ଭୁବନେଶ୍ବର: ବିଜେଡିରେ ଚାଲିଛି କ’ଣ ? ଯାହା କେବେ ଘଟିନଥିଲା, ତାହା ଏବେ ଦେଖିବାକୁ ମିଳୁଛି । ବରିଷ୍ଠ ମୁହଁ ଫିଟେଇଲେଣି । ଖାଲି ମୁହଁ ଫିଟାଉନାହାନ୍ତି, ବିଷ ଉଗାରୁଛନ୍ତି । ସିଧା ସଳଖ ସଭାପତି ନବୀନଙ୍କୁ ଉତ୍ତର ମାଗୁଛନ୍ତି । ଏମିତିକି ନବୀନଙ୍କ ତାଗିଦରେ ଚିହିଁକି ଉଠୁଛନ୍ତି । ଦିନେ ସବୁ ସହୁଥିବା ବିଜେଡି ନେତା, ଏବେ ନବୀନଙ୍କୁ ବି ଛାଡୁନାହନ୍ତି । ଓ୍ବକଫ୍ ନେଇ ବିଜେଡିରେ ଏବେ ହଇଚଇ ସୃଷ୍ଟି ହୋଇଥିବା ବେଳେ, ବିଜେଡିର ବରିଷ୍ଠ ନେତାଙ୍କ ବୟାନ ଏବେ, ରାଜ୍ୟ ରାଜନୀତିକୁ ଆହୁରି ରୋଚକ କରିଛି ।
ଏହି ନିକଟରେ ନବୀନ ଦଳୀୟ ନେତାଙ୍କୁ ତାଗିଦ୍ କରିଥିବା ବେଳେ, ସେମାନେ କ’ଣ କରିବେ, କ’ଣ ନକରିବେ, ତାହା ନବୀନ କହିପାରିବେନି ବୋଲି ସିଧା ସିଧା କହିଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା, ପ୍ରଫୁଲ୍ଲ ମଲ୍ଲିକ୍ । କେଇ ଦିନ ତଳେ ବିଜେଡି ନେତାଙ୍କ ହୋଟେଲ୍ ମେଳି ନେଇ ନବୀନଙ୍କ ତାଗିଦକୁ ଆଜି ନାପସନ୍ଦ କରିଛନ୍ତି । କହିଛନ୍ତି, ନାଲି ଆଖି କେହି କାହାକୁ ଦେଖାଇ ପାରିବେ ନାହିଁ । ଆମେ କେତେବେଳେ କେଉଁଠି ବସିବୁ ତାହା ବ୍ୟକ୍ତିଗତ କଥା । ଆମେ କେଉଁଠି ବସିବୁ, ଉଠିବୁ, ସେନେଇ ଆମକୁ କେହି ରୋକ୍ ଲଗେଇପାଣିବେନି, କି ତାଗିଦ୍ ବି କରିପାରିବେନି । ଆମେ ହୋଟେଲ୍ରେ ବସିପାରିବୁନାହିଁ, ତାହା କହିବା ଠିକ୍ ନୁହେଁ । କେବଳ ପାର୍ଟି ମିଟିଂ ଏବଂ କମିଟି ହେଲେ ଆମେ ଶଙ୍ଖ ଭବନକୁ ଯିବୁ । ଆମେ କେହି ଚାକିରି କରୁନୁ, କି ଯାହା ବସ୍ କହିବେ ସେଇଆ କରିବୁ ବୋଲି ଜବାବ ରଖିଛନ୍ତି ପ୍ରଫୁଲ୍ଲ । ଏଥିସହିତ ଏହାବି କହିଛନ୍ତି, ଆମର ବୟସ ହେଲାଣି, ଆମ ଚିନ୍ତାଧାରା ମିଶୁଥିବା ଲୋକଙ୍କ ସହ ଆମେ ବସିବା ଉଠିବା ନେଇ ଆମର ବ୍ୟକ୍ତିଗତ । ଏହାକୁ ଅପ୍ରସଙ୍ଗ କରିବା ଉଚିତ୍ ନୁହେଁ ।
ଖାଲି ସେତିକି ନୁହେଁ, ପାଣ୍ଡିଆନଙ୍କୁ ନବୀନଙ୍କ କ୍ଲିନଚିଟ୍ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ପ୍ରଫୁଲ୍ଲ । କହିଛନ୍ତି, ପାଣ୍ଡିଆନ୍ଙ୍କୁ ବିଜେଡି ସୁପ୍ରିମୋ ସବୁବେଳେ କ୍ଲିନ୍ଚିଟ୍ ଦେଇ ଆସୁଛନ୍ତି । ପାଣ୍ଡିଆନ୍ଙ୍କୁ ନେଇ ନବୀନ ବାବୁ ସାମ୍ନାକୁ ଆସୁଛନ୍ତି । ସେ ତ କେବେଠୁ ସନ୍ୟାସ ନେଲେଣି ବୋଲି ଘୋଷଣା କରିଛନ୍ତି, ହେଲେ ତାଙ୍କ କଥାରେ କାମରେ ତାଳମେଳ ରହୁନାହିଁ । ନିଜେ ପାଣ୍ଡିଆନ୍ ଆଗକୁ ଆସି ସ୍ପଷ୍ଟ କରିବା ଦରକାର ଯେ, ତାଙ୍କର ଦଳରେ କୌଣସି ହସ୍ତକ୍ଷେପ ନାହିଁ । ପାଣ୍ଡିଆନ୍ ଫ୍ୟାକ୍ଟର୍କୁ କେହି ଗ୍ରହଣ କରୁନାହାନ୍ତି । ଯଦି ସେ କହୁଛନ୍ତି ପାଣ୍ଡିଆନ ଦଳରେ ନାହାନ୍ତି, ତାହେଲେ ନବୀନ ବାବୁ କାହିଁ ପାଣ୍ଡିଆନଙ୍କୁ ଛାଡିପାରୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରଫୁଲ୍ଲ । ଆଉ ପ୍ରଚ୍ଛଦପଟ୍ଟରେ ପାଣ୍ଡିଆନଙ୍କ ଭୂମିକାକୁ ବି ଏକପ୍ରକାର ସ୍ପଷ୍ଟ କରିଛନ୍ତି । ଯାହା ବିଜେଡି ସ୍ଥିତିକୁ ଆହୁରି ଦୁର୍ଦ୍ଦଶା ମଧ୍ୟକୁ ଟାଣିନେଲା ଭଳି ଲାଗୁଛି ।
Comments are closed.