Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୩୨

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ (ଶ୍ରୀବିଷ୍ଣୁ,)ଙ୍କ ବାହାନ ପକ୍ଷୀରାଜ ଗରୁଡ଼, ଯାହାଙ୍କୁ ଆମେ ଭକ୍ତରାଜ ବୋଲି ବି କହିଥାଉ। କାରଣ ଆମ ପୁରାଣ ଆଦିରେ ଗରୁଡ଼ଙ୍କ ଚିତ୍ର ସହ ପ୍ରାୟ ନାରାୟଣଙ୍କ ଚିତ୍ର ଯୋଡି ହୋଇଥାଏ। କେବଳ ସେତିକି ନୁହେଁ କିଛି ଚିତ୍ରରେ ଗରୁଡ଼ଙ୍କ ଶରୀର ମଣିଷ ଶରୀର ପରି ହୋଇଥାଏ। କିନ୍ତୁ ଗରୁଡ଼ ଛଞ୍ଚlଣ ଜାତୀୟ ଏକ ବୃହତ ପକ୍ଷୀ, ପୁରାଣ ବର୍ଣ୍ଣିତ ଗରୁଡ଼ଙ୍କ ଶରୀର ସୁବର୍ଣ୍ଣ ବର୍ଣ୍ଣ , ଡେଣା ଲାଲ ଓ ମୁଖ ଶ୍ୱେତ ବର୍ଣ୍ଣର ବୋଲି ଦର୍ଶାଯାଇଛି। ଗରୁଡ଼ଙ୍କ ସ୍ତ୍ରୀ ଉନ୍ନତି ଓ ପୁତ୍ର ସମ୍ପତ୍ତି ବୋଲି ପୁରାଣ କହେ। ଉଭୟ ହିନ୍ଦୁ ଓ ବୌଦ୍ଧ ଧର୍ମରେ ଗରୁଡ଼ଙ୍କ ଉପାସନାର ଚିତ୍ର ମିଳେ। ଆସନ୍ତୁ ଆମ ହିନ୍ଦୁ ପୁରାଣ ବର୍ଣ୍ଣିତ ଗରୁଡ଼ଙ୍କୁ ଜାଣିବା। ଋଗବେଦ ଅନୁସାରେ ଗରୁଡ଼ ଜଣେ ପକ୍ଷଯୁକ୍ତ ଦେବତା ଅଟନ୍ତି। ଯଜୁର୍ବେଦ ଅନୁସାରେ ଯାହାକି ଶତପଥ ବ୍ରlହ୍ମଣରେ ବର୍ଣ୍ଣିତ ଗରୁଡ଼ ଜଣେ ପ୍ରଚଣ୍ଡ ଶକ୍ତିଧାରୀ ଜୀବତ୍ମା ପୁନଶ୍ଚ ମହାଭାରତ କହେ ଗରୁଡ଼ ବେଗ ଓ ଗତିର ପ୍ରତୀକ ଏକ ପକ୍ଷୀ।

ଗରୁଡ଼ ତନ୍ତ୍ର, କହେ ଗରୁଡ଼ କେବଳ ପକ୍ଷୀ ନୁହଁନ୍ତି ଏକ ରୂପାନ୍ତରିତ ଜୀବତ୍ମା ମଧ୍ୟ। ଏବେ ଗରୁଡ଼ ଜୀବନ କାହାଣୀ ଜାଣିବା, ମହର୍ଷି କାଶ୍ୟପଙ୍କ ଦୁଇ ପତ୍ନୀ କଦ୍ରୁ ଓ ବିନତା ଉଭୟ ସନ୍ତାନ ଇଛା କରି ସ୍ୱାମୀଙ୍କୁ ବର ମାଗିଲେ। କଦ୍ରୁ ପ୍ରଥମେ ନିଜକୁ ଶକ୍ତିଶାଳୀ କରିବା ପାଇଁ ଏକ ସହସ୍ର ନାଗ ସନ୍ତାନ ଇଛା କଲେ। କିନ୍ତୁ ବିନତା ମାତ୍ର ଦୁଇଟି ଶକ୍ତିଶାଳୀ ସନ୍ତାନ ଇଛା କଲେ, ଉଭୟଙ୍କୁ କାଶ୍ୟପ ବର ପ୍ରଦାନ କରି ଘୋର ତପସ୍ୟାରେ ବସିଗଲେ। କଦ୍ରୁ ପ୍ରଥମେ ୧୦୦୦ ଗୋଟି ଅଣ୍ଡା ପ୍ରସବ କଲେ, ଯେଉଁଥିରୁ ନାଗ ଜନ୍ମ ନେଲେ।

