ଖଡ଼ିଆଳ: ମୁଣ୍ଡ ଉପରେ ଛାତ ଘର, ଖରା ବରଷା କୁ ନାହିଁ ଡ଼ର । ସରକାରଙ୍କ ଏହି ନାରା ଏବେ ପାଣିର ଗାର ସଦୃଶ । ଆବାସ ଯୋଜନା ହେଉ କିମ୍ବା ବିଜୁ ପକ୍କା ଘର, ଗରିବଙ୍କ ପାଇଁ ଅନେକ କଲ୍ୟାଣ କାରୀ ଯୋଜନା ହୋଇଥିଲେ ମଧ୍ୟ ସ୍ଥାନୀୟ ଜନ ପ୍ରତିନିଧି ତଥା ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଏସବୁ ରୁ ବଞ୍ଚିତ ହୋଇ ଝାଟି ମାଟି କୁଡ଼ିଆରେ ବିପଦ ସଂକୁଳ ଅବସ୍ଥାରେ ବସବାସ କରୁଛନ୍ତି ଅନେକ ହିତାଧିକାରୀ । ଖଡ଼ିଆଳ ବ୍ଲକ ଭୁଲିଆସିକୁଆଁ ଗ୍ରାମ ପଞ୍ଚାୟତରୁ ସାମ୍ନାକୁ ଆସିଛି ଏଭଳି ଏକ ଦୃଶ୍ୟ ।
ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଭୁଲିଆସିକୁଆଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ ମାତ୍ର କୋଡିଏ ମିଟର ଦୂରରେ ଆଜକୁ ଦିର୍ଘ ୩୦ ବର୍ଷ ହେବ ବାସ କରିଆସୁଛନ୍ତି ଗୁରୁବାରୁ ଶବର । ଗୁରୁବାରୁଙ୍କ ପରିବାର କହିଲେ ସ୍ତ୍ରୀ ଓ ଗୋଟିଏ ଝିଅ । ମଜୁରୀ କଲେ ଘରେ ଚୁଲି ଜଳେ ଅନ୍ୟଥା ଭୋକ ଉପାସରେ କଟିଯାଏ ଦିନ । ସରକାରୀ ସହାୟତା କହିଲେ, ମାସକୁ ମାତ୍ର୧୫ କିଲୋ ପିଡ଼ିଏସ ଚାଉଳ । ଗୁରୁବାରୁ ଶବର ଏକ ଭୂମିହୀନ ହୋଇଥିଲେ ହେଁ ଦୀର୍ଘ ବର୍ଷ ହେବ ଯେଉଁ ଜାଗାରେ ରହୁଛନ୍ତି ସେଠିକାର ଖଜଣା ଦେଇ ଆସୁଛନ୍ତି । ଘରର ଅବସ୍ଥା ଏମିତି ଯେକେହି ନଦେଖିଛି ସେବିଶ୍ୱାସ କରିବ ନାହିଁ । ଖରା ଓ ଶୀତରେ ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖି ଜୀବନ ଅତିବାହିତ ହୋଇଯାଏ ସତ ହେଲେ ବର୍ଷା ଋତୁ ରେ ସମସ୍ତେ ଜୀବନ ବ୍ୟାକୁଳରେ ଉଜାଗର ରହିବା କୁ ବାଧ୍ୟ ହୁଅନ୍ତୁ ।
ଏହି ଅଭାବ ଅନଟନ ପାଇଁ ବାରମ୍ବାର ଅନେକ ସରପଞ୍ଚ ଙ୍କ ଠାରୁ ନେଇ ପ୍ରଶାସନ କୁ ଅବଗତ କରିଥିଲେ ହେଁ କୌଣସି ସରପଞ୍ଚ କିମ୍ବା ପ୍ରଶାସନିକ ଅଧିକାରୀ କର୍ଣ୍ଣପାତ କରୁନଥିବା କହିଛନ୍ତି ଗୁରୁବାରୁ । ଏନେଇ ପଚାରିବାରୁ ତଦନ୍ତ କରି ନିୟମ ଅନୁଯାୟୀ ଗୁରୁବାରୁଙ୍କ ପରିବାରକୁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଖଡ଼ିଆଳ ବିଡ଼ିଓ । ତେବେ ଖବର ପ୍ରସାରଣ ପରେ ବିଡ଼ିଓ ଙ୍କ ପ୍ରତିଶୃତି କେତେ ଫଳପ୍ରଦ ହେଉଛି ଓ ଗୁରୁବାରୁ ସରକାରୀ ଘର କେବେ ପାଉଛନ୍ତି ତାହା ଦେଖିବା ବାକି ।
Comments are closed.