Latest Odisha News

ରାଗରେ ଜଳୁଛି ରୁଷ୍: ଫିନଲାଣ୍ଡକୁ ବନ୍ଦ କଲା ଗ୍ୟାସ୍ ଯୋଗାଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଖୁବଶୀଘ୍ର ନାଟୋରେ ମିଶିବେ ଫିନଲାଣ୍ଡ ଓ ସ୍ୱିଡେନ୍ । ନାଟୋ ସଦସ୍ୟତା ପାଇଁ ସେମାନେ ଆବେଦନ କରିଛନ୍ତି । ଫିନଲାଣ୍ଡ ଓ ସ୍ୱିଡେନ୍ ନାଟୋରେ ମିଶିବାକୁ ନିଷ୍ପତ୍ତି ନେଇଥିବାରୁ ରାଗରେ ତମତମ ହେଉଛି ରୁଷିଆ । ପୂର୍ବରୁ ଚେତାବନୀ ଦେଇ ଥିଲେ ବି ସେମାନେ ଡରି ନାହାନ୍ତି । ଏବେ ଫିନଲାଣ୍ଡ ଉପରେ ରାଗ ସୁଝାଉଛି ରୁଷ୍ । ପ୍ରଥମେ ବିଦ୍ୟୁତ ଯୋଗାଣ ବନ୍ଦ କରିଥିଲା । ଏବେ ଗ୍ୟାସ୍ ଯୋଗାଣ ବନ୍ଦ କରିଦେଇଛି । ଫିନଲାଣ୍ଡ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି ।

ୟୁକ୍ରେନ୍ ସହ ଯୁଦ୍ଧ ପରେ ବହୁ ୟୁରୋପୀୟ ଦେଶକୁ ଗ୍ୟାସ ଯୋଗାଣ ବନ୍ଦ କରିଛି ରୁଷିଆ । ଏବେ ନାଟୋରେ ଫିନଲାଣ୍ଡ ସାମିଲ ହେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରତିଶୋଧ ପରାୟଣ ହୋଇ ଫିନଲାଣ୍ଡ ଉପରେ ଆକ୍ସନ ନେଉଛି ରୁଷ୍ । ସେପଟେ ଫିନଲାଣ୍ଡ କର୍ତ୍ତୃପକ୍ଷ କହିଛନ୍ତି, ରୁଷିଆ ଗ୍ୟାସ୍ ଯୋଗାଣ ବନ୍ଦ କଲେ ବି ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ।

ପୂର୍ବରୁ ଫିନଲାଣ୍ଡକୁ ନାଲିଆଖି ଦେଖାଇଥିଲେ ପୁଟିନ୍ । ନାଟୋରେ ମିଶିଲେ ଭୁଲ୍ ହେବ ବୋଲି କହିଥିଲେ । ତଥାପି ଫିନଲାଣ୍ଡ ନିଷ୍ପତ୍ତିକୁ ପଛକୁ ଓହରି ନଥିଲା । ଏହାରି ଭିତରେ ଫିନଲାଣ୍ଡ ରାଷ୍ଟ୍ରପତିଙ୍କୁ ଭେଟି ଆଲୋଚନା କରିବା ସହ ନାଟୋରେ ସାମିଲ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଓ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.