Latest Odisha News

ନବ ଦାସଙ୍କ ପରେ ଏବେ କଂଗ୍ରେସ ବିଧାୟକ ଯୋଗେଶ ସିଂହ ଓ ପ୍ରକାଶ ବେହେରା ବିଜେଡ଼ି ମୁହାଁ !

ସୁନ୍ଦରଗଡ଼/ ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଆସନ୍ତା ୨୪ ତାରିଖ ଦିନ ବିଜେଡ଼ି ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ଯୋଜଦାନ କରିବା କଥା ସ୍ୱୀକାର କରିସାରିଛନ୍ତି । ଆଜି ମଧ୍ୟ ସେ କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ତାଙ୍କର ଇସ୍ତଫା ଦେବା ଲାଗି ଜାତୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପତ୍ର ପଠାଇସାରିଛନ୍ତି । ତେବେ ନବ ଦାସଙ୍କ ପଦାଙ୍କ ଅନୁସରଣ କରିବାର ସମ୍ୟକ୍ ସଙ୍କେତ ପ୍ରଦାନ କରିଛନ୍ତି ଅନ୍ୟ ଦୁଇ ଜଣ କଂଗ୍ରେସ ବିଧାୟକ ପ୍ରକାଶ ବେହେରା ଏବଂ ଜୋଗେଶ ସିଂହ । ତେବେ ଏହି ଦୁଇ ବିଧାୟକଙ୍କ ବିଜେଡ଼ିରେ ମିଶିବା ନେଇ କଂଗ୍ରେସ ନେତୃତ୍ୱ ପ୍ରତି ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କଂଗ୍ରେସ ଦଳର ନେତା ତଥା ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ ମଙ୍ଗଳବାର ଦିନ କିଂଝିରିକେଲାଠାରେ ଅନୁଷ୍ଠିତ ଏକ ଦଳୀୟ ସଭା ପରେ ଗଣମାଧ୍ୟମକୁ ତାଙ୍କ ବକ୍ତବ୍ୟରେ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା କରିବା ଏବେ ଚର୍ଚ୍ଚା ଜୋର୍ ଧରିବାରେ ଲାଗିବା ସହିତ ଜିଲ୍ଲା ସମେତ ରାଜ୍ୟ ରାଜନୀତିରେ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି ।

“ଯଦି କୌଣସି ଦଳ ଲଗାତର କ୍ଷମତାରେ ରହୁଛି, ତେବେ ସେହି ଦଳର ମୁଖ୍ୟଙ୍କ ପ୍ରଶଂସାର ଗୁଶଗାନ ଶତମୁଖ ହୋଇଥାଏ । ଜନସାଧାରଣ ସବୁଠୁ ଜନପ୍ରିୟ ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଛନ୍ତି ଏବଂ ତାଙ୍କରି ଦଳ ହିଁ ବିନା ବାଧାବିଘ୍ନରେ ନିର୍ବାଚନ ପରେ ନିର୍ବାଚନ ଜିତି ଆସୁଛି,” ବୋଲି କଂଗ୍ରେସ ବିଧାୟକ ଯୋଗେଶ ସିଂହ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ବିଜେଡ଼ିରେ ମିଶିବା ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ଉତ୍ତରରେ ସୁନ୍ଦରଗଡ଼ ବିଧାୟକ କହିଛନ୍ତି, ସେ ଏବେ କଂଗ୍ରେସ ଦଳରେ ଅଛନ୍ତି । “ଯେହେତୁ ଜନସାଧାରଣ ମୋତେ ଜନପ୍ରତିନିଧି ଭାବେ ନିର୍ବାଚିତ କରିଛନ୍ତି, ତେଣୁ ସେମାନେ ହିଁ ଏସମ୍ପର୍କରେ ଯାହା ନିଷ୍ପତ୍ତି ନେବେ ।”

କଂଗ୍ରେସ ବିଧାୟକ ଯୋଗେଶ ସିଂହ ମଧ୍ୟ ଜାନୁଆରୀ ୨୫ ତାରିଖରେ ରାଜଧାନୀରେ ଅନୁଷ୍ଠିତ ହେବାକୁ ଥିବା ରାହୁଲ ଗାନ୍ଧୀଙ୍କ ସମାବେଶରେ ଯୋଗ ଦେଇ ନପାରନ୍ତି ବୋଲି ସମ୍ଭାବନା ରହିଛି ।

“ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଶେଷ ମୂହୁର୍ତ୍ତରେ ସ୍ଥିର କରାଯାଇଥିଲା । ଏହାର ବହୁ ପୂର୍ବରୁ ମୋ ନିର୍ବାଚନ ମଣ୍ଡଳୀର ଗ୍ରାମୀଣ ଅଞ୍ଚଳରେ ମୁଁ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିରୀକୃତ କରିଥିଲି । ବିଧାନସଭା ପାଖେଇ ଆସୁଥିବା କାରଣରୁ ମୁଁ ସେହି କାର୍ଯ୍ୟକ୍ରମ ବାତିଲ୍ କରି ପାର୍ଟି ଅଧ୍ୟକ୍ଷଙ୍କ ବୈଠକରେ ସାମିଲ ହୋଇ ପାରିବି ନାହିଁ,” ବୋଲି ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ବିଧାୟକ ଯୋଗେଶ ସିଂହ ଏହା ସୂଚନା ଦେଇଛନ୍ତି ।

ରାହୁଲ ଗାନ୍ଧୀଙ୍କ ସମାବେଶରେ ଯୋଗ ନ’ଦେବାରେ ଦଳୀୟ ନେତୃତ୍ୱ ତାଙ୍କର ଏହି ଅନୁପସ୍ଥିତି ପ୍ରତି ଧ୍ୟାନ ଦେବା ନେଇ ପ୍ରଶ୍ନର ଉତ୍ତରରେ ଯୋଗେଶ ସିଂହ କହିଛନ୍ତି, ନିଜ ନିର୍ବାଚନ ମଣ୍ଡଳୀର ଜନସାଧାରଣ ତାଙ୍କ ଲାଗି ସର୍ବସ୍ୱ, କାରଣ ସେମାନେ ମୋତେ ତାଙ୍କର ନେତା ଭାବେ ନିର୍ବାଚିତ କରିଛନ୍ତି । “ମୋ ଲାଗି ମୋ ମାତୃଭୂମି ମୋ ଦଳଠାରୁ ଅଧିକ ମହତ୍ୱପୂର୍ଣ୍ଣ ଅଟେ,” ବୋଲି ଯୋଗେଶ ସିଂହ କହିଛନ୍ତି ।

Comments are closed.