Latest Odisha News

ବ୍ୟଙ୍ଗ : ବାପାଙ୍କୁ ଚିଠି

ବାବା ଆଜି ତୁମକୁ ମୋ’ ରୁମରୁ ତୁମକୁ ଚିଠି ଲେଖୁଛି । ଚିଠି ଦେଖି ଆଶ୍ଚର୍ଯ୍ୟ ହେବନି । କଥା କଣ କି ପିତୃ ଦିବସ ପାଇଁ ଗୋଟେ ଖବରକାଗଜ ମୋତେ ଏଇ ଫର୍ମାଟ ଦେଇଛି । ମୁଁ ଜାଣେ , ତୁମେ ଜାଣ ଚିଠି ଲେଖିବାର ଅଭ୍ୟାସ ମୋର ନାହିଁ । ଅନ୍ୟ ଦୁଃଖୀ ଆତ୍ମା ଲେଖକଙ୍କ ଭଳି ପାଠକଙ୍କୁ ଛଳ ଛଳ କରି ଓଦା କରିଦେବାର ଦକ୍ଷତା ମୋର ନାହିଁ । ମୋ’ ଲେଖା ପଢି ଆଜି ଯାଏଁ କିଏ ଚିପୁଡି କି ଢାଳି ହେଇଯିବାର ଦୃଷ୍ଟାନ୍ତ ମୋ’ ଜାଣିବାରେ ନାହିଁ । ତଥାପି ଚେଷ୍ଟା କରୁଛି ।

ଏ ଚିଠି ପଢି ମୋ’ ରୁମ ଯାଏଁ ମାଡିଆସିବନି । କାରଣ ମୁଁ ଭଲ ଭାବେ ଜାଣିଛି ତୁମେ ଆସିଗଲ ମାନେ ସାହିତ୍ୟ ଠାରୁ ଆରମ୍ଭ କରି ବିପ୍ଳବ ବାଟ ଦେଇ ଜୀବନରେ ଆଚରଣ, ମୁକ୍ତ ବାୟୁରେ ବିଚରଣ, ସଂସ୍କୃତି ଓ ସଂସ୍କାର ବିଷୟରେ କୁଢ଼ କୁଢ଼ ଯୁକ୍ତି କୋଠରୀରେ ଭରିଯିବ । ଥାକ ଦରିଆରେ ପର୍ବତ ପ୍ରମାଣେ ବହି ଆଣି ଗଦେଇବ। ତା ଭିତରର ଜ୍ଞାନକୁ ଚଣା ଚୋବେଇଲା ଭଳି ଚୋବେଇ ଉପଲବ୍ଧିକୁ ଖାଦ୍ୟନଳୀ ଦେଇ ସାରା ଶରୀରକୁ ଭେଦେଇ ମସ୍ତିଷ୍କକୁ ନେବାକୁ ତୁମ ବାଟରେ କହୁଥିବ । କିଛି କରିବା ପୂର୍ବରୁ ସାଧନା କରିବାକୁ କହିବ । ସାଧନାର ଗଭୀରକୁ ଯିବାକୁ କହିବ । କିନ୍ତୁ ବାବା ତୁମକୁ ଆଜି ଯାଏଁ କହିପାରିନି ।

ସ୍କୁଲବେଳୁ ସାଧନା ପଛରେ ଗୋଡେଇ ଗୋଡେଇ କଲେଜରେ ପଢ଼ିଲା ବେଳକୁ ସାଧନା ବାପାଙ୍କ ଅନ୍ୟ ସହରକୁ ବଦଳି ହୋଇଗଲା । କଥା ଧାଡ଼ିଏ ଦୂରର କଥା ଆଖିକୁ ଆଖି ମିଶେଇ ଚାହିଁବାର ସାହସ ଜୁଟେଇ ହେଲାନି । ସେବେଠୁ ତାକୁ ଆଉ ଦେଖିନି। କିଛି ବର୍ଷ ତଳେ ଜାଣିବାକୁ ପାଇଲି ସେ ଏବେ ଦୁଇଟି ନାତି ଦେଖିଲାଣି । ତେଣୁ ଏବେ ସାଧନାର ଗଭୀରତା ମାପିବା ସମ୍ଭବ ନୁହେଁ ।

