ଭୁବନେଶ୍ବର: ଶିମିଳିପାଳ ସୀମା ଡେଇଁ ଝାଡଖଣ୍ଡ ପରେ ପଶ୍ଚିମବଙ୍ଗ ଚାଲିଯାଇଥିଲା ମରାଠା ବାଘୁଣୀ ଜିନ୍ନତ । ହେଲେ ଏବେ ତାକୁ ଟ୍ରାଙ୍କୁଲାଇଜ୍ କରି ଆଲିପୁର ଚିଡ଼ିଆଖାନାରେ ରଖାଯାଇଛି । ଅନ୍ୟପଟେ, ଜିନ୍ନତକୁ ଶିମିଳିପାଳ ଫେରାଇବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି ଏନଟିସିଏ ।
ଓଡ଼ିଶା ଚିଫ୍ ୱାଇଲ୍ଡ ୱାର୍ଡେନ ଚିଠି ଲେଖିଥିବା ନେଇ ସୂଚନା ରହିଛି । ବନ୍ୟ ପ୍ରାଣୀ ଆଇନ ଅନୁସାରେ ତୁରନ୍ତ ଜିନତକୁ ଶିମିଳିପାଳ ପଠାଯାଉ ଏବଂ କେଉଁ କାରଣରୁ ବାଘକୁ ଅଲିପୁର ଚିଡିଆଖାନା ନିଆଗଲା ସେନେଇ ମଧ୍ୟ କାରଣ ଦର୍ଶାଯାଉ ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି ।
ସୂଚନାଯୋଗ୍ୟ, ଟ୍ରାଙ୍କୁଲାଇଜ୍ ପରେ ଜିନ୍ନତ କୁ କଡ଼ା ସୁରକ୍ଷା ଭିତରେ ଅଣାଯାଇଥିଲା ଆଲିପୁର ଚିଡ଼ିଆଖାନା । ଏବେ ସେ ଆଲିପୁର ଚିଡ଼ିଆଖାନାର ସ୍ୱତନ୍ତ୍ର ଏନକ୍ଲୋଜରରେ ଥିବା ବେଳେ ସ୍ୱାସ୍ଥ୍ୟ ପରୀକ୍ଷା ସରିବା ପରେ ଶିମିଳିପାଳ ଫେରିବ ।
ଏହା ପୂର୍ବରୁ ବନ୍ୟପ୍ରାଣୀ ପିସିସିଏଫ୍ କହିଥିଲେ, ଏଥର ତାକୁ ଦକ୍ଷିଣ ଶିମିଳିପାଳରେ ପୂର୍ବରୁ ଯମୁନା ପାଇଁ ତିଆରି ହୋଇଥିବା ଏନକ୍ଲୋଜରରେ ରଖାଯିବ। ଦୁଇ ତିନି ସପ୍ତାହ ଗତିବିଧି ଉପରେ ନଜର ରଖାଯାଇ, ସ୍ୱଭାବରେ ସୁଧାର ଆସିବା ପରେ କୋର୍ ଏରିଆରେ ଛଡ଼ାଯିବ। ଆଗାମୀ ଦିନରେ ଜିନ୍ନତ ଯେପରି ଶିମିଳିପାଳ ସୀମା ବାହାରକୁ ନଯିବ, ତା ସୁନିଶ୍ଚିତ କରିବାକୁ ନୂଆ ରଣନୀତି ଆପଣେଇବ ବନ ବିଭାଗ ।
Comments are closed.