Latest Odisha News

BREAKING NEWS

ମୋତେ ନିଲମ୍ବିତ କରାଯିବାର କୌଣସି କାରଣ ନାହିଁ: କଂଗ୍ରେସ ବିଧାୟକ ଯୋଗେଶ ସିଂହ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଗୁରୁବାର ଦିନ ସୁନ୍ଦରଗଡ଼ର ବିଧାୟକ ଯୋଗେଶ ସିଂହଙ୍କୁ ଗଣମାଧ୍ୟମ ଆଗରେ ଦଳ ବିରୋଧୀ ମନ୍ତବ୍ୟ ଦେବା ଯୋଗୁଁ ନିଲମ୍ବନ କରିଛି । ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ସୁପାରିଶ କ୍ରମେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ଏସମ୍ପର୍କରେ ପିସିସିି ଶୃଙ୍ଖଳାଗତ କମିଟି ଆବାହକ ଅନନ୍ତ ସେଠୀ କହିଛନ୍ତି, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଶୃଙ୍ଖଳାଗତ କମିଟି ପକ୍ଷରୁ ତାଙ୍କୁ ପଠାଯାଇଥିବା କାରଣ ଦର୍ଶାଅ ନୋଟିସର ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଏହାର ବ୍ୟତିକ୍ରମ ଘଟେ ତେବେ ଏହି ଘଟଣାକୁ ଏଆଇସିସିକୁ ପ୍ରଦାନ କରାଯିବ ।

ତାଙ୍କର ପ୍ରତିକ୍ରିୟାରେ ବିଧାୟକ ଯୋଗେଶ ସିଂହ କହିଛନ୍ତି, ମୋତେ ନିଲମ୍ବିତ କରାଯିବାର କୌଣସି ସଠିକ୍ କାରଣ ଦର୍ଶାଯାଇନାହିଁ । ଏନେଇ ସେ ପ୍ରଶ୍ନ ପଚାରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ନେତୃତ୍ୱକୁ ପ୍ରଶଂସା କରିବାକୁ ଦଳ ବିରୋଧୀ କାର୍ଯ୍ୟ ବୋଲି କିପରି ବିବେଚନା କରାଯାଉଛି । ଅନ୍ୟ ନେତାମାନେ ମଧ୍ୟ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ପ୍ରଶଂସା କରୁଛନ୍ତି । “ଯାହାବି ହେଉ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓପିସିସିର କ୍ଷମତା ରହିଛି ଏବଂ ମୋର ଏସମ୍ପର୍କରେ କିଛି ବି କହିବାର ନାହିଁ,” ବୋଲି ସୁନ୍ଦରଗଡ଼ଠାରେ ଗଣମାଧ୍ୟମକୁ କହିଛନ୍ତି କଂଗ୍ରେସ ବିଧାୟକ ଯୋଗେଶ ସିଂହ ।

ବିଜେଡ଼ିରେ ଯୋଗଦେବା ନେଇ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏସମ୍ପର୍କରେ ସେମିତି କିଛି ପରିସ୍ଥିତି ସୃଷ୍ଟି ହୋଇନାହିଁ ।

ମୋର କୌଣସି ଭୁଲ ନଥାଇ ସେମାନେ ମୋତେ ଦଳରୁ ନିଲମ୍ବନ କରିଥିବାରୁ ମୁଁ ବିଧାୟକ ପଦ ଛାଡ଼ିବି, ବୋଲି ଯୋଗେଶ ସିଂହ କହିଛନ୍ତି ।

ଗଣମାଧ୍ୟମର ଏକ ପ୍ରଶ୍ନ, ଜାନୁଆରୀ ୨୫ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାହୁଲ ଗାନ୍ଧୀଙ୍କ ସଭାରେ ସେ ଯୋଗ ନଦେବାକୁ କହିବା ଯୋଗୁଁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛିକି ବୋଲି ଉତ୍ତରରେ ସେ କହିଛନ୍ତି, ବହୁ ପୂର୍ବରୁ ସେ ନିଜସ୍ୱ ଗସ୍ତ କାର୍ଯ୍ୟକ୍ରମ ଠିକ୍ କରିଥିଲେ । “ମୁଁ ବହୁ ପୂର୍ବରୁ କାର୍ଯ୍ୟକ୍ରମ ଠିକ୍ କରିଥିବା ଯୋଗୁଁ ସଭାରେ ଯୋଗ ନଦେଇ ପାରିବା କଥା ଓପିସିସିକୁ ଅବଗତ କରିଥିଲି । ବିଧାନସଭା ପାଖେଇ ଆସୁଥିବା ଯୋଗୁଁ ମୁଁ ମୋ ନିର୍ବାଚନ ମଣ୍ଡଳୀ ପ୍ରତି ଗୁରୁତ୍ୱ ପ୍ରଦାନ କରିବି । ଜନସାଧାରଣ ମୋତେ ନେତା ଭାବେ ନିର୍ବାଚିତ କରିଛନ୍ତି,” ବୋଲି ବିଧାୟକ ଯୋଗେଶ ସିଂହ କହିଛନ୍ତି ।

Comments are closed.