Latest Odisha News

ରଥ ଉପରେ ମୋବାଇଲ ନିଷେଧ

ପୁରୀ: ଏଣିକି ରଥ ଉପରକୁ ଯିବ ନାହିଁ ମୋବାଇଲ । ସେବାୟତ ହୁଅନ୍ତୁ କି ଦଇତାପତି, କେହି ବି ନିଜ ସହିତ ରଥ ଉପରକୁ ମୋବାଇଲ ନେଇ ଯାଇପାରିବେ ନାହିଁ । ସେବାୟତଙ୍କୁ ତାଗିତ୍ କରି ଏମିତି କିଛି କଡା ନିର୍ଦ୍ଦେଶ ଦେଇଛନ୍ତି ନୂଆ କରି ନିଯୁକ୍ତ ହୋଇଥିବା ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ଗତକାଲି ନିଯୁକ୍ତି ପାଇବା ପରେ ଆଜି ପୁରା ଆକ୍ସନ ମୋଡରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଆସୁ ଆସୁ ରଥରେ ମୋବାଇଲ ଫୋନ ନିଷେଧ ଭଳି କଡା କାର୍ଯ୍ୟନୁଷ୍ଠାନ ନେଇଛନ୍ତି । ଏନେଇ ଅରବିନ୍ଦ କହିଛନ୍ତି, ଯେଉଁ ସେବାୟତ ମାନେ ବିଶୃଙ୍ଖଳିତ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ରଥ ଉପରକୁ ମୋବାଇଲ ଫୋନ୍ ନେବା ଓ ଅଣ ସେବାୟତଙ୍କ ପ୍ରବେଶକୁ ସଂପୂର୍ଣ୍ଣ ବାରଣ କରାଯାଉଛି । ଏନେଇ ସଂପୃକ୍ତ ନିଯୋଗ ସାଙ୍ଗରେ ବାର୍ତ୍ତାଳପ ହୋଇଛି, ଆଗକୁ ଏନେଇ ଆଜି ସଂନ୍ଧ୍ୟାରେ ଅଧିକ ଆଲୋଚନା ପାଇଁ ବୈଠକ ବସି କଡା ନିଷ୍ପତ୍ତି ନିଆଯିବ । ଯେଉଁମାନେ ବି ଏଥିରେ ବିଶୃଙ୍ଖଳା ସୃଷ୍ଟି କରିବେ ସେମାନଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ତେବେ ରଥ ଟଣା ବେଳେ ଅନେକ ସମୟରେ ରଥ ଉପରେ ସେବାୟତମାନେ ମୋବାଇଲ ଫୋନ ବ୍ୟବହାର କରିବାର ଦୃଶ୍ୟ ସାମ୍ନାକୁ ଆସିଛି । ଖାଲି ବ୍ୟବହାର କରନ୍ତିନି ମହାପ୍ରଭୁଙ୍କ ସହ ସେଲଫି ନେବା ଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥାଏ । ଯାହାକୁ ନେଇ ଅନେକ କ୍ଷେତ୍ରରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି ।

ସେପଟେ ବଡ ଠାକୁରଙ୍କ ଆଡପ ମଣ୍ଡପ  ବିଜେ ପହଣ୍ଡି ବେଳେ ଘଟିଥିବା ଅଘଟଣକୁ ସେବାୟତଙ୍କ ବେପୁରିଆ ମନୋଭାବ ଓ ଅସାବଧାନତା ସହିତ ଅଣସେବାୟତଙ୍କ ପ୍ରବେଶ ହିଁ ଦାୟୀ ବୋଲି ସାଧାରଣ ମହଲରେ ଚର୍ଚ୍ଚା ହେଉଛି । ଏନେଇ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ମଧ୍ୟ ଦଇତାପତି ଓ ଅଣ ସେବାୟତମାନଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି, ମହାପ୍ରଭୁଙ୍କ ଅଙ୍ଗଲାଗି ସେବକ ହେଲେ ଦଇତାପତି ସେମାନଙ୍କୁ ଏହା ପ୍ରତି ଧ୍ୟାନ ଦବାର ଥିଲା । ଏହା ସହିତ ଏଭଳି ବଡ ଅଘଟଣର ମୁଖ୍ୟ କାରଣ ସେବାୟତଙ୍କ ମୋବାଇଲ ବ୍ୟବହାରକୁ ଦର୍ଶାଇଛନ୍ତି ବାଡଗ୍ରାହୀ । ଏନେଇ ସେ କହିଛନ୍ତି, ସେବାୟତ ସେବା କରିବା ଠାରୁ ବେଶୀ ବ୍ୟସ୍ତ ସେଲଫି ନେବାରେ ରହୁଛନ୍ତି । ମହାପ୍ରଭୁଙ୍କ ସେବା ବେଳେ ସେବାୟତ ମୋବାଇଲ ଫୋନ ବ୍ୟବହାର କରୁଥିବାର ବଡ ଅଭିଯୋଗ କରିଥିଲେ ବାଡଗ୍ରାହୀ । ଏହା ସହିତ ପହଣ୍ଡିରେ ନିଯୋଗ ନଥିବା ସେବାୟତଙ୍କ ପ୍ରବେଶ ଦ୍ବାରା ଏଭଳି ବିଶୃଙ୍ଖଳା ସୃଷ୍ଟି ହେଉଛି ବୋଲି ସେ କହିଥିଲେ ।  ଯାହାକୁ ନେଇ ଆଜି କଡା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ ।

Comments are closed.