Latest Odisha News

BREAKING NEWS

ପାକ୍ ଉପରେ ବର୍ଷିଲା ଭାରତ, ସୁରକ୍ଷା ଉପରେ କହିବାର ଅଧିକାର ନାହିଁ

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତ  ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ପାକିସ୍ତାନକୁ ନିନ୍ଦା କରିବା ସହ ନିଜର ଅସନ୍ତୋଷ ପ୍ରକାଶ କରିଛି। ଏହି ପରିଷଦରେ ଭାରତ କହିଛି ଯେ ପାକିସ୍ତାନୀ ସେନା ମାସର ଆରମ୍ଭରେ ଭାରତୀୟ ସୀମାନ୍ତ ଅଞ୍ଚଳରେ ଥିବା ସ୍ଥାନଗୁଡିକୁ  ଓ ଧାର୍ମିକ ସ୍ଥଳକୁ ଜାଣି ଶୁଣି ଟାର୍ଗେଟ କରିଥିଲା ଓ ସେହି ଅଞ୍ଚଳରେ ଆକ୍ରମଣ କରି ସାଧାରଣ ଜନତାଙ୍କୁ ମଧ୍ୟ ହତ୍ୟା କରିଥିଲା।

ପୂର୍ବରୁ ଜାତିସଂଘରେ ପାକିସ୍ତାନ ରାଷ୍ଟ୍ରଦୂତ ଅସୀମ ଇଫତିଖାର ଅହମ୍ମଦ କାଶ୍ମୀର ପ୍ରସଙ୍ଗ ଉଠାଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସାମ୍ପ୍ରତିକ ବିବାଦକୁ ନେଇ  ଆଲୋଚନା କରିଥିଲେ। ଯାହା ପରେ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପର୍ବଥନେନୀ ହରିଶ୍ ଶୁକ୍ରବାର ନିଜ ମନ୍ତବ୍ୟରେ କହିଛନ୍ତି ଯେ ପାକିସ୍ତାନୀ ପ୍ରତିନିଧି ମାନେ ଯେଉଁ ଭିତ୍ତିହୀନ ଅଭିଯୋଗ କରିଛନ୍ତି ସେ ସବୁର ଜବାବ ଦେବାକୁ ମୁ ବାଧ୍ୟ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଗତ ଦଶନ୍ଧି ଧରି ସୀମାରେ ପାକିସ୍ତାନୀ ଆତଙ୍କବାଦୀଙ୍କର ଆକ୍ରମଣର ସମ୍ମୁଖୀନ ହୋଇ ଆସୁଛି। ପାକିସ୍ତାନ ଆତଙ୍କବାଦକୁ ସୁରକ୍ଷା ଦେବା ପାଇଁ ଓ ଏହାକୁ ଆହୁରି ପ୍ରୋତ୍ସାହିତ କରିବାପାଇଁ ସାଧାରଣ ଲୋକ ମାନଙ୍କୁ ଏଥିରେ ସାମିଲ କରି ଆସୁଛି।

ଅପରେସନ ସିନ୍ଦୂରରେ ନିପାତ ହୋଇଥିବା ଆତଙ୍କବାଦୀ ମାନଙ୍କ ଶବଦାହ ସମୟରେ ସେଠାରେ ପାକିସ୍ତାନ ସରକାରର ବରିଷ୍ଠ ଅଧିକାରୀ, ପୋଲିସ ଏବଂ ସାମରିକ ଅଧିକାରୀମାନେ ଯୋଗ ଦେଇଥିଲେ ବୋଲି ସେ କହିଛନ୍ତି। ଏହି ସବୁ ପ୍ରସଙ୍ଗକୁ ନେଇ ସେ କହିଛନ୍ତି ଯେ  ଯେଉଁ ଦେଶ ଆତଙ୍କବାଦୀ ଏବଂ ନାଗରିକ ମାନଙ୍କ ମଧ୍ୟରେ ପାର୍ଥକ୍ୟ କରି ଜାଣି ନାହିଁ ସେହି ଦେଶର ନାଗରିକଙ୍କ ସୁରକ୍ଷା ବିଷୟରେ କଥା ହେବାର ମଧ୍ୟ କୌଣସି ଅଧିକାର ନାହିଁ।

 

Comments are closed.