Latest Odisha News

BREAKING NEWS

‘ବାତ୍ୟା ପାଇଁ କୌଣସି ପୂର୍ବାନୁମାନ କରାଯାଇ ନଥିବାରୁ ଭୟଭୀତ ହେବାର ଆବଶ୍ୟକତା ନାହିଁ’

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ହେଲେ ବାତ୍ୟା ସୃଷ୍ଟି ନେଇ କୌଣସି ପୂର୍ବାନୁମାନ କରାଯାଇନ ଥିବାରୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରାରମ୍ଭିକ ଭାବେ ଉତ୍ତର-ପୂର୍ବ ଦିଗକୁ ଗତି କରି ମେ’ ୨୪ ବେଳକୁ ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି।

ବାତ୍ୟାକୁ ନେଇ ଏପର୍ଯ୍ୟନ୍ତ କୌଣସି ପୂର୍ବାନୁମାନ କରାଯାଇନାହିଁ। ଲଘୁଚାପ ସୃଷ୍ଟି ହେବା ପରେ ହିଁ ବାତ୍ୟା ବାବଦରେ ସ୍ପଷ୍ଟ ଭାବେ କହିହେବ। ତେଣୁ ଏବେ ଲୋକମାନେ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ମନୋରମା ମହାନ୍ତି କହିଛନ୍ତି। ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ପାଇଁ ସ୍ଥିତି ଅନୁକୂଳ ରହିଛି ବୋଲି ଆଇଏମଡିର ଆଞ୍ଚଳିକ ନିର୍ଦ୍ଦେଶକ କହିଛନ୍ତି। ଯେହେତୁ ଏହା ବାତ୍ୟା ମାସ, ତେଣୁ ଆମେ ଏହାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛୁ। କୌଣସି ସୂଚନା ମିଳିବା କ୍ଷଣି ଆମେ ପୂର୍ବାନୁମାନ ଜାରି କରିବୁ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଗାମୀ ଦୁଇ ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ୨୫ ତାରିଖରେ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ। ଏହି ଦିନ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି।

Comments are closed.