ନୂଆପଡା: ଫିଙ୍ଗର ପ୍ରିଣ୍ଟ ପାଇଁ ଗୋଟେ ଦିନ । ନେଟୱାର୍କ ଜାମ୍ ହେଲେ ପୁଣି ଆଉଗୋଟେ ଦିନ । ମାଗଣା ଚାଉଳ ଗଣ୍ଡେ ପାଇବାକୁ ଏ ହେଉଛି ଲୋକଙ୍କ ଦୁର୍ଦ୍ଦଶା । ବିକାଶର ନାରା ଭିତରେ ନୂଆପଡା ବୋଡେନ ବ୍ଲକ୍ ଭଇଁସାଦାନୀଲୋକ ଭୋଗୁଛନ୍ତି ଅବ୍ୟବସ୍ଥା । ହୀତାଧିକାରୀଙ୍କ ପାଖରେ ଫିଙ୍ଗରପ୍ରିଣ୍ଟ ନେଇ ଚାଉଳ ଦେଇଦେବା କଥା । ହେଲେ ଗାଁରେ ଇଂଟରନେଟ୍ ନାଇଁ । ତେଣୁ ଯେହେତୁ ଫିଙ୍ଗରପ୍ରିଣ୍ଟ ନଦେଲେ ଚାଉଳ ମିଳିବନି ତେଣୁ ବାଧ୍ୟହୋଇ ୩୦ କିଲୋମିଟର ବାଟ ଚାଲିକି ଯାଉଛନ୍ତି ଲୋକ । ଭଇଁସାଦାନୀରୁ ପାଟଦରା, କୋଇମୁଣ୍ଡା ଓ ଧୋପଘାଟର ପୁରୁଷ, ମହିଳା ଆଉ ବୃଦ୍ଧା ସମସ୍ତେ ଭୋଗୁଛନ୍ତି ସମଦଶା । କିଏ ୧୫ କିଲୋମିଟର ବାଟ ଚାଲିକି ଆସିଲାଣି ତ ୨୦ କିଏ ପୁଣି ୩୦କିଲୋମିଟର ଚାଲିକି ଆସି କାମ ନହୋଇ ଫେରିଯାଉଛି । କାରଣ ପଂଚାୟତ ଅଫିସରେ ପହଂଚିଲା ବେଳକୁ ସେଠାରେ ଲମ୍ବା ଧାଡି । ୮୦୦ ରାସନକାର୍ଡଧାରୀଙ୍କ ମଧ୍ୟରୁ ପ୍ରତିଦିନ ୪୦-୫୦ ଫିଙ୍ଗରପ୍ରିଂଟ ନେଲାବେଳକୁ ବେଳେବେଳ ନେଟୱାର୍କ ଧରୁନି, ପୁଣି ପରଦିନକୁ ରହିଯାଉଛି କାମ । ଏମିତି ଏମିତି କଟୁଛି ଲୋକଙ୍କ ଦିନ ।
ସେତିକିରେ କଥା ସରୁନି, ଫିଙ୍ଗରପ୍ରିଣ୍ଟ ନେଇସାରିବା ପରେ ଟ୍ରାକ୍ଟର ଯୋଗେ କୋଇମୁଣ୍ଡିକୁ ଚାଉଳ ପଠାଯାଉଛି । ସେଠାରେ ଚାଉଳ ବଂଟାଯାଉଛି । କୋଇମୁଣ୍ଡି ଲୋକ ସିନା ଉପକୃତ ହେବେ, ଅନ୍ୟ ଦୂର ଗାଁ ଲୋକ ସେଠାରୁ ପୁଣି ଚାଉଳ ନେବାକୁ ନିଜସ୍ୱ ଖର୍ଚ୍ଚରେ ଟ୍ରାକ୍ଟର ଭଡା କରି ଘରକୁ ନେଉଛନ୍ତି । ଅର୍ଥାତ୍ ମାଗଣାରେ ଚାଉଳ ପାଇବ ବୋଲି ଗରିବ ହିତାଧିକାରୀ ଗଣୁଛି ତଣ୍ଡ । ନା ରାସ୍ତା ସୁବିଧା ନା ନେଟୱାର୍କ ବ୍ୟବସ୍ଥା , ଏସବୁ ସମସ୍ୟା ଭିତରେ ସାଧାରଣ ହିତାଧିକାରୀ ହିଁ କଷ୍ଟ ଭୋଗୁଛି । ଏନେଇ ଜିଲ୍ଲାପାଳଙ୍କୁ ପଚାରିବାରୁ ଖୁବଶୀଘ୍ର ସେ ନେଟୱାର୍କ ସମସ୍ୟା କଥା ବୁଝିବେ ବୋଲି କହିଛନ୍ତି । ସରକାର ଗରିବଙ୍କ ପାଇଁ କରିଥିବା ଯୋଜନାରେ ଅବ୍ୟବସ୍ଥାର ଗନ୍ଧ ବାରି ହୋଇପଡୁଛି । ତୃଣମୂଳ ସ୍ଥରରେ ହୀତାଧିକାରୀ ହିଁ ହଇରାଣ ହେଉଛି । ଯାହା ଉପରେ ଦୃଷ୍ଟି ଦେବା ନିହାତି ଜରୁରୀ ।
