ସୁନାବେଡା ଅଭୟାରଣ୍ୟରେ ସୁନାଦେଇଙ୍କ ପ୍ରସିଦ୍ଧ ଛତର ଯାତ୍ରା
ପାହାଡ ଶିଖରରେ ଆସ୍ଥାର ମିଳନ, ଜଙ୍ଗଲରେ ଭକ୍ତି ଓ ବିଶ୍ୱାସର ପରମ୍ପରା
ସୁନାବେଡା: ବଦଳୁଥିବା ସମୟ ସହ ତାଳ ଦେଇ ଆଗକୁ ବଢିଲେ ବି ଆମ ପରମ୍ପରା ଓ ବିଶ୍ୱାସ ଆଜିବି ସତେଜ ଆଉ ଦୃଢ । ନହେଲେ ପ୍ରତିବର୍ଷ ପାହାଡ ପର୍ବତ ଘେରା ଦୁର୍ଗମ ନୂଆପଡା ଜିଲ୍ଲାର ପ୍ରସିଦ୍ଧ ସୁନାବେଡା ଜଙ୍ଗଲକୁ ଛୁଟିଆସନ୍ତେନି ହଜାର ହଜାର ଶ୍ରଦ୍ଧାଳୁ । ଏଠାରେ ବସବାସ କରୁଥିବା ଆଦିମ ଜନଜାତି ଚକୋଟିଆ ଭୁଂଜିଆଙ୍କ ଆରାଧ୍ୟ ଦେବୀ ମା ସୁନାଦେଇଙ୍କ ପୀଠରେ ପରମ୍ପରା ଓ ରୀତିନୀତିରେ ସମ୍ପନ୍ନ ହୋଇଛି ବାର୍ଷିକ ଛତର ଯାତ୍ରା । ଘଂଟଘଂଟା ଶବ୍ଦରେ ପ୍ରକମ୍ପତି ପରିବେଶ, ଆଉ ବଳି ପରମ୍ପରା । ଯାହାକୁ ଦେଖିବାକୁ ହଜାର ହଜାର ଭକ୍ତଙ୍କ ସମାଗମ । ଭକ୍ତି, ବିଶ୍ୱାସର ସଂଗମସ୍ଥଳ ସାଜିଥିବା ମା ସୁନାଦେଇ ଏହି ଆଦିମ ଜନଜାତିଙ୍କର ଦେବୀ ନୁହନ୍ତି, ବରଂ ଆଶା, ଭରସା ଓ ସୁରକ୍ଷାର ପ୍ରତୀକ । ବର୍ଷରେ ୨ଥର ମାଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ଭିଡ ଜମେ । ଚୈତ୍ର ପର୍ବ ଓ ଆଶ୍ୱିନରେ ଛତର ଯାତ୍ରା ।
ସୁନାଦେଇଙ୍କ ପୀଠରେ ଏ ଯାତ୍ରା ଆଦିବାସୀ ପରମ୍ପରାର ଏକ ଜୀବନ୍ତ ପରିଚୟ । କେବଳ ପୂଜାପାଠ କି ବଳି ପ୍ରଥା ପାଇଁ ନୁହେଁ ମାନବ ସମାଜର ଦୈନନ୍ଦିନ ଜୀବନଶୈଳୀକୁ ସୁନ୍ଦର ଭାବେ ପ୍ରକାଶ କରେ । ବିଶ୍ୱାସ ରହିଛି ମାଙ୍କ ନିକଟରେ ଛତର ଯାତ୍ରା ସମାପନ ନହେବା ଯାଏ ବିବାହ ବ୍ରତ ଆଦି ଶୁଭକାର୍ଯ୍ୟ କରାଯାଏନାହିଁ । ଏପରିକି ପୂଜା ନସରିବା ଯାଏ ଜଙ୍ଗଲଜାତ ଦ୍ରବ୍ୟ ନଛୁଇଁବା ହେଉଛି ଏମାନଙ୍କ ପରମ୍ପରା । ଏହି ଯାତ୍ରାରେ ମାଙ୍କୁ ଦର୍ଶନ କରିଦେଲେ ସମସ୍ତ ମନସ୍କାମନା ପୂରଣ ହେବାର ବିଶା୍ୱସ ରହିଛି ।

