Latest Odisha News

BREAKING NEWS

ଏବେ ସ୍ୱାଭାବିକ ଭାବେ ଚାଲିଛି ଓଡ଼ିଶା ବିଧାନସଭା

ଭୁବନେଶ୍ୱର: ଗତ ଚାରିଦିନ ଧରି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ହଟ୍ଟଗୋଳ ମଧ୍ୟରେ ବିତିଥିବା ବେଳେ ଶନିବାର ଗୃହ ସ୍ୱାଭାବିକ ଭାବେ ଚାଲିଥିବା ସୂଚନା ମିଳିଛି ।

ଶନିବାର ଦିନ ଗୃହରେ ବିରୋଧି ଦଳଙ୍କ ସମେତ ଶାସକ ଦଳର ସଦସ୍ୟମାନେ ପ୍ରଶ୍ନକାଳରେ କିମ୍ବା ମୁଲତବି ପ୍ରସ୍ତାବ ଏପରିକି ଶୂନ୍ୟକାଳରେ ମଧ୍ୟ ଗୃହକାର୍ଯ୍ୟରେ କୌଣସି ଅସୁବିଧା ସୃଷ୍ଟି କରିନଥିବାର ଦେଖାଯାଇଥିଲା ।

ଆଜି ଗୃହର ପ୍ରଶ୍ନକାଳ ଅଧିବେଶନରେ, ରାଜ୍ୟରେ ହୋଟେଲ୍ ଶିଳ୍ପର ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ ।

ବିରୋଧୀ ଦଳର ନେତା ନରସିଂହ ମିଶ୍ର, କଂଗ୍ରେସ ସଦସ୍ୟ ନବକିଶୋର ଦାସ ଏବଂ ବିଜେପି ବିଧାୟକ ଦଳର ନେତା କେ ଭି ସିଂହଦେଓଙ୍କ ପ୍ରଶ୍ନର ଉତ୍ତରରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉତ୍ତର ରଖିଥିଲେ । ମନ୍ତ୍ରୀ ତାଙ୍କର ଉତ୍ତରରେ କହିଥିଲେ, ରାଜ୍ୟରେ ହୋଟେଲ ଶିଳ୍ପର ବିକାଶ ଲାଗି ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ୩୬ଟି ହୋଟେଲ ଉଦ୍ୟୋଗକୁ ସେମାନଙ୍କର ଯୋଜନା କାର୍ଯ୍ୟକାରୀ କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ଇ-ଅକ୍ସନ ମାଧ୍ୟମରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ) ଇତିମଧ୍ୟରେ ୫ଟି ହୋଟେଲ ଶିଳ୍ପକୁ ଜମି ଆବଣ୍ଟନ କରିସାରିଛନ୍ତି । ଏହାଛଡ଼ା, ଇଡ଼କୋ ମଧ୍ୟ ୭୭ଟି ହୋଟେଲ ଉଦ୍ୟୋଗକୁ ଜମି ଆବଣ୍ଟନ କରିସାରିଛି । ତେବେ ୧୭ଟି ହୋଟେଲ ଶିଳ୍ପ ସେମାନଙ୍କର ଯୋଜନା ଆରମ୍ଭ କରିପାରି ନାହାନ୍ତି, ଇଡ଼କୋ ପକ୍ଷରୁ ସେମାନଙ୍କୁ ନୋଟିସ ଜାରି କରାଯାଇଛି ।

