Latest Odisha News

BREAKING NEWS

Lingaraj Temple: ସୁରକ୍ଷା ବ୍ୟବସ୍ଥାରେ ଢିଲା! ଅଣହିନ୍ଦୁ ପଶିବାରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବେଶ ଓ ଭୋଗ ମାରା

ଭୁବନେଶ୍ବର: ମାରା ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବେଶ ଓ ଭୋଗ । ଜଣେ ଅଣହିନ୍ଦୁ ତଥା ଜାପାନ ନାଗରିକ ମନ୍ଦିର ଭିତରେ ପଶିଯିବାରୁ ବେଶ ଓ ଭୋଗ ମାରା ହୋଇଥିବା ସୂଚନା ରହିଛି । ବୁଧବାର ଦିନ ମହାପ୍ରଭୁଙ୍କ ଭୋଗମଣ୍ଡପ ସରି ସାହାଣମେଲା ଦର୍ଶନ ଚାଲିଥିଲା । ଏହି ସମୟରେ ଅଣହିନ୍ଦୁ ଜଣଙ୍କ ପ୍ରବେଶ କରିବାରୁ ବେଶ ଓ ନୀତି ମାରା ହୋଇଛି ।

ଖବର ମୁତାବକ, ଲିଙ୍ଗରାଜଙ୍କ ଭୋଗମଣ୍ଡପ ସରି ସାହାଣମେଲା ଦର୍ଶନ ଚାଲିଥିବା ସମୟରେ ମହାସୁଆର ସେବାୟତଙ୍କ ଦ୍ବାରା ବଲ୍ଲଭ, ସନ୍ଧ୍ୟାଧୂପ, ଠାକୁରାଣୀଙ୍କ ସନ୍ଧ୍ୟାଧୂପ ଓ ଟେରାଫିଟା ଓ ବଡ଼ସିଂହାର ପାଇଁ ପ୍ରସ୍ତୁତ କାକରା, ସୋଦୁଅ ଓ ଦହିପଖାଳ ଆଦି ପ୍ରସ୍ତୁତ ହୋଇଥିଲା । ହେଲେ ଏହି ସମୟରେ ଜାପାନ ନାଗରିକ ମନ୍ଦିର ଭିତରେ ପଶିଯାଇଥିଲେ । ଏହା ପରେ ପୁଣି ଥରେ ମନ୍ଦିର ବେଢ଼ାରେ ସମସ୍ତ ଦେବଦେବୀଙ୍କ ଉଦ୍ଦେଶ୍ୟରେ ଧୋପଖାଳ ତଥା ଚୂନପାଣିରେ ସିଞ୍ଚନ କରାଯାଇ ମହାସ୍ନାନ ଓ ରୋଷ ହୋମ କରାଯାଇ ଦିଅଁଙ୍କ ଅନ୍ୟାନ୍ୟ ନୀତି ହୋଇଥିଲା ।

ତେବେ ସିଂହଦ୍ବାର ସାମ୍ନାରେ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ କର୍ମଚାରୀଙ୍କ ଦାୟିତ୍ବହୀନ କାର୍ଯ୍ୟ ଓ ମନ୍ଦିର ପ୍ରଶାସନ ଢିଲାପଣ ଯୋଗୁଁ ଦିଅଁଙ୍କ ବେଶ ଓ ନୀତି ମାରା ହେଉଥିବା ନେଇ ଅଭିଯୋଗ କରିଛନ୍ତି ସେବାୟତ ନିଯୋଗ ସମ୍ପାଦକ ବିରଞ୍ଚିନାରାୟଣ ପତି । ଏହା ବ୍ୟତୀତ ପୋଲିସ ସୁରକ୍ଷା ସତ୍ତ୍ବେ ଏପରି କିପରି ଘଟିଲା ସେନେଇ ସବୁ ମହଲରେ ଏହି ଘଟଣାକୁ ନିନ୍ଦା କରାଯାଇଛି ।

Leave A Reply

Your email address will not be published.