ଭୁବନେଶ୍ବର: ସାର୍ଟିଫିକେଟ୍ ଅଫ୍ ରେକଗ୍ନେସନ୍ (ସିଓଆର) ବିନା ଓଡିଶାରେ ଆଉ ପ୍ରତିଷ୍ଠା ହୋଇପାରିବନି କୌଣସି ଘରୋଇ ସ୍କୁଲ୍ । ଆରସିଏଫସିଇ ଆଇନ ୨୦୦୯ ଅନୁଯାୟୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ନୂତନ ଘରୋଇ ବିଦ୍ୟାଳୟ ଖୋଲିବାକୁ ଥିବା ନିର୍ଦ୍ଦେଶାବଳୀକୁ ସଂଶୋଧନ କରାଯିବା ସହ ନୂତନ ଶିକ୍ଷାବର୍ଷରୁ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଓଡ଼ିଶାରେ ୭ ହଜାରରୁ ଅଧିକ ଛୋଟ, ବଡ଼ ଘରୋଇ ପ୍ରାଥମିକ ବିଦ୍ୟାଳୟ ରହିଛି । ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୪,୫୧୩ଟି ଘରୋଇ ସ୍କୁଲ ସିଓଆର୍ ପାଇଛନ୍ତି । ଏହା ସହ ରାଜ୍ୟ ସରକାରଙ୍କ ଦ୍ବାରା ପଞ୍ଜୀକୃତ ହୋଇଛନ୍ତି । ହେଲେ ପ୍ରାୟ ୨୫୦୦ ଘରୋଇ ସ୍କୁଲର ସିଓଆର୍ ନାହିଁ । ଯେଉଁ କାରଣରୁ ରାଜ୍ୟ ସରକାର ବିଭିନ୍ନ ସମୟରେ ଆକଳରେ ପଡ଼ୁଛନ୍ତି । ଏହାକୁ ନଜରରେ ରଖି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶାବଳୀ ଜାରି ହୋଇଛି ।
ବିଶେଷ କରି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ଆଗ୍ରହୀ ଶିକ୍ଷାନୁଷ୍ଠାନ, ସଙ୍ଗଠନଗୁଡ଼ିକ ନିୟମ ପାଳନ କରିବା ବାଧ୍ୟତାମୂଳକ । ଯଦି କୌଣସି ସଂସ୍ଥା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଆସେ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏମିତିକି ବିଦ୍ୟାଳୟରେ ତାଲା ପଡ଼ିବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।