Latest Odisha News

BREAKING NEWS

କେବେ ଥମିବ ? ପୁଣି ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ, ଏଥର ବାସୁଦେବପୁରରେ

ବାସୁଦେବପୁର: ଆଇନକାନୁନ୍ ପ୍ରତି ନାହିଁ ମାଂସଲୋଭୀ ସଇତାନ୍‌ଙ୍କ ଭୟ । ପ୍ରତିଦିନ ସାମ୍ନାକୁ ଆସୁଛି ଦୁଷ୍କର୍ମ ଭଳି ଘୃଣ୍ୟ ଘଟଣା । ଶିକାର ସାଜୁଛନ୍ତି ନୀରିହ ନାବାଳିକା । ତଥାପି ଏଭଳି ଜଘନ୍ୟ ଅପରାଧରେ ଲଗାମ ଲଗାଇବାରେ ଫେଲ୍ ମାରିଛି ପୋଲିସ ପ୍ରଶାସନ । ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଜଣେ ନାବାଳିକାଙ୍କ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି ।

ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ନାୟକାଣୀଡିହି ଥାନା ଅଂଚଳର ଘଟଣା । ଜଣେ ୭ ବର୍ଷୀୟ ନାବାଳିକାକୁ ତା ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ ରିପୋର୍ଟ ଅନୁଯାୟୀ ଘରେ କେହି ନଥିବା ସମୟରେ ଅଭିଯୁକ୍ତ ଜଣକ ନାବାଳିକାକୁ ମୋବାଇଲ ଦେଖାଇବାକୁ ଡାକିଥିଲା । ପରେ ଏକ ବନ୍ଦ କୋଠରୀରେ ନାବାଳିକା ସହ ଦୁଷ୍କର୍ମ କରିଥିବା ନେଇ ସୂଚନା ରହିଛି । ନାବାଳିକା ଜଣକ କାନ୍ଦିକାନ୍ଦି ଘରେ ସମସ୍ତ ଘଟଣା ବଖାଣିବା ପରେ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା ।

ତେବେ ମାମଲା ଏତିକିରେ ଥମିନଥିଲା । ପୀଡିତାର ବାପା ଅଭିଯୁକ୍ତକୁ ଏ ସମ୍ଭନ୍ଧରେ ପଚାରିବାରୁ ଅଭିଯୁକ୍ତଙ୍କ ପରିବାର ଲୋକେ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ପୀଡିତାଙ୍କ ପରିବାର ଲୋକେ ନାୟକାଣୀଡିହି ଥାନାରେ ଲିଖିତ ଅଭିଯୋଗ କରିବା ପରେ, ପୋଲିସ ପୋକ୍ସୋ ଧାରା ଅଧିନରେ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ବିନୟ ସେଠୀ ଓ ଦୁଇ ସଂପର୍କୀୟଙ୍କୁ ଗିରଫ କରିଛି । ନାବାଳିକାର ବୟାନ ରେକର୍ଡ ହୋଇଥିଲାବଳେ ଡାକ୍ତରୀ ମାଇନା ମଧ୍ୟ ସରିଛି । ଖୁବଶୀଘ୍ର ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ନେଇ ଥାନାଧିକାରୀ ସୁଶାନ୍ତ ମିଶ୍ର ପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.