Latest Odisha News

ଟିକା ଅଭାବ: ଆଜି ରାଜ୍ୟର ୧୧ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଟିକାର ଘୋର ଅଭାବ ଦେଖାଦେଇଛି । ଜୁନ୍ ମାସ ପାଇଁ ଆବଶ୍ୟକ କୋଭିସିଲ୍ଡ ଟିକା ନଥିବାରୁ ଆଜି ୧୧ ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଟିକାକରଣ । ଅନୁଗୋଳ, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଝାରସୁଗୁଡ଼ା, ସୋନପୁର, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାରେ ଆଜି ଟିକାକରଣ ହେବ ନାହିଁ । ଆଜି ରାଜ୍ୟରେ କେବଳ ୨୧୦ କେନ୍ଦ୍ରରେ ଦିଆଯିବ ଟିକା ।

ଜୁନ୍ ୨୧ ପରେ ଆଜି ସବୁଠୁ କମ୍ ଟିକା ଦିଆଯିବ । କୋଭିସିଲ୍ଡ ଟିକା ମହଜୁଦ ନଥିବାରୁ ଟିକାକରଣ ବନ୍ଦ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ଏବେ ମାତ୍ର ୩୮ହଜାର ୩୮୦ ଡୋଜ୍ କୋଭିସିଲ୍ଡ ଟିକା ଅଛି । ଜୁଲାଇ ୨ ତାରିଖରେ ରାଜ୍ୟକୁ କୋଭିସିଲ୍ଡ ଟିକା ମିଳିବା ସମ୍ଭାବନା ରହିଛି ।

ଦୁଇ ଦିନ ପୂର୍ବରୁ ତୁରନ୍ତ ଅତିରିକ୍ତ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ଯୋଗାଇ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଶୀଘ୍ର ଟିକା ନଦେଲେ ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ ହେବ ବୋଲି କେନ୍ଦ୍ରକୁ ଅବଗତ କରାଇଥିଲେ । ଏଯାଏ ଟିକା ଆସି ନଥିବାରୁ ଅନେକ କେନ୍ଦ୍ର ବନ୍ଦ ରହିଲା ।

Leave A Reply

Your email address will not be published.