ଶ୍ରୀନଗର: ଗତ ୭ ଡିସେମ୍ବରରୁ ଜମ୍ମୁ-କାଶ୍ମୀରର ଏକ ଗାଁରେ ଅଜଣା ରୋଗ ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏହି ରୋଗ ଯୋଗୁଁ ଏପର୍ଯ୍ୟନ୍ତ ୧୭ ଜଣଙ୍କର ମୃତ୍ୟୁ ହୋଇସାରିଛି। ରାଜୌରୀର ବଡହାଲ ଗାଁରେ ଏହି ରୋଗ ଯୋଗୁଁ ଲୋକେ ଭୟରେ ଆତଙ୍କିତ ହୋଇପଡିଛନ୍ତି। ସମଗ୍ର ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ହେଲେ ପ୍ରଶ୍ନ ଉଠୁଛି ଯେ ଏହା ଏକ ଭାଇରସ ନା ଅନ୍ୟ କିଛି। ବଡ଼ହାଲ ଗାଁରେ ବ୍ୟାପିଥିବା କରୋନା ଭଳି ଏକ ଭାଇରସ କି? ନା ଏହି ସମସ୍ୟାଟି ବିଷାକ୍ତ ଖାଦ୍ୟ ସହିତ ଜଡିତ, ଯାହା ଯୋଗୁଁ ଲୋକେ ମୃତ୍ୟୁବରଣ କରୁଛନ୍ତି?
ସୂଚନା ଅନୁସାରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଲୋକେ ପ୍ରାଣ ହରାଉଛନ୍ତି ବୋଲି ପ୍ରଥମେ କୁହାଯାଉଥିଲା। ମାତ୍ର ଗୁରୁବାର କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହାକୁ ନେଇ ସ୍ପଷ୍ଟ କରିଛନ୍ତି। କାଠୁଆ ସେକ୍ଟରରେ ଏକ ବ୍ରିଜ୍ ଉଦଘାଟନ ଅବସରରେ ସେ କହିଛନ୍ତି, ରଜୌରୀରେ ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟ କୌଣସି ରୋଗ, ଭୂତାଣୁ କିମ୍ବା ବ୍ୟାକ୍ଟେରିଆ ଜନିତ ନୁହେଁ ବରଂ ବିଷାକ୍ତ ଖାଦ୍ୟ ଖାଇ ୧୭ଜଣ ପ୍ରାଣ ହରାଇଛନ୍ତି।
ଗୃହମନ୍ତ୍ରାଳୟ ପକ୍ଷରୁ ଏକ ଟିମ ଗଠନ କରାଯାଇଥିଲା। ଏହି ଟିମ ମୃତ୍ୟୁର କାରଣ ଖୋଜିବା ପାଇଁ ରଜୌରୀରୁ ୨୩୦ ନମୂନା ସଂଗ୍ରହ କରିଛି। ଏହି ନମୂନାକୁ ଲକ୍ଷ୍ନୌ ସ୍ଥିତ ସିଏସଆଇଆର ଲାବ୍ରେ ପରୀକ୍ଷଣ କରାଯାଇଥିଲା। ପ୍ରାଥମିକ ତଦନ୍ତ ଜଣାପଡ଼ିଛି ଯେ, ମୃତ୍ୟୁର କାରଣ ସଂକ୍ରମଣ, ଭୂତାଣୁ କିମ୍ବା ବ୍ୟାକ୍ଟେରିଆ ଜନିତ ନୁହେଁ। ମୃତକଙ୍କ ନମୂନାରେ ବିଷାକ୍ତ ପଦାର୍ଥ ମିଳିଛି। ଏହାର ବର୍ତ୍ତମାନ ତଦନ୍ତ ଚାଲିଛି। ରଜୌରାରେ ମୃତ୍ୟୁ ପାଇଁ କୌଣସି ଷଡ଼ଯନ୍ତ୍ର ହୋଇଥିଲେ, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଡିସେମ୍ବର ୭ରୁ ଜାନୁଆରୀ ୧୯ ତାରିଖ ମଧ୍ୟରେ ରଜୌରୀ ଜିଲ୍ଲାର ବଡହାଲ ଗାଁ ପ୍ରାୟ ୧୭ଜଣଙ୍କ ମୃତ୍ୟୁ ହୋଇଛି ଏମାନଙ୍କ ମଧ୍ୟରେ ୧୩ ଛୋଟ ପିଲା ରହିଛନ୍ତି। ତିନୋଟି ପରିବାରରେ ଏହି ମୃତ୍ୟୁ ହୋଇଥିବାରୁ ସମ୍ପୂର୍ଣ୍ଣ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଗାଁରେ ହେଉଥିବା ବିଭିନ୍ନ ସମାବେଶ ଉପରେ କଟକଣା ଜାରି କରାଯାଇଛି। ୨୦୦ରୁ ଅଧିକ ଲୋକଙ୍କୁ କ୍ବାରେଣ୍ଟାଇନରେ ପଠାଯାଇଛି। ପ୍ରଶାସନ ସ୍ଥିତି ଉପରେ ତୀକ୍ଷଣ ନଦର ରଖିଛି।
Comments are closed.