Latest Odisha News

BREAKING NEWS

ଭାରତ Vs ପାକିସ୍ତାନ… କାହାର କେତେ ପରମାଣୁ ଶକ୍ତି?

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠୁ ଭାରତର ଜବାବୀ ହମଲା ଭୟରେ ଥରହର ପାକିସ୍ତାନ । କଥା କଥାରେ ଭାରତକୁ ପରମାଣୁ ଧମକ ଦେଉଛନ୍ତି ଦେଶର ରାଜନେତା । ନିକଟରେ ଋଷରେ ଅବସ୍ଥାପିତ ପାକିସ୍ତାନର ରାଷ୍ଟ୍ରଦୂତ ମହମ୍ମଦ ଖାଲିଦ ଜମାଲି ବି ଭାରତକୁ ପରମାଣୁ ଧମକ ଦେଇଛନ୍ତି । ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ ପରେ କିମ୍ବା ସିନ୍ଧୁ ନଦୀ ଜଳ ରୋକେ, ତେବେ ପାକିସ୍ତାନ ପରମାଣୁ ହତିଆରରେ ଏହାର ଜବାବ ଦେବ ବୋଲି ଜମାଲି କହିଛନ୍ତି । ଏହାପୂର୍ବରୁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ମଧ୍ୟ ପରମାଣୁ ଧମକ ଦେଇଥିଲେ । ତେବେ ପ୍ରଶ୍ନ ଉଠୁଛି, ପାକିସ୍ତାନର ପରମାଣୁ ଧମକରେ କେତେ ଦମ୍?

କାହା ପାଖରେ କେତେ ପରମାଣୁ ଅସ୍ତ୍ରଶସ୍ତ୍ର?

ଭାରତ ଓ ପାକିସ୍ତାନ ଉଭୟ ପରମାଣୁ ଶକ୍ତି ସଂପନ୍ନ ଦେଶ ହୋଇଥିବାରୁ ଏମାନେ ମୁହାଁମୁହଁ ହେବା ବିପଜ୍ଜନକ । ସ୍ବିଡେନର ଥିଙ୍କଟ୍ୟାଙ୍କ ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ତଥ୍ୟ ଅନୁସାରେ ଭାରତ ପାଖରେ ୧୭୨ ପରମାଣୁ ଅସ୍ତ୍ରଶସ୍ତ୍ର ରହିଥିବା ବେଳେ ପାକିସ୍ତାନ ପାଖରେ ୧୭୦ଟି ରହିଛି । ଉଭୟ ଦେଶ ସ୍ଥଳ, ଜଳ ଓ ଆକାଶ ପଥରୁ ପରମାଣୁ ଅସ୍ତ୍ରଶସ୍ତ୍ର ଉତକ୍ଷେପଣ କରିବା ନେଇ ଭିତ୍ତିଭୂମି ବିକାଶ କରୁଛନ୍ତି । ତେବେ ରେଞ୍ଜ ଦୃଷ୍ଟିରୁ ଭାରତ ଅଧିକ ସୁବିଧାଜନକ ସ୍ଥିତିରେ ରହିଛି । ଭାରତର ଅଗ୍ନି-୫ କ୍ଷେପଣାସ୍ତ୍ର ୫ହଜାର କିଲୋମିଟରରୁ ୮ହଜାର କିଲୋମିଟର ମଧ୍ୟରେ ଟାର୍ଗେଟ୍ ହିଟ୍ କରିପାରିବ । ଯେବେକି ପାକିସ୍ତାନରେ ବିକଶିତ ହେଉଥିବା ଶାହିନ-୩ କ୍ଷେପଣାସ୍ତ୍ର ସମ୍ଭାବ୍ୟ ଦୂରତା ୨ହଜାର ୭୫୦କିଲୋମିଟର ରହିପାରେ ।

ପାକିସ୍ତାନ ପରମାଣୁ ଅସ୍ତ୍ରରେ କେତେ ଦମ୍?

