Latest Odisha News

BREAKING NEWS

ଦଳ ଛାଡ଼ିବା ଚର୍ଚ୍ଚା ଭିତରେ ନେତୃତ୍ୱକୁ ମୋକିମ ମାରିଲେ ତେରଚ୍ଛା ବାଣ

ଭୁବନେଶ୍ୱର: ରାଜ୍ୟରେ ତେଲେଙ୍ଗାନାର ଶାସକ ଦଳ ଭାରତୀୟ ରାଷ୍ଟ୍ର ସମିତି ବା ବିଆରଏସ ବିଭିନ୍ନ ଦଳରେ ଅସନ୍ତୁଷ୍ଟ ତଥା ବଡ଼ ବଡ଼ ନେତାଙ୍କୁ ଦଳରେ ସାମିଲ କରି ବଳ ଗୋଟାଇବାକୁ ଚେଷ୍ଟା କରୁଥିବା ବେଳେ କଂଗ୍ରେସ ବିଧାୟକ ତଥା ବାରବାଟୀ ବିଧାୟକ ମହମ୍ମଦ ମୋକିମ ନିଜ ଦଳର ନେତୃତ୍ବକୁ ତେରଚ୍ଛା ବାଣ ମାରିଛନ୍ତି।

ଆଗକୁ ସାଧାରଣ ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ରହିଛି। ହେଲେ ଦଳର ନେତା ସେଭଳି ନାହାନ୍ତି। ଯାହାକୁ ଦେଖି ଲୋକେ ଆସ୍ଥାଭାଜନ ହୋଇପାରିବେ ବୋଲି ସେ କହିଛନ୍ତି । ପୂର୍ବରୁ ଜାନକୀ ବଲ୍ଲଭ ପଟ୍ଟନାୟକ, ବସନ୍ତ ବିଶ୍ୱାଳ, ହେମାନନ୍ଦ ବିଶ୍ବାଳଙ୍କ ପରେ ଆଉ କଂଗ୍ରେସରେ ସେମିତି କୌଣସି ବଡ଼ ଚେହେରା ନାହାନ୍ତି ବୋଲି ସେ କହିଛନ୍ତି। ଦଳରେ ଏହିଭଳି ନେତା ନଥିବାରୁ କଂଗ୍ରେସ ଏବେ ସୁପ୍ତ ଅବସ୍ଥାକୁ ଚାଲିଗଲାଣି।

କଂଗ୍ରେସକୁ ଟ୍ରାକକୁ ଫେରାଇବା ଭଳି ପ୍ରଚେଷ୍ଟା ଏପର୍ଯ୍ୟନ୍ତ ଦଳରେ ଆରମ୍ଭ ହୋଇନି। ତେଣୁ ବାସ୍ତବତାକୁ ଗ୍ରହଣ କରି ପରିଶ୍ରମ ନକଲେ ସ୍ଥିତି ଆହୁରି ଖରାପ ହେବ।

ଆଗକୁ ନିର୍ବାଚନ ରହିଛି। ସମୟ କମ ରହିଛି। ତେଣୁ ଏବେ ସକ୍ରିୟ ହେବା ଆବଶ୍ୟକ। ସମୟ ଚାଲି ଗଲେ ଆଉ କଂଗ୍ରେସ ଟ୍ରାକକୁ ଫେରିବା କଷ୍ଟକର ହେବ। ବାସ୍ତବ ସ୍ଥିତି ଦେଖି କଂଗ୍ରେସ ନେତା ଏବେ କଂଗ୍ରେସ ଭବନରେ ନରହି ଫିଲଡକୁ ଯାଇ ପରିଶ୍ରମ କରିବା ଆବଶ୍ୟକ ବୋଲି କଂଗ୍ରେସର ଅସନ୍ତୁଷ୍ଟ ବିଧାୟକ ମହମ୍ମଦ ମୋକିମ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମହମ୍ମଦ ମୋକିମ ରାଜ୍ଯ କଂଗ୍ରେସର ମଙ୍ଗ ଧରିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଶରତ ପଟ୍ଟନାୟକଙ୍କ ଉପରେ କଂଗ୍ରେସ ହାଇକମାଣ୍ଡ ହାତ ରଖିବା ପରେ ମୋକିମ ଅସନ୍ତୁଷ୍ଟ ହୋଇପଡ଼ିଥିବା ଜଣାପଡ଼ିଛି। ଏମିତିକି ରାଷ୍ଟ୍ରପତି ନିର୍ବାଚନ ବେଳେ ଦଳର ନିର୍ଦ୍ଦେଶକୁ ବିରୋଧ କରି ଏନଡିଏ ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ସପକ୍ଷରେ ମତଦାନ କରିଥିଲେ ମୋକିମ।

ଏହାପରଠୁ ମୋକିମ ଦଳ ପରିବର୍ତ୍ତନ କରିବା ନେଇ ଚର୍ଚ୍ଚା ହେଉଛି। ଯଦିଓ ସେ ଏହି ଚର୍ଚ୍ଚାକୁ ଖଣ୍ଡନ କରିଆସୁଛନ୍ତି। ହେଲେ ରାଜ୍ୟରେ ସକ୍ରିୟ ହେବାକୁ ଚେଷ୍ଟା କରୁଥିବା ନୂଆ ଦଳ ବିଆରଏସ ଯେଉଁସବୁ ଅସନ୍ତୁଷ୍ଟ ନେତାଙ୍କୁ ଯୋଗାଯୋଗ କରୁଛି ସେହି ତାଲିକାରେ ମହମ୍ମଦ ମୋକିମ ରହିଥିବା ସୂଚନା ରହିଛି।

Leave A Reply

Your email address will not be published.