ଏସମ୍ପର୍କରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ମଧ୍ୟ ଗୃହକୁ ସୂଚନାଦେଇ କହିଛନ୍ତି, ରାଜ୍ୟ ସରକାର ଓଡ଼ିଶାରେ କେତେକ ତୀର୍ଥସ୍ଥଳୀର ବିକାଶ ଲାଗି ଏକ ଡ଼ିଟେଲ୍ ପ୍ରୋଜେକ୍ଟ ରିପୋର୍ଟ (ଡ଼ିପିଆର) କେନ୍ଦ୍ରକୁ ପ୍ରଦାନ କରିଛନ୍ତି । ଯେଉଁ ତୀର୍ଥସ୍ଥଳୀ ଗୁଡ଼ିକୁ ‘ସ୍ୱଦେଶ ଦର୍ଶନ’ ଯୋଜନାରେ ଅନ୍ତଭୃକ୍ତ କରିବାକୁ କେନ୍ଦ୍ରକୁ ଅନୁରୋଧ କରାଯାଇଛି ସେଥିମଧ୍ୟରେ ରହିଛି – କେନ୍ଦ୍ରାପଡ଼ାସ୍ଥିତ ଶ୍ରୀବଳଦେବ ଜୀଉ ମନ୍ଦିର, ଯାଜପୁରର ବିରଜା ମନ୍ଦିର, ଭଦ୍ରକର କାଳୀ ମନ୍ଦିର ପ୍ରଭୃତି । ତେବେ କେନ୍ଦ୍ରର ମଞ୍ଜୁରୀ ଅପେକ୍ଷାରେ ଏହା ରହିଛି ।

ଗୃହର ପ୍ରଶ୍ନକାଳ ପରେ, ଶୂନ୍ୟକାଳ ମଧ୍ୟ ସ୍ୱାଭାବିକ ରୂପେ ଆଜି ଚାଲିଥିବାର ଦେଖାଯାଇଥିଲା ।

ଶନିବାର ଦିନ ଗୃହର ଶୂନ୍ୟକାଳରେ କୋଣାର୍କ ସୂର୍ଯ୍ୟମନ୍ଦିରର ରକ୍ଷଣାବେକ୍ଷଣ ସମ୍ପର୍କୀତ ପ୍ରଶ୍ନ ଉତଥାପନ ହୋଇଥିଲା । ବିରୋଧି ଦଳ ନେତା ନରସିଂହ ମିଶ୍ର କହିଥିଲେ ସୂର୍ଯ୍ୟ ମନ୍ଦିରର ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ କରିବାରେ କେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେ ସଂସ୍ଥା (ଏଏସଆଇ) ପକ୍ଷରୁ ପୁରାତନ ପଥର ବାଲି ନିଷ୍କାସନ ପ୍ରକିୟା କାର୍ଯ୍ୟକାରୀ ନହେଉଥିବା ସମ୍ପର୍କରେ କେନ୍ଦ୍ର ସରକାରଙ୍କଠାରୁ ସ୍ପଷ୍ଟିକରଣ ଅଣାଯିବା ଉଚିତ ବୋଲି ବିରୋଧିଦଳ ନେତା ନରସିଂହ ମିଶ୍ର କହିଥିଲେ । ଏସମ୍ପର୍କରେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ମଧ୍ୟ ସମାଲୋଚନା କରିଥିଲେ ।

ଶ୍ରୀଯୁକ୍ତ ମିଶ୍ରଙ୍କ ଏହି ବକ୍ତବ୍ୟକୁ ନୋଟ କରିବା ସହିତ ବାଚସ୍ପତି ପ୍ରଦୀପ କୁମାର ଅମାତ ଏହି ଘଟଣା ପ୍ରତି ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କ ବ୍ୟତୀତ ବିଜେପି ବିଧାୟକ ଦଳ ନେତା କେ ଭି ସିଂହଦେଓ ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା କରିବା ନେଇ ‘ପଶ୍ଚିମ ଓଡ଼ିଶା ଆଇନଜୀବୀ ସଂଘ’ ପକ୍ଷରୁ ହେଉଥିବା ଦାବି ସମ୍ପର୍କରେ ପ୍ରଶ୍ନ ଉପସ୍ଥାପନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଯଶୱନ୍ତ ସିଂହ କମିଟିର ରିପୋର୍ଟ ରାଜ୍ୟ ସରକାର ଗୃହରେ ଉପସ୍ଥାପନ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.