ବ୍ରହ୍ମପୁର: ଫିଲ୍ମ ଷ୍ଟାଇଲରେ ହତ୍ୟା ବାଇକକୁ ପିଛା କରି ଗଲା ବୋଲେରୋ। ରାସ୍ତା ମଝିରେ ଅଟକାଇ ନିର୍ମମ ହତ୍ୟା। ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ବନ୍ଧାଗୁଡା ହାଇସ୍କୁଲ ନିକଟରେ ହତ୍ୟାକାଣ୍ଡ ଘଟିଛି। ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ପଟ୍ଟନାୟକଙ୍କୁ ନିର୍ମମ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଦୀର୍ଘ ୧୫ ବର୍ଷ ହେଲା ନିଜ ଅପରାଧ ସାମ୍ରାଜ୍ୟ ବିସ୍ତାର କରି ରାଜ କରୁଥିଲେ ଅନନ୍ତ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ୨୫ରୁ ଉର୍ଦ୍ଧ ଅପରାଧିକ ମାମଲା ତାଙ୍କ ନାମରେ ରହିଛି। ଏଥିସହ ଜିଲ୍ଲାର ୧୦ଟି ଥାନା ତାଙ୍କୁ ଖୋଜିବାରେ ବିଫଳ ହୋଇଥିଲା।
ପୋଲିସ୍କୁ ଚକମା ଦେଇ ରାତିର ଅନ୍ଧକାରରେ ସେ ନିଜ କ୍ରାଇମ ନେଟୱର୍କକୁ ଚଳାଉଥିଲେ। ଏହି ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଗତ ରାତିରେ କିଛି ଯୁବକ ବିଚ୍ ରାସ୍ତା ଅତି ନିର୍ମମ ଭାବେ ପିଟି ପିଟି ମାରି ଦେଇଛନ୍ତି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି। ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ପଟ୍ଟନାୟକଙ୍କ ସମେତ ୩ ଜଣ ଗତ ରାତିରେ ଏକ ବାଇକ୍ ଯୋଗେ ଯାଉଥିବା ବେଳେ ପଛରୁ ଏକ ବୋଲେରୋରେ ତାଙ୍କ ପିଛା କରିଥିଲା। କିଛି ସମୟ ପରେ ବୋଲୋରୋଟି ବାଇକ୍ ଆଗରେ ଛିଡ଼ା ହୋଇଥିଲା। ବାଇକ୍ଟି ରହିଯିବାରୁ ବୋଲେରୋରୁ କିଛି ଯୁବକ ଓହ୍ଲାଇ ଅନନ୍ତ ପଟ୍ଟନାୟକଙ୍କୁ ରାସ୍ତାକୁ ଟାଣି ଆଣି ପ୍ରବଳ ମାଡ଼ ମାରିଥିଲେ।
ଶେଷରେ ସେମାନେ ଅନନ୍ତଙ୍କୁ ଘୋଷାଡି ନେଇ ପ୍ରବଳ ପିଟିଥିଲେ। ଫଳରେ ତାଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଆଉ ଘଟଣାସ୍ଥଳରେ ହିଁ ଛଟପଟ ହୋଇ ଅନନ୍ତଙ୍କ ମୃତ୍ୟୁ ହୋଇଥିଲା। ଏହା ଦେଖି ଅନନ୍ତଙ୍କ ସହ ବାଇକ୍ରେ ଥିବା ଦୁଇ ଜଣ ନିଜ ପ୍ରାଣ ବଞ୍ଚାଇବା ପାଇଁ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯାଇଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ସେରଗଡ଼ ମେଡିକାଲକୁ ପଠାଇଥିଲା। ଏଥିସହ ଅନନ୍ତଙ୍କ ଘର ଲୋକଙ୍କୁ ଖବର ଦେଇଥିଲା। ପୋଲିସ ଅନନ୍ତ ସହ ଥିବା ଦୁଇ ଜଣକୁ ଅଟକ ରଖି ଘଟଣା ବିଷୟରେ ଅଧିକ ଖୋଳତାଡ଼ କରୁଛି।
Comments are closed.