Latest Odisha News

BREAKING NEWS

ଅଜିତ ଡୋଭାଲଙ୍କୁ କ’ଣ କହିଲେ ପାକିସ୍ତାନ ଏନଏସଏ?

ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରବଳ ଅଶାନ୍ତି ଦେଖା ଦେଇଛି । ହମଲାର ଜବାବ ଦେବାକୁ ଧମକ ଦେଇଛି ପାକିସ୍ତାନ । ତେବେ ଏହା ମଧ୍ୟରେ ଦୁଇ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଫୋନରେ ଆଲୋଚନା କରିଛନ୍ତି । ଏନେଇ ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ତଥା ବିଦେଶ ମନ୍ତ୍ରୀ ଇସାକ ଡାର ତୁର୍କୀ ଗଣମାଧ୍ୟମରେ ସ୍ପଷ୍ଟ କରିଛନ୍ତି । ନିକଟରେ ପାକିସ୍ତାନ ସେନାର ଗୁଇନ୍ଦା ଏଜେନ୍ସି ଆଇଏସଆଇର ମହାନିର୍ଦ୍ଦେଶକ ଲେଫ୍ଟେନାଣ୍ଟ ଜେନେରାଲ ଅସିମ ମଲ୍ଲିକଙ୍କୁ ଏନଏସଏ ନିଯୁକ୍ତ କରିଥିଲା । ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲଙ୍କ ସହ ସେ ଆଲୋଚନା କରିଛନ୍ତି ।

କ’ଣ କହିଲେ ପାକିସ୍ତାନ ଏନଏସଏ?

ଭାରତର ଏୟାରଷ୍ଟ୍ରାଇକ ପରେ ପାକିସ୍ତାନୀ ଏନଏସଏ ଅସିମ ମଲ୍ଲିକ ଅଜିତ ଡୋଭାଲଙ୍କ ସହ କଥା ହୋଇଛନ୍ତି । ଅସିମ ମଲ୍ଲିକ ଭାରତକୁ କାକୁତି ମିନତୀ କରିଥିବା ଜଣାପଡିଛି । ତେବେ ସେ କାହିଁକି କାକୁତି ମିନତୀ କରିଛନ୍ତି, ସେନେଇ ସ୍ପଷ୍ଟ ସୂଚନା ମିଳିନି । ଲମ୍ବା ସମୟ ଧରି ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ସ୍ତରରେ ବି ଆଲୋଚନା ହୋଇନି । ଆତଙ୍କବାଦ ଓ ଆଲୋଚନା ଏକାଠି ଚାଲି ପାରିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି । ଭାରତ ସରକାର ପାକିସ୍ତାନକୁ ସବୁ ସ୍ତରରେ ବୟକଟ୍ କରିଛନ୍ତି । ତେବେ ଅପରେସନ୍ ସିନ୍ଦୂର ପରେ ପାକିସ୍ତାନର ଏନଏସଏ କଥା ହୋଇ ଭାରତ ଆଗରେ କାକୁତି ମିନତି କରିଥିବା କୁହାଯାଉଛି । କାରଣ ପହଲଗାମ ଆକ୍ରମଣ ପରେ ଭାରତ ଏମିତି ଏହାର କଡା ଜବାବ ଦେବ ସେକଥା ପାକିସ୍ତାନୀ ଆତଙ୍କବାଦୀ କିମ୍ବା ସେନା ଜେନେରାଲ ଭାବି ନଥିଲେ । ତେବେ ଅପରେସନ୍ ସିନ୍ଦୂର ମାଧ୍ୟମରେ କେବଳ ଆତଙ୍କବାଦୀ ଅଡ୍ଡାକୁ ଟାର୍ଗେଟ୍ କରାଯାଇଥିବା ଭାରତ କହିଛି । ଏହାଦ୍ବାରା କ୍ଷତ୍ରିୟ ଅଶାନ୍ତି ବଢାଇବା ଭାରତର ଉଦ୍ଦେଶ୍ୟ ନୁହେଁ ବୋଲି ସ୍ପଷ୍ଟ କରାଯାଇଛି ।

