Latest Odisha News

BREAKING NEWS

ଏଟିଏମ ଟଙ୍କା ଗାଡ଼ି ସହ ଫେରାର୍ ମାମଲାରେ ଡ୍ରାଇଭର ସହ ଆଉ ୪ ଜଣ ଗିରଫ

ନୂଆପଡ଼ା: ଏଟିଏମ୍ ଟଙ୍କା ଗାଡ଼ି ନେଇ ଫେରାର୍ ଘଟଣାର ପର୍ଦ୍ଦାଫାସ୍ କରିଛି ଖଡ଼ିଆଳ ପୋଲିସ । ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସହ ଆଉ ୪ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ ୫୫ ଲକ୍ଷ ୭୬ ହଜାର ୬୫୦ ଟଙ୍କା ଜବତ କରାଯାଇଛି । ଲୁଟରେ ବ୍ୟବହୃତ କାର, ଅଟୋରିକ୍ସା, ବାଇକ୍ ସହ ଏକ ବାଇ ସାଇକେଲ୍, ତିନୋଟି ମୋବାଇଲ୍ ଜବତ କରିଛି ପୋଲିସ । ଗତ ୬ ତାରିଖରେ ଏଟିଏମ୍ ଚଙ୍କା ଗାଡ଼ି ନେଇ ଫେରାର୍ ହୋଇ ଯାଇଥିଲେ ଅଭିଯୁକ୍ତ । ଏଟିଏମ୍ ଭ୍ୟାନରେ ୫୭ ଲକ୍ଷ ଟଙ୍କା ଥିଲା ।

ଖଡ଼ିଆଳ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଭର୍ତ୍ତି ATM ଗାଡ଼ିକୁ ଡ୍ରାଇଭର ଜୟରାମ ମାଝୀ (ଲାବୁ), ନିୟୋଜିତ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡଙ୍କୁ ଚକମା ଦେଇ ଫେରାର ହୋଇ ଯାଇଥିଲା । ଏନେଇ ଖଡ଼ିଆଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଛାନଭିନ୍ନ ଆରମ୍ଭ କରିଥିଲା । ବଲାଙ୍ଗିର ଜିଲ୍ଲା ଭରୁଆକାନି ଜଙ୍ଗଲ ନିକଟରୁ ଏଟିଏମ୍ ଟଙ୍କା ଗାଡ଼ିକୁ ଠାବ କରିଥିଲା । ହେଲେ ଉକ୍ତ ଗାଡ଼ିରେ ଟଙ୍କା ନଥିଲା । ପରବର୍ତ୍ତୀ ସମୟରେ ଅଭିଯୁକ୍ତ କନ୍ଦେଇ ଗାଁର ନିଜ ଭଉଣୀ ଘରେ କିଛି ଟଙ୍କା ରଖି କୋମନା ବ୍ଲକ ଛତା ଗାଁ ପତେଲପଡ଼ାକୁ ଯାଇ କିଛି ଟଙ୍କା ରଖି ନିର୍ଭୟରେ ବୁଲୁଥିଲା ।

ନୂଆପଡ଼ା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଖଡ଼ିଆଳ ଏସଡିପିଓ ଓ ନୂଆପଡ଼ା ଏସଡିପିଓଙ୍କ ତତ୍ତ୍ୱାବଧାନରେ ଛାନଭିନ୍ କରିଥିଲେ । ଶେଷରେ କୋମନା ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଡକାୟତି ଟଙ୍କାକୁ ରଖି ଅଭିଯୁକ୍ତକୁ ପ୍ରଶୟ ଦେବା ଅଭିଯୋଗରେ ଅଭିଯୁକ୍ତଙ୍କ ଭିଣୋଇ ଭଉଣୀଙ୍କ ସହ ଅନ୍ୟ ଦୁଇ ସମ୍ପର୍କୀୟକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଏସପି ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.