୍ଚ୍ଚାରେ ରହିଥିଲା ନୀଳଗିରି ବିଧାନସଭା ଆସନ । ବିଜେପି ଛାଡି ବିଜେଡିକୁ ଆସିବା ପରେ ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ କରିଥିଲା ଦଳ, ତ ବିଜେଡିରୁ ନିରାଶ ହୋଇ ବିଜେପିକୁ ଯାଇ ପ୍ରାର୍ଥୀ ହୋଇଥିଲେ ସନ୍ତୋଷ ଖଟୁଆ । ନିର୍ବାଚନରେ ବିଜୟ ସହ ବିଜେଡିକୁ ପ୍ରଥମ ଝଟକା ଦେଇଥିଲେ ସନ୍ତୋଷ । ଆଉ ଏବେ ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣି ଦ୍ବିତୀୟ ଝଟକା ଦେବାକୁ ଉଦ୍ୟମ କରୁଛନ୍ତି । ବିଜେଡି ତାଙ୍କୁ ଟିକେଟ୍ ପାଇଁ ଭରସା ନକରିବାର ପ୍ରତିଶୋଧ ନେବାକୁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ସନ୍ତୋଷ ଖଟୁଆ ।

ଅମ୍ବିକାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ନୀଳଗିରି ଅଧ୍ୟକ୍ଷ ଅମ୍ବିକା ଦାସଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ଦଳୀୟ କାଉନସିଲର । ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ର ବିନ୍ଦୁ ଦାସଙ୍କ ସହ ୯ଜଣ କାଉନସିଲର ଜିଲ୍ଲାପାଳଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି । ଏଥିରେ ୧୧ଜଣ କାଉନସିଲରଙ୍କ ଦସ୍ତଖତ ରହିଛି । ଅମ୍ବିକା ଦାସ ପଦ ଗ୍ରହଣ କରିବାର ୨ବର୍ଷରୁ ଅଧିକ ସମୟ ହୋଇଥିଲେ ବି ଦାୟିତ୍ବରେ ଅବହେଳା ପ୍ରଦର୍ଶନ କରିଥିବା ପ୍ରସ୍ତାବରେ ଦର୍ଶାଯାଇଛି । ସେହିପରି ବିଭିନ୍ନ ଓ୍ବାର୍ଡ ପ୍ରତି ପକ୍ଷପାତିତା ମନୋଭାବ ଦେଖାଉଥିବା କୁହାଯାଇଛି ।

କ’ଣ କହୁଛି ନୀଳଗିରି ଏନଏସି ଗଣିତ?

୨୦୨୨ ପୌର ନିର୍ବାଚନରେ ୧୩ଆସନ ବିଶିଷ୍ଟ ନୀଳଗିରି ଏନଏସିରେ ବିଜେଡିକୁ ୮, ବିଜେପିକୁ ୩ଟି ଆସନ ମିଳିଥିବା ବେଳେ କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏଁ ଓ୍ବାର୍ଡ ଜିତିଥିଲେ । ସେହିପରି ଅଧ୍ୟକ୍ଷ ପଦରେ ବିଜେଡି ପ୍ରାର୍ଥୀ ଅମ୍ବିକା ଦାସ ଜିତିଥିଲେ । ତେବେ ଦଳକୁ ଏନଏସିରେ ବିଜୟୀ କରାଇଥିବା ସନ୍ତୋଷ ଖଟୁଆଙ୍କୁ ବିଜେଡି ୨୦୨୪ ନିର୍ବାଚନରେ ଟିକେଟ୍ ଦେଲାନି । ସନ୍ତୋଷଙ୍କ ବଦଳରେ ୨୦୧୯ରେ ବିଜେପିରୁ ବିଜୟୀ ହୋଇ ପରେ ବିଜେଡିରେ ମିଶିଥିବା ସୁକାନ୍ତ ନାୟକଙ୍କୁ ଦଳ ପ୍ରାର୍ଥୀ କଲା । ଦଳର ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ସନ୍ତୋଷଙ୍କ ସମେତ ନୀଳଗିରି ଏନଏସିର ନିର୍ବାଚିତ ସଦସ୍ୟ ବିଜେପିରେ ସାମିଲ ହେଲେ । ଫଳରେ ଏନଏସିରେ ମାତ୍ର ୩ଟି ସିଟ୍ ଜିତିଥିବା ବିଜେପିର ସଂଖ୍ୟା ବଢି ୧୧ହୋଇଗଲା । ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଏବେ ନୀଳଗିରି ଏନଏସି ଅଧ୍ୟକ୍ଷ ପଦ କବଜା କରିବାକୁ ବିଜେପି ଚାହୁଁଛି ।

କିଛି ମାସ ପୂର୍ବରୁ ଟିକେଟ୍ ପାଇଁ ଯେଉଁ ସନ୍ତୋଷ ଖଟୁଆଙ୍କୁ ଭରସା କରିନଥିଲା ବିଜେଡି, ଏବେ ସେ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛନ୍ତି । ବିଜେଡି ନୀଳଗିରିରେ ଦୁଇ ଭାଗ ହେବା ସହ ଦଳ ହାତରୁ ଏନଏସି ଅଧ୍ୟକ୍ଷ ପଦ ଖସିପାରେ ।

Comments are closed.