Latest Odisha News

BREAKING NEWS

ବିଧାୟକଙ୍କୁ ଘାରିଲା PSO ଭୟ : ଜୟ ନାରାୟଣଙ୍କ ପରେ ସୌମ୍ୟ ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର: କ୍ଷମତାରେ ଥିବା ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ  ନବ ଦାସଙ୍କୁ ASI ଗୁଳି କରି ହତ୍ୟା କରାଯିବା ଘଟଣା  ନେଇ ସାରା ରାଜ୍ୟରେ ଖାଲି ଚର୍ଚ୍ଚା ନୁହେଁ ଭୟର ବାତାବରଣ ସୃଷ୍ଟି କରିଛି । ବିଶେଷ କରି ଏହି ଘଟଣା ବିଧାୟକମାନଙ୍କ ମନରେ ଛନକା ଭରି ଦେଇଛି । ଜଣେ ଜନ ପ୍ରତିନିଧିଙ୍କର ଅନେକ ସମର୍ଥକ ରହିବେ, ବିଦ୍ରୋହୀ ବି ରହିବେ । ତେବେ ସେମାନଙ୍କୁ ସୁରକ୍ଷା ଦେଉଥିବା ବ୍ୟକ୍ତି ଯଦି ତାଙ୍କର ମୃତ୍ୟୁର କାରଣ ହେବେ ତେବେ ସେମାନେ କାହାକୁ ବିଶ୍ୱାସ କରିବେ ? ଏମିତି ଏକ ପ୍ରଶ୍ନ ଅଧିକାଂଶ ବିଧାୟକଙ୍କୁ ଘାରିଛି । ବିଶେଷକରି ବିଧାୟକମାନେ ନିଜ PSOଙ୍କ ଉପରେ ଭରସା କରିପାରୁ ନାହାନ୍ତି ।

ଗତକାଲି ବିରୋଧି ଦଳ ନେତା ତଥା ବିଧାୟକ ଜୟ ନାରାୟଣ ମିଶ୍ର ତାଙ୍କ PSO ଫେରାଇ ଦେଇଥିଲେ । ଆଜି ଖୋଦ ଶାସକ ଦଳର ବିଧାୟକ ସୌମ୍ୟ ପଟ୍ଟନାୟକ ବି PSOଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ ମନରେ ବି PSOଙ୍କୁ ନେଇ ଛନକା ପଶିଛି । ବାଡ ଯଦି ଫସଲ ଖାଇବ ତେବେ ଭରସା କରିବେ କାହାକୁ ? ସେ ଖୋଲା ଖୋଲି ପ୍ରଶ୍ନ କରିଛନ୍ତି, ତାଙ୍କୁ ବି PSO ମିଳିଛି, ସେ ଯଦି ଗୋପାଳ ଦାସ ପାଲଟିବ ?

ଏମିତି କଥା କହି ସୌମ୍ୟ କେବଳ PSOଙ୍କ ପ୍ରତି ସନ୍ଦେହ ପ୍ରକଟ କରିନାହାନ୍ତି ବରଂ ସରକାରୀ ବ୍ୟବସ୍ଥା ପ୍ରତି ତେରଛା ବାଣ ମାରିଛନ୍ତି । ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀଙ୍କୁ ଗୃହ ବିଭାଗର ଜଣେ ଅଧିକାରୀ ଦିନ ଦ୍ୱିପହରେ ପୁଣି ସମସ୍ତଙ୍କ ସାମ୍ନାରେ ଗୁଳି କରି ହତ୍ୟା କରିବା ଘଟଣା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ଏହା ସରକାରୀ ବ୍ୟବସ୍ଥାର ଏକ ତ୍ରୁଟିକୁ ପଦାରେ ପକାଇଛି ।

ଏହା ପୂର୍ବରୁ ବିରୋଧୀ ଦଳ ନେତା ଜୟ ନାରାୟଣ ମଧ୍ୟ ସମାନ ଅଭିଯୋଗ ଆଣି ପିଏସଓ ଫେରାଇ ଦେଇଥିଲେ ।  ଓଡ଼ିଶା ପୋଲିସ ଉପରେ ବିଶ୍ୱାସ ତୁଟି ଯାଇଛି କହି ସରକାର ଦେଇଥିବା ପିଏସଓ ଫେରାଇ ଦେଇଥିଲେ ଜୟ ନାରାୟଣ । ଏପରିକି  ଆଗକୁ ସେ କୌଣସି ସୁରକ୍ଷା ଓଡ଼ିଶା ପୋଲିସ ଠାରୁ ନେବେ  ନାହିଁ ବୋଲି କହିଛନ୍ତି । କାରଣ ପୋଲିସ ରାଜନୈତିକ ଦଳର କର୍ମୀ ଭାବେ କାମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି ।

ବିରୋଧୀ ଦଳ ନେତାଙ୍କ ଏପରି କଥାର ଜବାବ ଦେଇ  ବିଜେଡି ଉପସଭାପତି ଦେବୀ ମିଶ୍ର କହିଥିଲେ, ଓଡ଼ିଶାରେ ପିଏସଓ ଜଗିବା ପାଇଁ ନୁହେଁ ମୋବାଇଲ୍ ଧରିବା ଓ ବାଟ କଢ଼ାଇବା ଲାଗି ନେଉଛୁ ।  ହେଲେ ଏବେ ଖୋଦ ନିଜ ଦଳର ବିଧାୟକଙ୍କୁ କି ଉତ୍ତର ଦେବେ ଦେବୀ ମିଶ୍ର ତାହା ଦେଖିବାକୁ ଅପେକ୍ଷା ।

Leave A Reply

Your email address will not be published.