Latest Odisha News

BREAKING NEWS

Nuapada By-Election: କେବେ ନାମାଙ୍କନପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ?

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ମଇଦାନ ପ୍ରସ୍ତୁତି। ନୂଆପଡ଼ରେ ହେବ ତ୍ରିମୁଖୀ ଲଢ଼େଇ। ତିନ ଦଳ ୩ ଯୋଦ୍ଧା ପ୍ରସ୍ତୁତ। ତେବେ ଆଜି ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ନେଇ ଚର୍ଚ୍ଚା ଜୋର ଧରିଥିଲା, କିନ୍ତୁ ଆଜି ନାମାଙ୍କନପତ୍ର ଦାଖଲ କରିବେ ନାହିଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଆସନ୍ତା ୧୮ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି।

ପ୍ରାର୍ଥୀ ଭାବେ ଜୟ ଢୋଲକିଆଙ୍କ ନାଁ ଘୋଷଣା କରିଛି ବିଜେପି। ଦିବଙ୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ଗତ ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ମିଶିଥିଲେ ଜୟ। ତେବେ ଶନିବାର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ନାମାଙ୍କନ ଦାଖଲ କରିବେ। ଏଥିପାଇଁ ବିଜେପି ମେଗା ସୋ ଆୟୋଜନ କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ସମେତ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ପଦାଧିକାରୀମାନେ ସାମିଲ ହେବେ।

ସକାଳ ସାଢ଼େ ୧୦ଟାରେ ନୂଆପଡ଼ା ଗୋତମା ଏୟାରଷ୍ଟ୍ରିପରେ ମିଶ୍ରଣ ପର୍ବ ଆୟୋଜିତ ହେବ। ବିଜେଡି ଓ ବିଜେପିର ବହୁ କର୍ମୀ ଓ ନେତାମାନେ ବିଜେପିରେ ସାମିଲ ହେବେ। ଏହାପରେ ବିଶାଳ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜୟ ନାମାଙ୍କନ ଦାଖଲ କରିବେ।

ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆସନ୍ତା ୧୮ରେ ନାମାଙ୍କନପତ୍ର ଦାଖଲ କରିବେ। ଏଥିପାଇଁ ବିଶାଳ ଶୋଭାଯାତ୍ରା ଆୟୋଜନରେ ଲାଗିଛି କଂଗ୍ରେସ। ଆଜି ଶୁଭ ଲଗ୍ନ ଥିବାରୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ଘାସିରାମ ଆରାଧ୍ୟ ଦେବାଦେବୀଙ୍କ ପୂଜାର୍ଚ୍ଚନା କରିଛନ୍ତି। ନାମାଙ୍କନପତ୍ରରେ କେବଳ ଦସ୍ତଖତ କରାଯାଇଛି। ଅପରାହ୍ନ ସୁଦ୍ଧା ନୂଆପଡ଼ା ଉପନିର୍ବାଚନ ପାଇଁ କେହି ଜଣେ ବି ନାମାଙ୍କନପତ୍ର ଦାଖଲ କରିନାହାଁନ୍ତି। ସେହିପରି ବରଗଡ଼ ଜିଲ୍ଲା ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀ କରିଛି ବିଜେଡି।

 

Comments are closed.