ବିନତା ଦୁଇଟି ଅଣ୍ଡା ପ୍ରସବ କରି ତାର ଯତ୍ନ ନେଲେ। ଅନେକ ଦିନ ପର୍ଯ୍ୟନ୍ତ ସେହି ଅଣ୍ଡାରୁ ସନ୍ତାନ ନବାହାରିବାରୁ ବିନତା ଗୋଟିଏ ଅଣ୍ଡା କୁ ଫଟାଇ ଦେଲେ। ତେଣୁ ସେଥିରୁ ଅର୍ଦ୍ଧ ବିକଶିତ ଅରୁଣ ଜନ୍ମ ନେଲେ। ଯାହାଙ୍କ ଶରୀର ରକ୍ତ ବର୍ଣ୍ଣ ଥିଲା (ସିଂହଦ୍ୱାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭ ଉପରେ ଏହି ଅରୁଣ ଉପଵେଶନ କରିଛନ୍ତି )। ଅନ୍ୟ ଅଣ୍ଡାଟି ସମ୍ପୂର୍ଣ୍ଣ ବିକଶିତ ହୋଇ ସେଥିରୁ ଅତ୍ୟନ୍ତ ଶକ୍ତିଶାଳୀ ଗରୁଡ଼ ଜନ୍ମ ନେଲେ। ନିଜ ସପତୁଣୀ କଦ୍ରୁଙ୍କ ଗର୍ବ ଭାଙ୍ଗିବା ପାଇଁ ମା ବିନତା ଗରୁଡ଼ଙ୍କୁ ସର୍ପ କୂଳ ବିନାଶ କରିବାକୁ ଅନୁରୋଧ କଲେ ଏବଂ ଗରୁଡ଼ ପୁରାଣ ଅନୁସାରେ ଗରୁଡ଼ ସେହିଦିନଠାରୁ ସର୍ପ କୂଳର ଚିର ଶତ୍ରୁ ପାଲଟିଲେ। ସେ ଯାହା ହେଉ ଏକ ପ୍ରଚଣ୍ଡ ଶକ୍ତିର ପ୍ରତୀକ ହିସାବରେ ଗରୁଡ଼ଙ୍କୁ ନେଇ ଆମ ଭାରତୀୟ ସେନାରେ ଗରୁଡ଼ କମାଣ୍ଡୋ ଗଠନ ହୋଇଛି। ଭାରତ ଛଡା, ଇଣ୍ଡୋନେସିଆ, ମଙ୍ଗୋଲିଆ, ମିୟାମର, ନେପାଳ ପ୍ରଭୃତି ଦେଶରେ ଗରୁଡ଼ଙ୍କ ଉପାସନା ଦେଖାଯାଉଛି। ଆଗକୁ ଜାଣିବା ଆହୁରି ଅନେକ ବିଷୟ ଏବେ ଆରାଧନା ସେହି ଭାଗବତର ଅମୁଲ୍ୟ ପଦ ଗାଇବା :-

ମାୟାରେ ମନ ଅଗୋଚରେ
ଭ୍ରମଇ ଅଶେଷ ପ୍ରକାରେ ।
କୃଷ୍ଣ ର ଅଭୟ ଚରଣ
ଅଶେଷ ଦୁଃଖ ନିବାରଣ।
ହରି ଚରଣ ଲାଭ ଅର୍ଥେ
ନାନା ଉପାୟ ଶାସ୍ତ୍ର ଗତେ ।
ଯାହା କହିଲେ ଚକ୍ରଧର
ସେ ଭାଗବତ ଧର୍ମ ସାର।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

 

Leave A Reply

Your email address will not be published.