ଅନୁଗୁଳ : ଦୀର୍ଘ ୨୦ ଦିନର ଛକାପଞ୍ଝା ପରେ ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା । ଶେଷରେ କୁଖ୍ୟାତ ମଦ ମାଫିଆ ଜୟପ୍ରକାଶକୁ ଗିରଫ କରିଛି ଅବକାରୀ ସ୍କ୍ବାଡ । ସୂଚନା ଯେ, ରାଣୀଗୋଡ଼ା ନାୟକ ସାହିରେ ଥିବା ଏକ ଭଡ଼ାଘରେ ରହି ଜୟପ୍ରକାଶ ନକଲି ମଦ ତିଆରିରେ ବ୍ୟବହୃତ ଠିପି, ଲେବୁଲ ଆଦି କୋଲକାତାରୁ ଆଣି ବିଭିନ୍ନ ଗୁପ୍ତ ଆଡ୍ଡାକୁ ଚାଲାଣ କରୁଥିଲା । ଫେବ୍ରୁଆରୀ ୫ ତାରିଖରେ ଅବକାରୀ ଟିମ୍ ଭଡ଼ାଘରେ ଚଢ଼ାଉ କରିବା ପୂର୍ବରୁ ଫେରାର ହୋଇ ଯାଇଥିଲା ଜୟପ୍ରକାଶ ।
କିଛିଦିନ ତଳେ ଜୟ ପ୍ରକାଶ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲା । ଏହାର ସୁରାକ ପାଇ ଅନୁଗୁଳ ଅବକାରୀ ବିଭାଗ ଏବଂ କଟକ ଫ୍ଲାଇଂ ସ୍କ୍ୱାଡ ଅଧିକାରୀ ଜୟପ୍ରକାଶକୁ ଧରିବା ପାଇଁ ଜାଲ ବିଛାଇଥିଲେ । ଗତ ୨୩ ତାରିଖରେ ହାଇକୋର୍ଟରେ ଜୟପ୍ରକାଶର ଜାମିନ ହେବାର ଥିଲା କିନ୍ତୁ ସିରିଏଲ୍ ପଡ଼ି ନଥିଲା । ଏଣେ ଜୟ ପ୍ରକାଶର ଘର ବିହାରରେ ଛାପା ମାରି ତାର ବାପା-ମାଙ୍କୁ ଅବକାରୀ ଅଧିକାରୀ ଥାନାରେ ଅଟକ ରଖିଥିଲେ । ପୁଅ ସରେଣ୍ଡର କଲେ ଛାଡ଼ିବେ ବୋଲି ଚାପ ପକାଇଥିଲେ ଅବକାରୀ ସ୍କ୍ବାଡ ।
ଆଜି ଅପରାହ୍ନରେ ଜୟପ୍ରକାଶ ତାର ଓକିଲଙ୍କ ସହ କୋର୍ଟ ଭିତରକୁ ପ୍ରବେଶ କରିବା ସମୟରେ ସାଧାବେଶରେ ଛକି ବସିଥିବା ପ୍ରାୟ ୩୦ ଜଣ ଅବକାରୀ ଟିମ୍ କାବୁ କରିବାରେ ସଫଳ ହୋଇଥିଲେ । ବରିଷ୍ଠ ଅଧିକାରୀମାନେ ଜୟପ୍ରକାଶକୁ ଜେରା ପାଇଁ କଟକ ନେଇଛନ୍ତି । ଜେରା ପରେ ଜୟପ୍ରକାଶକୁ କୋର୍ଟ ଚାଲାଣ କରାଯିବ ।
Comments are closed.