ବାବା ତୁମର ସବୁ କଥା ମୋତେ ଭଲ ଲାଗେ କିନ୍ତୁ ଏଇ ପ୍ରଚୁର ଅଧ୍ୟୟନ ଅଧ୍ୟବସାୟ ଉପଦେଶଟି ଭଲ ଲାଗେନି। ଫେକ୍ ବୁକ୍ ରେ ବୁଲି ବୁଲି ‘ଚଟ୍ ମଙ୍ଗନି ପଟ୍ ବିହା’ର ଅଭ୍ୟାସ ହୋଇଗଲାଣି । ପିଲା ବେଳେ କେହି କେହି କହୁଥିବା ଶୁଣିଥିଲି ଦିନରେ ଖଟିଲେ ରାତିରେ ଖାଇବୁ । ଠିକ ସେମିତି ଆମେ ଦିନରେ ଭାବିଲେ ରାତିରେ ଲେଖିବୁ । ରାତିରେ ଲେଖିଲେ ସକାଳେ ପୋଷ୍ଟ କରିବୁ । ଅନ୍ୟକୁ କମେଣ୍ଟ ନଦେଲେ ଆମକୁ କେହି ବାସି ପାଣିରେ ପଚାରିବେନି । ପଢ଼ କି ନ ପଢ଼ ଦିନକୁ ଅନ୍ତତଃ ପଚାଶ ଜଣଙ୍କୁ କମେଣ୍ଟ ଦେବାକୁ ପଡିବ । ତେଣୁ ଏତେ ଅଧ୍ୟବସାୟ ପାଇଁ ନା ସମୟ ଅଛି ନା ବୟସ । ସେଥିପାଇଁ ମୋତେ କ୍ଷମା କର ।

ଆଉ ବହୁତ କଥା ଲେଖିବାକୁ ଇଚ୍ଛା କିନ୍ତୁ ସମ୍ବାଦ ପତ୍ର ବାଲାଙ୍କ ନିର୍ଦ୍ଦେଶ ନିର୍ଦ୍ଦିଷ୍ଟ ଶବ୍ଦ ଭିତରେ ଲେଖିବାକୁ । ତେଣୁ ଏତିକିରେ ରହୁଛି। ଇଚ୍ଛାଥିଲା ଅନ୍ତତଃ ମୋ ଚିଠିକୁ ଅଧିକ ଭାବ ସ୍ପର୍ଶୀ କରିବା ପାଇଁ ତୁମକୁ କିଛି ଦିନ ପାଇଁ ସ୍ବର୍ଗତଃ କରିଦେବାକୁ । କାରଣ ଦିବଙ୍ଗତ ବାପାଙ୍କୁ ଚିଠି ଲେଖିବା ସହଜ । ମନ ମୁତାବକ ଘଟଣା ସବୁ ଯୋଡି ପାଠକକୁ କାନ୍ଦ ଭଳି ଭାବରେ ଭିଜେଇ ଦେବା ସହଜ । ଛାଡ଼ ସେ ସବୁ ମନ କହୁନି । ଗୋଟିଏ ବୋଲି ବାପା, ଛାର ଲେଖାଟିଏ ପାଇଁ ତୁମକୁ ସ୍ବର୍ଗତଃ କରିବାକୁ ମନ ଡାକୁନି ।

ତୁମେ ଘରର ଯେଉଁ କୋଣ ଅନୁକୋଣରେ ଥାଅ ସେଇଠୁ ଥାଇ ମୋତେ ଆଶୀର୍ବାଦ କରିବ । ତୁମ ଦୂରିଆ ଆଶୀର୍ବାଦ ମୋର ଏକାନ୍ତ କାମ୍ୟ ।

ଇତି ତୁମର
ଅବାଧ୍ୟ କୁଳ ନନ୍ଦନ
ପିନୁ

ବନମାଳୀ ଭବନ ,ଖାନନଗର ,
କଟକ ୯୪୩୭୦୧୦୭୫୮

Leave A Reply

Your email address will not be published.