ନୂଆପଡ଼ା: ଗୁରୁ କେବଳ ଶ୍ରେଣୀ ଗୃହରେ ପାଠ ପଢ଼ାନ୍ତି ନାହିଁ, ବରଂ ସମାଜକୁ ଅଜ୍ଞାନତାର ଅନ୍ଧାରରୁ ଜ୍ଞାନର ଆଲୋକକୁ ନେଇଯାଆନ୍ତି। ଆଜି ଆମେ କହୁଛୁ ଏମିତି ଜଣେ ନିଆରା ଗୁରୁଙ୍କ କଥା, ଯାହାଙ୍କ ପାଖରେ ନା ଅଛି ପଦବୀ, ନା ଅଛି ବେତନ। ହେଲେ ଶିକ୍ଷାଦାନକୁ ବ୍ରତ କରି ଦୀର୍ଘ ବର୍ଷ ଧରି ଗରିବ ଓ ଆଦିବାସୀ ପିଲାଙ୍କ ଜୀବନରେ ଜଳାଇ ଆସୁଛନ୍ତି ଜ୍ଞାନର ଦୀପ।
ଏ ଦୃଶ୍ୟ ହେଉଛି ନୂଆପଡ଼ା ଜିଲ୍ଲା ଡୁଆଝର ଠାରୁ ପ୍ରାୟ ୩ କିଲୋମିଟର ଦୂର ଭୀମାଖୋଲ ଗାଁର। ବଣପାହାଡ଼ ଘେରା ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରତିଦିନ ଦେଖିବାକୁ ମିଳେ ଜଣେ ବୟସ୍କ ଗୁରୁଙ୍କ ନିଆରା ଯାତ୍ରା। ସାଇକେଲରେ ଚଢ଼ି ସକାଳେ ଓ ସନ୍ଧ୍ୟାରେ ପହଞ୍ଚିଯାଆନ୍ତି ଗାଁରେ। ଆଉ ତାଙ୍କୁ ଅପେକ୍ଷା କରିଥାଆନ୍ତି ୨୦ରୁ ୨୫ ଜଣ କୁନି କୁନି ଛାତ୍ରଛାତ୍ରୀ। ହାତରେ ଖାତା, କଲମ… ଆଉ ମନରେ ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ। ଏହି ପିଲାଙ୍କ ସ୍ୱପ୍ନକୁ ଆକାର ଦେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ଡୁଆଝର ଗାଁର ମହେଶ୍ୱର ରାଉତରାଏ। ଦୀର୍ଘ ବର୍ଷ ଧରି ସେ ଗରିବ, ନିଃସହାୟ, ଦଳିତ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଟ୍ୟୁସନ ପଢ଼ାଇ ଆସୁଛନ୍ତି।
ମହେଶ୍ୱରଙ୍କ ଜୀବନରେ ଶିକ୍ଷା ପ୍ରତି ଆଗ୍ରହ ଥିଲା ପିଲାଟି ଦିନରୁ। ସେହି ସମୟରେ ସରକାରୀ ଚାକିରିର ସୁଯୋଗ ମିଳୁଥିଲା, ହେଲେ ମହେଶ୍ୱରଙ୍କ ମନ ଚାକିରି ପଛରେ ନଥିଲା। ତାଙ୍କୁ ଘାରିଥିଲା ଅନ୍ୟମାନଙ୍କୁ ପଢ଼ାଇବାର ନିଶା। ୧୯୬୪ ମସିହାରୁ ଆରମ୍ଭ ହୋଇଥିବା ଏହି ଶିକ୍ଷାଦାନର ଯାତ୍ରା ଆଜି ବି ଅବ୍ୟାହତ। ବୟସ ଜୀବନର ଅପରାହ୍ନରେ ପହଞ୍ଚିଛି। ଶରୀରରେ ପୂର୍ବଭଳି ଶକ୍ତି ନଥାଇପାରେ, କିନ୍ତୁ ପିଲାଙ୍କୁ ପଢ଼ାଇବାର ଇଚ୍ଛା ଆଜି ବି ସେହିପରି ଅଟଳ। ମହେଶ୍ୱରଙ୍କ ପାଠ ପଢ଼ାଇବା ଶୈଳୀରେ ଆକର୍ଷିତ ହୋଇଛନ୍ତି ଭୀମାଖୋଲ ଗାଁର ଛାତ୍ରଛାତ୍ରୀ। ତାଙ୍କ ପାଇଁ ମହେଶ୍ୱର କେବଳ ଜଣେ ଟ୍ୟୁସନ ଶିକ୍ଷକ ନୁହଁନ୍ତି, ସେମାନଙ୍କ ଭବିଷ୍ୟତର ମାର୍ଗଦର୍ଶକ।
ଆଜିର ଦିନରେ ଶିକ୍ଷା ଯେତେବେଳେ ଅନେକଙ୍କ ପାଇଁ ବ୍ୟବସାୟର ମାଧ୍ୟମ ପାଲଟିଛି, ସେତେବେଳେ ମହେଶ୍ୱରଙ୍କ ନିଃସ୍ୱାର୍ଥ ଶିକ୍ଷାଦାନ ସମାଜ ପାଇଁ ଏକ ବଡ଼ ବାର୍ତ୍ତା। ଏହା ଜଣେ ସତ୍ୟ ଗୁରୁଙ୍କ ପରିଚୟ। ଯିଏ ନିଜ ପାଇଁ ନୁହେଁ, ଅନ୍ୟର ଭବିଷ୍ୟତ ପାଇଁ ବଞ୍ଚନ୍ତି। ଗୁରୁ ଦିବସରେ ଏମିତି ଜଣେ ଗୁରୁଙ୍କୁ ଦେଖିବା ନିଶ୍ଚିତ ଭାବରେ ପ୍ରେରଣାଦାୟୀ।


Comments are closed.