ନୂଆଦିଲ୍ଲୀ: ବିଶ୍ବରେ ଥିବା ସମସ୍ତ ଦେଶ ମଧ୍ୟରେ କିଛି ଏମିତି ଗୋଷ୍ଠୀ ବା ସମ୍ପ୍ରଦାୟ ରହିଛନ୍ତି ଯେଉଁମାନେ ନିଜର ଦେଶ କିମ୍ବା ଅଲଗା ସାମ୍ରାଜ୍ୟ ଗଠନ କରିବାକୁ ଚାହାନ୍ତି । ଯାହା ଦ୍ବାରା ଦେଶ ମଧ୍ୟରେ ହିଁ ଆଭ୍ୟନ୍ତରୀଣ କଳହ ଲାଗିରହିଥାଏ । ଦେଶରେ ଥିବା ସରକାରଙ୍କୁ ବିରୋଧ କରି ସେମାନେ ନିଜର ଭିନ୍ନ ଏବଂ ସ୍ବାଧୀନ ସାମ୍ରାଜ୍ୟ ଗଠନ କରିବାକୁ ଚାହାନ୍ତି । ଯେମିତି ଭାରତରୁ ପାକିସ୍ତାନ, ଆଉ ପାକିସ୍ତାନରୁ ବାଂଲାଦେଶର ସୃଷ୍ଟି । ସେମିତି ଏବେ ପୁଣି ପାକିସ୍ତାନ ଭାଙ୍ଗିବା ନେଇ ବଡ ଆଶଙ୍କା ସୃଷ୍ଟି ହୋଇଛି, ତାହାର କାରଣ ହେଉଛି ବଲୁଚିସ୍ତାନ। ସମ୍ପ୍ରତି, ବଲୁଚିସ୍ତାନ ନେତା ମୀର ୟାର ବାଲୁଚିସ୍ତାନକୁ ପାକିସ୍ତାନଠାରୁ ସ୍ୱାଧୀନତା ଘୋଷଣା କରିଥିଲେ । ଏବେ ବଲୁଚିସ୍ତାନ ଲଢ଼ୁଆମାନେ ସେମାନଙ୍କ ଅଞ୍ଚଳର ସ୍ୱାୟତ୍ତତା ପାଇଁ ପାକିସ୍ତାନ ସରକାର ଏବଂ ଏହାର ସେନା ସହିତ କର ବା ମର ଲଢ଼େଇ ଲଢ଼ୁଛନ୍ତି । ଯାହାକୁ ନେଇ ଏବେ ପାକିସ୍ତାନ ଭିତରେ ହିଁ ଉତ୍ତେଜନା ଲାଗିରହିଛି । ପ୍ରତିଦିନ ପାକିସ୍ତାନ ସେନାର କନଭୟ ଉପରେ ଆକ୍ରମଣ ହେଉଛି ଏବଂ ଅନେକ ପାକିସ୍ତାନୀ ସୈନିକ ପ୍ରାଣ ହରାଉଛନ୍ତି ।
ତେବେ ବଲୁଚିସ୍ତାନକୁ ପାକିସ୍ତାନରୁ ଏକ ପୃଥକ ଦେଶ ଘୋଷଣା କରିବା ସଂଘର୍ଷ ଦଶନ୍ଧି ପୁରୁଣା । କିନ୍ତୁ କ’ଣ ଆପଣ ଜାଣନ୍ତି ଖାଲି ବଲୁଚିସ୍ତାନ ନୁହେଁ, ଆମ ବିଶ୍ୱର ଏମିତି ଅନେକ ସଂଗଠନ ରହିଛନ୍ତି, ଯେଉଁମାନେ ଦୀର୍ଘ ସମୟ ଧରି ସେମାନଙ୍କର ସ୍ୱାଧୀନତା ପାଇଁ ନିଜ ଦେଶ ସହ ଲଢ଼ୁଛନ୍ତି ଏବଂ ଏକ ପୃଥକ ଦେଶ ଦାବି କରୁଛନ୍ତି । ଆସନ୍ତୁ ଜାଣିବା କେଉଁ ଦେଶରେ ସଂଗଠନଗୁଡ଼ିକ ଏକ ପୃଥକ ଦେଶ ଦାବି ପାଇଁ ଆନ୍ଦୋଳନ କରୁଛନ୍ତି ।
ତେବେ ଏହାର ପ୍ରଥମରେ ଆସିବ ସିନ୍ଧ ପ୍ରଦେଶ । ପାକିସ୍ତାନରେ, କେବଳ ବଲୁଚିସ୍ତାନ ନୁହେଁ, ବରଂ ଏଠାକାର ସିନ୍ଧ ପ୍ରଦେଶ ମଧ୍ୟ ବିଦ୍ରୋହର ସ୍ୱର ଉଠାଇବା ଆରମ୍ଭ କରିଛି । ସିନ୍ଧ ପ୍ରଦେଶର ଜାତୀୟତାବାଦୀ ଗୋଷ୍ଠୀ ଏବଂ ସାଧାରଣ ଲୋକ ପାକିସ୍ତାନ ସରକାରଙ୍କ ଶାସନରେ ବିରକ୍ତ ହୋଇ ଏକ ପୃଥକ ଦେଶ ଦାବି କରୁଛନ୍ତି । ପ୍ରତିବାଦକାରୀମାନେ ପାକିସ୍ତାନ ସରକାରଙ୍କ ବିରୁଦ୍ଧରେ ମାନବାଧିକାର ଉଲ୍ଲଂଘନର ଗମ୍ଭୀର ଅଭିଯୋଗ ମଧ୍ୟ କରିଛନ୍ତି । ସମ୍ପ୍ରତି, ଏହାର ବିରୋଧରେ ଏକ ବଡ଼ ଗୋଷ୍ଠୀ ରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ କରିଥିଲେ ଏବଂ ସିନ୍ଧକୁ ଏକ ସ୍ବତନ୍ତ୍ର ଦେଶ ଭାବରେ ଦାବି କରିଥିଲେ ।
ସେମିତି ନେପାଳରେ ହିନ୍ଦୁ ରାଷ୍ଟ୍ର ପାଇଁ ଦାବି ବେଶ୍ ତେଜିଛି । ନେପାଳ ଦୀର୍ଘ ସମୟ ଧରି ବିଶ୍ୱର ଏକମାତ୍ର ହିନ୍ଦୁ ରାଷ୍ଟ୍ର ଥିଲା ଏବଂ ଏଠାରେ ରାଜତନ୍ତ୍ର ବ୍ୟବସ୍ଥା ଥିଲା। କିନ୍ତୁ, ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ, ଗଣରାଜ୍ୟ ଦାବି କରି ପ୍ରତିବାଦ କରାଯାଇଥିଲା ଏବଂ ୨୦୦୮ରେ ରାଜତନ୍ତ୍ର ବ୍ୟବସ୍ଥା ଶେଷ ହୋଇଥିଲା । ଏହା ପରେ, ନେପାଳରେ ସମ୍ବିଧାନ ମଧ୍ୟ ପ୍ରଣୟନ ହୋଇଥିଲା। ତଥାପି, ଏହି ଦେଶରେ ପୁଣି ଥରେ ହିନ୍ଦୁ ରାଷ୍ଟ୍ର ପାଇଁ ଦାବି ଉଠିବା ଆରମ୍ଭ ହୋଇଛି। ନେପାଳରେ ରାଜତନ୍ତ୍ରର ସମର୍ଥକମାନେ ସରକାରଙ୍କ ବିରୁଦ୍ଧରେ ନିରନ୍ତର ପ୍ରତିବାଦ କରୁଛନ୍ତି ଏବଂ ପୁଣି ଥରେ ରାଜତନ୍ତ୍ର ବ୍ୟବସ୍ଥା ଦାବି କରୁଛନ୍ତି। ଏହି ଆନ୍ଦୋଳନ ମଧ୍ୟ ହିଂସାତ୍ମକ ରୂପ ନେଉଛି ।
ସେହିପରି ମଧ୍ୟପ୍ରାଚ୍ୟରେ କୁର୍ଦିସ୍ତାନର ଦାବି ଏକ ଦଶନ୍ଧି ପୁରୁଣା ପ୍ରସଙ୍ଗ। ତୁର୍କୀ, ଇରାନ, ସିରିଆ ଏବଂ ଇରାକର ପର୍ବତ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ବାଇଶ ଜଣ କୁର୍ଦିସ୍ତାନ ଜନସଂଖ୍ୟା ଦୀର୍ଘ ସମୟ ଧରି ଏକ ପୃଥକ ରାଷ୍ଟ୍ର କୁର୍ଦିସ୍ତାନ ଦାବି କରିଆସୁଛନ୍ତି ଏବଂ ଏଥିପାଇଁ ଏକ ହିଂସାତ୍ମକ ଆନ୍ଦୋଳନ ମଧ୍ୟ ଚଳାଇଛନ୍ତି । କୁର୍ଦିଷ୍ଟ ଲଢ଼ୁଆମାନେ ତୁର୍କୀ, ଇରାନ ଏବଂ ଇରାକର ସରକାରଙ୍କ ପାଇଁ ମଧ୍ୟ ମୁଣ୍ଡବିନ୍ଧାର କାରଣ ହୋଇଛନ୍ତି । କେବଳ ଇରାନରେ, କୁର୍ଦିଷ୍ଟ ଜନସଂଖ୍ୟା ୮ ନିୟୁତରୁ ୧୨ ନିୟୁତ ମଧ୍ୟରେ ବୋଲି ଆକଳନ କରାଯାଇଛି । ଯାହାକୁ ନେଇ ଏବେ ସେମାନେ ନିଜର ଏକ ସ୍ବତନ୍ତ୍ର ଦେଶ ଦାବି କରିଛି ।
Comments are closed.