Latest Odisha News

BREAKING NEWS

Nuapada Bypoll: ନୂଆପଡ଼ା ଉପନିର୍ବାଚନ: ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ କଡ଼ା ଟକ୍କର

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ଜିଲ୍ଲାରେ ଗାଁ ଠୁ ସହର ଚଲଚଞ୍ଚଳ ହୋଇଛି । ଦିନ ରାତି ଏକ କରି ତିନି ପ୍ରମୁଖ ଦଳ ଜୋରସୋରରେ ପ୍ରଚାର ଚଳାଇଛନ୍ତି । କଂଗ୍ରେସ ପାଞ୍ଚ ନ୍ୟାୟର ନାରା ଦେଇ ମୈଦାନକୁ ଓହ୍ଲାଇଥିବା ବେଳେ ବିଜେଡି ନବୀନ ସରକାରଙ୍କ ବିକାଶ କଥା କହି ପ୍ରଚାର କରୁଛି । ସେହିପରି ଶାସକ ଦଳ ବିଜେପି ଦେଢ ବର୍ଷର ବିକାଶକୁ ନେଇ ମୈଦାନକୁ ଓହ୍ଲାଇଛି ।

କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀନିଜ ସମର୍ଥକଙ୍କ ସହ ଗାଁ ଗାଁ ବୁଲି କଂଗ୍ରେସ କରିଥିବା ବିକାଶ କଥା କହୁଛନ୍ତି । ଛତିଶଗଡର ନାଚ ମାଧ୍ୟମରେ ଲୋକଙ୍କୁ ଏକଜୁଟି କରି କଂଗ୍ରେସକୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ନୂଆପଡାର ବିକାଶ, ଚାଷୀଙ୍କ ବିକାଶ ପାଇଁ ଘାସିରାମ ଚାହୁଁଛନ୍ତି । ତେଣୁ ଚଳିତଥର ଲୋକେ କଂଗ୍ରେସକୁ ହିଁ ଭୋଟ ଦେଇ ବିଜୟୀ କରାଇବେ ବୋଲି ସେ ବିଶ୍ୱାସ କରିଛନ୍ତି ।

ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନିଜ ସମର୍ଥକଙ୍କ ସହ ସୁନାବେଡା ଅଞ୍ଚଳକୁ ଯାଇ ଲୋକଙ୍କ ନିକଟତର ହେବାକୁ ପ୍ରୟାସ ରଖିଛନ୍ତି । ବିଜେଡି ପାଇଁ ନୂଆପଡାର ବିକାଶ ହୋଇଛି । ତେଣୁ ଏଠାରେ ଏକମାତ୍ର ଦଳ ବିଜେଡି ଲୋକଙ୍କ ପସନ୍ଦ ବୋଲି ସ୍ନେହାଙ୍ଗିନୀ କହିଛନ୍ତି । ଲୋକେ ନବୀନ ପଟ୍ଟନାୟକଙ୍କୁ ଭଲ ପାଆନ୍ତି, ତେଣୁ ଏଠାରେ ବହୁ ମାତ୍ରାରେ ଜନସମର୍ଥନ ମିଳୁଛି । ବିଜେଡି ହିଁ ଉପନିର୍ବାଚନରେ ବିଜୟୀ ହେବ ବୋଲି ନେତାମାନେ ମତ ରଖିଛନ୍ତି ।

ବିଜେପି ନେତାମାନେ ମଧ୍ୟ ଗାଁ ଗାଁ ବୁଲି ଡେରା ପକାଇଛନ୍ତି । କେଉଁଠି ମିଶ୍ରଣ ପର୍ବ କରୁଛନ୍ତି ତ ଆଉ କେଉଁଠି ସାମାଜିକ ସଭା କରି ଲୋକଙ୍କୁ ଭୋଟ ମାଗୁଛନ୍ତି । ବିଜେପିର ଡବଲ ଇଞ୍ଜିନ ସରକାରରେ ନୂଆପଡାର ବିକାଶ ଆଗକୁ ଯାଉଛି । ଆଗାମୀ ଦିନରେ ଏହା ଟ୍ରିପଲ ଇଞ୍ଜିନ ହୋଇ ବିକାଶକୁ ଦ୍ରୁତ ଗତିରେ ଆଗକୁ ନେବ । ତେଣୁ ସମସ୍ତେ ଏଠାରେ ବିଜେପିକୁ ସମର୍ଥନ ଦେବେ ବୋଲି ନେତାମାନେ ଯୁକ୍ତି ବାଢିଛନ୍ତି । ରାଜ୍ୟରେ ଥିବା ତିନି ପ୍ରମୁଖ ଦଳ ଭୋଟ ହାତେଇବା ପାଇଁ ଅଣ୍ଟା ଭିଡିଛନ୍ତି । ତେବେ ମତଦାତା କାହାକୁ ସମର୍ଥନ କରିବେ ତାହା ଭୋଟ ଗଣତି ପରେ ହିଁ ଜଣାପଡିବ ।

Comments are closed.