ଭୁବନେଶ୍ୱର: ଓଡିଶା ସରକାରୀ କାର୍ଯ୍ୟାଳୟରେ ଡ୍ୟୁଟି ଅବଧି ମଧ୍ୟରେ କର୍ମଚାରୀଙ୍କୁ ‘ଭାଇ’ ସମ୍ବୋଧନ କରୁଥିଲେ ହୋଇଯାଆନ୍ତୁ ସାବଧାନ । ନହେଲେ ସମ୍ପୃକ୍ତ କର୍ମଚାରୀଙ୍କ ଉପରେ ହୋଇପାରେ ଦୃଢ କାର୍ଯ୍ୟାନୁଷ୍ଠାନ ।
ଏନେଇ ରାଜ୍ୟ ସରକାରଙ୍କ ପଶୁସମ୍ପଦ ବିଭାଗ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଅଫିସ୍ ଗୁଡିକରେ ସରକାରୀ ମର୍ଯ୍ୟାଦା ଭଙ୍ଗ ହେଉଥିବା ଦର୍ଶାଇ ଏଭଳି ନିର୍ଦ୍ଦେଶାନାମା ଜରାଯାଇଛି ।ସମସ୍ତ ଯୁଗ୍ମ ନିର୍ଦ୍ଦେଶକ, ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଓ ବିଶେଷ ସଚିବଙ୍କୁ ଏକ ପତ୍ର ଲେଖି ରାଜ୍ୟ ପଶୁପାଳନ ଓ ପଶୁ ସମ୍ପଦର ନିର୍ଦ୍ଦେଶକ ରତ୍ନାକର ରାଉତ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।
ଏପରିକି ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ କନିଷ୍ଠ କର୍ମଚାରୀମାନେ ଅନ୍ୟ କର୍ମଚାରୀଙ୍କୁ ଭାଇ ବୋଲି ସମ୍ବୋଧନ କରୁଛନ୍ତି । ଅଫିସ୍ ମଧ୍ୟରେ ଏଭଳି ଉଚ୍ଚାରଣ ଆଦୌ ଠିକ୍ ନୁହେଁ ଏବଂ ଏହା ମର୍ଯ୍ୟାଦାଜନକ ମଧ୍ୟ ନୁହେଁ । ଏହାର ଉଲଘଂନ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ।
ଆହୁରି ମଧ୍ୟ ନିଜ ନିଜ ମଧ୍ୟରେ ଯାହାବି ବ୍ୟକ୍ତିଗତ ସମ୍ପର୍କ ଥାଇପାରେ କିନ୍ତୁ ଅଫିସ୍ ମଧ୍ୟରେ ଏଭଳି ଭାଇ ଡାକ ଓଡିଶା ସରକାରଙ୍କ କର୍ମଚାରୀ ଆଚରଣ ବିଧି ୧୯୫୯ର ଉଲ୍ଲଘଂନ କରୁଛି । ତେଣୁ କାର୍ଯ୍ୟାଳୟରେ ମର୍ଯ୍ୟାଦା ରକ୍ଷା କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଗତ ନଭେମ୍ବର ୧୬ ତାରିଖରେ ନିର୍ଦ୍ଦେଶକ ଏଭଳି ନିର୍ଦ୍ଦେଶାନାମା ଜାରି କରିଥିଲେ ।
Comments are closed.