Latest Odisha News

BREAKING NEWS

ଆଗାମୀ ୩ ଦିନ ରାଜ୍ୟରେ ଶୁଖିଲା ପାଗ; ୫ ତାରିଖରୁ ଉପକୂଳ ଓଡ଼ିଶାରେ ଫେରିବ ବର୍ଷା

ଭୁବନେଶ୍ୱର: ଲଗାଣ ବର୍ଷାରୁ ରାଜ୍ୟବାସୀଙ୍କୁ ଏବେ ସାମୟିକ ଆଶ୍ୱସ୍ତି ମିଳିବାକୁ ଯାଉଛି । ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଅର୍ଥାତ୍ ଅକ୍ଟୋବର ୪ ତାରିଖ ଯାଏଁ ସମଗ୍ର ଓଡ଼ିଶାରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ଓ ଖରାଟିଆ ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଏହି ଶୁଖିଲା ପାଗ ଅଧିକ ଦିନ ରହିବ ନାହିଁ, କାରଣ ଅକ୍ଟୋବର ୫ ତାରିଖରୁ ରାଜ୍ୟର ପାଣିପାଗରେ ପୁଣିଥରେ ପରିବର୍ତ୍ତନ ଘଟିବ ଏବଂ ଉପକୂଳ ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ଫେରିବ। ସାମ୍ନାକୁ ଦଶହରା ଭଳି ବଡ଼ ପର୍ବ ଆସୁଥିବାରୁ ପାଣିପାଗର ଏହି ଲୁଚକାଳି ଖେଳ ଉପରେ ସମସ୍ତଙ୍କ ନଜର ରହିଛି ।

ପାଣିପାଗ ବିଭାଗର ସର୍ବଶେଷ ବୁଲେଟିନ୍ ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ ଅକ୍ଟୋବର ୫ ତାରିଖ ସକାଳ ୮ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଜିଲ୍ଲାରେ ପାଗ ପ୍ରାୟତଃ ଶୁଖିଲା ରହିବ। ଏହି ସମୟ ମଧ୍ୟରେ କୌଣସି ସ୍ଥାନରେ ଉଲ୍ଲେଖନୀୟ ବର୍ଷାର ଆଶଙ୍କା ନାହିଁ ।

କିନ୍ତୁ ଅକ୍ଟୋବର ୫ ତାରିଖ ସକାଳୁ ପାଗର ମିଜାଜ୍ ବଦଳିବ। ଅକ୍ଟୋବର ୫ ରୁ ୬ ତାରିଖ ମଧ୍ୟରେ ଉପକୂଳ ଏବଂ ଉତ୍ତର ଓଡ଼ିଶାର ପ୍ରମୁଖ ଜିଲ୍ଲା ଯଥା- ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତେବେ ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ପାଗ ପୂର୍ବଭଳି ଶୁଖିଲା ରହିବ ।

ସେହିପରି ଅକ୍ଟୋବର ୬ ରୁ ୭ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲାକୁ ଛାଡ଼ିଦେଲେ ଉପରୋକ୍ତ ଅନ୍ୟ ସମସ୍ତ ଉପକୂଳବର୍ତ୍ତୀ ଓ ସଂଲଗ୍ନ ଜିଲ୍ଲାରେ ହାଲୁକା ବର୍ଷାର ପ୍ରଭାବ ଜାରି ରହିବ। ଏହାପରେ ଅକ୍ଟୋବର ୭ ରୁ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ବର୍ଷାର ବିସ୍ତାର ସାମାନ୍ୟ ବଢ଼ିବ । ଏହି ଦୁଇ ଦିନ ଉପକୂଳ ଏବଂ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକ ସମେତ ଦକ୍ଷିଣ ଓଡ଼ିଶାର ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ଆକଳନ କରାଯାଇଛି। ତେବେ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବଳକା ଜିଲ୍ଲାଗୁଡ଼ିକରେ ବର୍ଷାର ବିଶେଷ ପ୍ରଭାବ ପଡ଼ିବ ନାହିଁ ଏବଂ ପାଗ ଶୁଖିଲା ରହିବ ।

ଆସନ୍ତା ତିନି ଦିନ ଧରି ପାଗ ଶୁଖିଲା ରହୁଥିବାରୁ ଚାଷୀକୂଳଙ୍କୁ ନିଜର କୃଷି କାର୍ଯ୍ୟ ଆଗେଇ ନେବା ପାଇଁ ଏକ ଭଲ ସୁଯୋଗ ମିଳିବ । ଏଥିସହ ପୂଜା ପ୍ରସ୍ତୁତି ଏବଂ ପେଣ୍ଡାଲ୍ କାମ ମଧ୍ୟ ବିନା ବାଧାରେ ତ୍ୱରାନ୍ୱିତ ହୋଇପାରିବ । ତେବେ ୫ ତାରିଖ ପରେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.