ଶହବାଜ ସରିଫଙ୍କ ଉପରେ ଅସନ୍ତୁଷ୍ଟ ପାକିସ୍ତାନୀ

ଭାରତର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନୀ ଜନତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ଶହବାଜ ସରିଫ । ପାକିସ୍ତାନୀଙ୍କ ବଦଲା ନେବାକୁ କହିଥିଲେ ବି ତାଙ୍କ ମୁହଁରେ ଭୟ ସ୍ପଷ୍ଟ ବାରି ହେଉଥିଲା । ଭାରତ ଉପରେ ଜବାବି ଆକ୍ସନ୍ ପାଇଁ ପାକ୍ ପ୍ରଧାନମନ୍ତ୍ରୀ ଶପଥ ନେଇଥିଲେ । ତେବେ ଏହାକୁ ନେଇ ଖୁସି ନାହାନ୍ତି ପାକିସ୍ତାନୀ ଜନତା । ଶହବାଜ ସରିଫଙ୍କ ଦୁର୍ବଳ ବଡି ଲାଙ୍ଗୁଏଜ୍ ଓ ଆତ୍ମବିଶ୍ବାସର ଅଭାବକୁ ନେଇ ତାଙ୍କୁ ସମାଲୋଚନା କରିଛନ୍ତି । ତାଙ୍କୁ ସୋସିଆଲ୍ ମିଡିଆରେ ଟ୍ରୋଲ କରୁଛନ୍ତି ପାକିସ୍ତାନୀ । ଶହବାଜଙ୍କ ସମ୍ବୋଧନକୁ ନେଇ ପାକିସ୍ତାନରେ ଅସନ୍ତୋଷ ଓ ନିରାଶା ଦେଖିବାକୁ ମିଳିଛି ।

ପାକିସ୍ତାନୀଙ୍କ ଟାର୍ଗେଟରେ ମୁନିର !

ପାକିସ୍ତାନ ଉପରେ ଭାରତର ଏୟାର ଷ୍ଟ୍ରାଇକ୍ ପରେ ସେଠାକାର ଜନତାଙ୍କ ଟାର୍ଗେଟରେ ରହିଛନ୍ତି ସେନା ମୁଖ୍ୟ ଅସିମ ମୁନିର । ପାକ୍ ସେନାର ବିଫଳତା ଉପରେ ବର୍ଷୁଛନ୍ତି ସେଠାକାର ଲୋକେ । ପାକିସ୍ତାନୀଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭାରତ ପାକିସ୍ତାନ ଉପରେ ୨୪ଟି ମିସାଇଲ୍ ଆକ୍ରମଣ କଲା ଓ ସେସବୁ ଟାର୍ଗେଟ୍ ହିଟ୍ କଲା । ତେବେ ପାକିସ୍ତାନର ଡିଫେନ୍ସ ସିଷ୍ଟମ ଗୋଟିଏ ବି ମିସାଇଲକୁ ଇଣ୍ଟରସେପ୍ଟ କରିପାରିଲାନି । ଭାରତ ପାକିସ୍ତାନ ଭିତରେ ଏୟାର ଷ୍ଟ୍ରାଇକ୍ କଲା, ହେଲେ ପାକିସ୍ତାନ ଗୋଟିଏ ବି ମିସାଇଲ୍ ଅଟକାଇ ପାରିଲାନି । ଇରାନ ହଜାରେ ମିସାଇଲ୍ ଇସ୍ରାଏଲ୍ ଉପରେ ପକାଇଲେ ବି ଇସ୍ରାଏଲ୍ ଭିତରେ ଗୋଟିଏ ପଡେ । କାରଣ ଇସ୍ରାଏଲ୍ ସବୁ ମିସାଇଲକୁ ଇଣ୍ଟରସେପଟ କରିପାରେ । ହେଲେ ପାକିସ୍ତାନ ଗୋଟିଏ ବି ମିସାଇଲକୁ ରୋକି ପାରିଲାନି । ଏହାକୁ ନେଇ ପାକିସ୍ତାନୀ ଜନତା ପ୍ରବଳ ରାଗ ଓ ଅସନ୍ତୋଷ ଦେଖାଇଛନ୍ତି ।

Comments are closed.