Latest Odisha News

BREAKING NEWS

ଉତ୍ତର କୋରିଆରେ କରୋନାର ସୁନାମୀ: ଦୈନିକ ୨ ଲକ୍ଷ ପଜିଟିଭ୍

ଲଗାତାର ପଞ୍ଚମ ଦିନରେ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: କରୋନା କାୟା ଭିତରେ କଲବଲ ହେଉଛି ଉତ୍ତର କୋରିଆ । ସାଂଘାତିକ ସ୍ଥିତି । ଭୟଙ୍କର ଭାବରେ ମାଡୁଛି କରୋନା । ଦୈନିକ ବାହାରୁଛନ୍ତି ୨ଲକ୍ଷ ପଜିଟିଭ୍ । ଗତ ୨୪ ଘଣ୍ଟାରେ ୨ଲକ୍ଷ ୧୯ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କ ପାଖରେ କରୋନା ଲକ୍ଷଣ ରହିଛି । ଲଗାତାର ପଞ୍ଚମ ଦିନ ପାଇଁ ଦୈନିକ କେସ୍ ୨ଲକ୍ଷ ପହଞ୍ଚିଛି ।

ଏଯାଏ ଉତ୍ତର କୋରିଆରେ ୨୨ଲକ୍ଷରୁ ୪୧ ହଜାରରୁ ଅଧିକ କରୋନା କେସ୍ ବାହାରିଲାଣି । ବହୁ ଆକ୍ରାନ୍ତଙ୍କ ପାଖରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି । ହୋମ୍ କ୍ୱାରେଣ୍ଟିନରେ ଅଛନ୍ତି ୭ ଲକ୍ଷ ୪୦ ହଜାର ସଂକ୍ରମିତ ।

କରୋନା ମୁକାବିଲା ପାଇଁ ଦେଶରେ ଟିକା ନାହିଁ । ଏପରିକି କୋଭିଡ୍ ଟେଷ୍ଟ ପାଇଁ ବି ଆବଶ୍ୟକ କିଟ୍‌ ଓ ଚିକିତ୍ସା ସାମଗ୍ରୀ ଉପଲବ୍ଧ ନାହିଁ । ପାରମ୍ପରିକ ଔଷଧରେ ଚିକିତ୍ସା ଚାଲିଛି । ଗରମ ମୃଦୁ ପାନୀୟ, ଲୁଣପାଣି, ପେନ୍ କିଲର ଓ ଆଣ୍ଟିବାୟୋଟିକର ବ୍ୟବହାର ପାଇଁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଉଛି ।

ବାହାରୁ ଔଷଧ ଆଣିବାକୁ ମନା କରିଦେଇଛି ସରକାର । ସପ୍ତାହ ପୂର୍ବରୁ ଦେଶରେ କରୋନା ମାମଲା ଚିହ୍ନଟ ହୋଇଥିବା ଘୋଷଣା କରିଥିଲା ଉତ୍ତର କୋରିଆ । ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨ ଲକ୍ଷ ଟପିଗଲା । ମୁକାବିଲା ପାଇଁ କେବଳ ଲକଡାଉନ୍ ହୋଇଛି ସାରା ଦେଶ । ଏପରିକି କୌଣସି ବ୍ୟକ୍ତଙ୍କୁ ଭ୍ୟାକ୍ସିନ ବି ଦିଆଯାଇନି ।

ପୂର୍ବରୁ ଡବ୍ଲୁଏଚଓ, ଚୀନ୍‌ ଓ ରୁଷ ଟିକାକରଣ ପାଇଁ ଉତ୍ତର କୋରିଆକୁ ଅଫର ଦେଇଥିଲେ ମଧ୍ୟ ଉତ୍ତର କୋରିଆ ଏହାକୁ ଅଗ୍ରାହ୍ୟ କରିଥିଲା । ଏବେ ଉତ୍ତର କୋରିଆକୁ ସହାୟତାର ଅଫର ଦେଇଛି ଆମେରିକା । ତେବେ ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ ଉନ୍ କି ନିଷ୍ପତ୍ତି ନେଉଛନ୍ତି ତାଉପରେ ବି ନଜର ରହିଛି ।

Leave A Reply

Your email address will not be published.