Latest Odisha News

BREAKING NEWS

ନୂଆବର୍ଷର ପ୍ରଥମଦିନ: ପୁରୀରେ ଜମିଲା ଶ୍ରଦ୍ଧାଳୁଙ୍କ ଭିଡ଼ !

ଭୁବନେଶ୍ୱର: ନୂଆ ବର୍ଷର ନୂଆ ସକାଳର ପହିଲି ସୂର୍ଯ୍ୟ ଉଦୟ ଆଣିଦେଇଛି ମନରେ ନୂଆ ଆଶା ଓ ନୂଆ ବିଶ୍ୱାସ । ଇଂରାଜୀ ନବବର୍ଷ ୨୦୨୦କୁ ସ୍ୱାଗତ କରିଛି ସାରା ବିଶ୍ୱ। ନୂଆ ବର୍ଷକୁ ନେଇ ସମସ୍ତଙ୍କ ମନରେ ଭାରି ଯାଇଛି ଉତ୍ସାହ ଓ ଉଦ୍ଦୀପନା।

ସାରାରାତି ଜିରୋ ନାଇଟ୍ ସେଲିବ୍ରେସନ୍‌ ପରେ ଆଜି ନୂଆ ବର୍ଷ ପାଳନ ଲାଗି ସବୁଠି ଉତ୍ସବ ମୁଖର ପରିବେଶ।

ବିଶେଷ କରି ନୂଆ ବର୍ଷ ପାଇଁ ପୁରୀ ଶ୍ରୀମନ୍ଦିରରେ ମଧ୍ୟରାତ୍ରରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ରାତି ୧ ଟାରୁ ଶ୍ରୀମନ୍ଦିରର ପହଡ଼ ଖୋଲିବା ପରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ନୂଆବର୍ଷ ପାଇଁ ରାତି ୧.୧୫ ମିନିଟରେ ଶ୍ରୀମନ୍ଦିର ଦ୍ୱାର ଫିଟାଯାଇଥିଲା । ଏହାପରେ ମଙ୍ଗଳ ଆଳତି, ପହିଲି ଭୋଗ ଆଦି ନୀତି ସମ୍ପନ୍ନ ହୋଇଥିଲା। ପରେ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ।

ପୁରୀ ବେଳାଭୂମିରେ ମଧ୍ୟ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲିକ୍ଷିତ ହୋଇଛି ।

ନୂଆବର୍ଷ ଉପଲକ୍ଷେ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥିବା ବେଳେ ଅର୍କକ୍ଷେତ୍ର କୋଣାର୍କ ଓ ଚନ୍ଦ୍ରଭାଗା କୂଳରେ ବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦେଖିବା ପାଇଁ ବେଶ୍ ଭିଡ଼ ପରିଲିକ୍ଷିତ ହୋଇଛି ।

ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ବର୍ଷର ପ୍ରଥମ ଦିନ ଆରମ୍ଭ କରିବା ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ଏହି ଭିଡ଼କୁ ଲକ୍ଷ୍ୟ କରି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Leave A Reply

Your email address will not be published.