Latest Odisha News

ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା, ରାହୁଲଙ୍କ ସ୍ଥାନରେ ଗୌରବ ଗୋଗୋଇ ନେଲେ ନେତୃତ୍ୱ

ନୂଆଦିଲ୍ଲୀ: ଲୋକସଭାରେ ମଙ୍ଗଳବାର ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି। ମଣିପୁର ପ୍ରସଙ୍ଗରେ ମୋଦୀ ସରକାର ବିରୋଧରେ ଇଣ୍ଡିଆ ମେଣ୍ଟର ସାଂସଦମାନେ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ କଂଗ୍ରେସର ବରିଷ୍ଠ ନେତା ଗୌରବ ଗୋଗୋଇ ଚର୍ଚ୍ଚା ଆରମ୍ଭ କରିଛନ୍ତି। ପୂର୍ବରୁ ଏହାର ନେତୃତ୍ୱ ରାହୁଲ ଗାନ୍ଧୀ ନେବେ ବୋଲି ଚର୍ଚ୍ଚା ଚାଲିଥିଲା। କିନ୍ତୁ ଏବେ ଏହାର ନେତୃତ୍ୱ ନେଇଛନ୍ତି ଗୌରବ ଗୋଗୋଇ।

ଗୃହରେ କଂଗ୍ରେସ ନେତା ଗୋଗୋଇ ପ୍ରଶ୍ନ କରିଛନ୍ତି ଯେ “ମଣିପୁରକୁ ସମସ୍ତେ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି କାହିଁକି ଯାଇ ନାହାଁନ୍ତି। ଏହି ପ୍ରସଙ୍ଗ ଉପରେ କହିବାକୁ ତାଙ୍କୁ କାହିଁକି ୮୦ ଦିନ ସମୟ ଲାଗିଲା। ମଣିପୁରରେ ଡବଲ ଇଞ୍ଜନ ସରକାର ବିଫଳ ହେବାରୁ ଆଜି ସେଠାରେ ହିଂସାରେ ୧୫୦ ଲୋକଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୫୦୦୦ ଘର ଜଳିଯାଇଛି। ୬୦ ହଜାରରୁ ଅଧିକ ଲୋକ ରିଲିଫ ଶିବରରେ ଅଛନ୍ତି। ସରକାର କାହିଁକି ଚୁପ ବସିଛନ୍ତି। ମଣିପୁରକୁ ନ୍ୟାୟ ଦେବା ପାଇଁ ଆମେ ଅନାସ୍ଥା ପ୍ରସ୍ତାବ ଆଣିଛୁ, ସଂଖ୍ୟ ପାଇଁ ନୁହେଁ। ଆମେ ମଣିପୁର ପାଇଁ ନ୍ୟାୟ ଚାହୁଁଛୁ। ତେଣୁ ଇଣ୍ଡିଆ ଏହି ପ୍ରସ୍ତାବ ଆଣିଛି।”

ଅନ୍ୟପଟେ ଏହାର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ କହିଛନ୍ତି, “ଆମେ ରାହୁଲଙ୍କୁ ଶୁଣିବାକୁ ଚାହୁଁ। ରାହୁଲଙ୍କ ସ୍ଥାନରେ ଗୌରବ ଗୋଗୋଇ କହିବେ ବୋଲି କାହିଁକି ଘୋଷଣା ହେଲା ?” ସୂଚନା ଥାଉକି ପୂର୍ବରୁ ରାହୁଲ ଗାନ୍ଧୀ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା କରିବେ ବୋଲି କଂଗ୍ରେସ ପକ୍ଷରୁ ଟ୍ୱିଟ୍‌ କରାଯାଇଥିଲା। କିନ୍ତୁ ଗୃହରେ ରାହୁଲ ଗାନ୍ଧୀଙ୍କ ସ୍ଥାନରେ ଗୋଗୋଇ ପ୍ରଥମେ ନେତୃତ୍ୱ ନେଇଥିବାରୁ ବିଜେପି ଏନେଇ ପ୍ରଶ୍ନ କରିଛି। ଉଲ୍ଲେଖଯୋଗ୍ୟ, ୨୬ ଦଳ ବିଶିଷ୍ଟ ବିରୋଧୀ ଇଣ୍ଡିଆ ମେଣ୍ଟ ଗତ ଜୁଲାଇ ୨୬ ତାରିଖରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆ‌ଣିଥିଲେ। ମଣିପୁର ଘଟଣାରେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟିପ୍ପଣୀ ଦାବି କରି ବିରୋଧୀ ସାଂସଦମାନେ ଏହି ନୋଟିସ ଆଣିଥିଲେ।

Comments are closed.