ପାକିସ୍ତାନ ଟେକ୍ନିକାଲ ନ୍ୟୁକ୍ଲିୟାର ହତିଆର ବା ସାମରିକ ପରମାଣୁ ହତିଆର ଉପରେ ଅଧିକ ଫୋକସ୍ କରୁଛି । ଏସବୁ ହତିଆର ପାରମ୍ପରିକ ପରମାଣୁ ହତିଆରଠାରୁ ଆକାରର ଛୋଟ ହୋଇଥାଏ । ଏସବୁର ବିନାଶ ସୀମା ବି କମ୍ ରହିଥାଏ । ଏହାକୁ ଯୁଦ୍ଧ ମଇଦାନରେ ସୀମିତ କ୍ଷେତ୍ର ଉପରେ କିମ୍ବା ଶତ୍ରୁ ଦେଶର ସେନା ଠିକଣା ନଷ୍ଟ କରିବା ପାଇଁ ଡିଜାଇନ୍ କରାଯାଇଥାଏ । ବଡ଼ ଅଞ୍ଚଳରେ ନରସଂହାର ନୁହେଁ ବରଂ ଏହାର ଲକ୍ଷ୍ୟ ସୀମିତ କ୍ଷେତ୍ରରେ ତ୍ବରିତ ଓ ପ୍ରଭାବଶାଳୀ ଆକ୍ରମଣ । ଗତ କିଛି ବର୍ଷ ଧରି ପାକିସ୍ତାନ ସାମରିକ ପରମାଣୁ ହତିଆର ନିର୍ମାଣ ବଢାଇଥିବା ଅବଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ୍ ରିପୋର୍ଟରେ କୁହାଯାଇଛି । ଭାରତ ପକ୍ଷରୁ ସୀମିତ ଯୁଦ୍ଧ କିମ୍ବା ପାରମ୍ପରିକ ସାମରିକ ଆକ୍ସନ ରୋକିବା ଏହାର ଲକ୍ଷ୍ୟ । ମୋବାଇଲ୍ ଲଞ୍ଚ ପ୍ଲାଟଫର୍ମରୁ ଏହାକୁ ଲଞ୍ଚ କରାଯାଇପାରିବ । ଏହି ପରମାଣୁ ହତିଆର ବ୍ୟବହାର ହେଲେ ଏହାର ପ୍ରଭାବ ୭୦ରୁ ଶହେ କିଲୋମିଟର ପର୍ଯ୍ୟନ୍ତ ପଡିପାରେ ।

ଭାରତର ପରମାଣୁ ଶକ୍ତି

ଭାରତ ପରମାଣୁ ଅସ୍ତ୍ରର ପ୍ରଥମେ ବ୍ୟବହାର ନକରିବା ନୀତି ବଜାୟ ରଖିଛି । ଏହାର ଅର୍ଥ ଭାରତ କେବେବି ପ୍ରଥମେ ପରମାଣୁ ହତିଆରରେ ଆକ୍ରମଣ କରିବନି । ତେବେ ଏହା ଉପରେ ହମଲା ହେଲେ ପରମାଣୁ ହତିଆରରେ ଜବାବ ଦେବ । ନ୍ୟୁକ୍ଲିୟର ଟ୍ରାଏଡ୍ ରଖିଥିବା ବିଶ୍ବର ଅଳ୍ପ କେତେକ ଦେଶ ମଧ୍ୟରେ ଭାରତ ରହିଛି । ପାକିସ୍ତାନ ପାଖରେ ଏହି ଶକ୍ତି ନାହିଁ । ଭାରତ ଉପରେ କୌଣସି ଦେଶ ଆଗ ପରମାଣୁ ହମଲା କଲେ, ସେହି ଦେଶକୁ ଜଳ, ସ୍ଥଳ ଓ ଆକାଶ ପଥରୁ ବିନାଶ କରିବାର ଶକ୍ତି ଭାରତ ପାଖରେ ରହିଛି । ସ୍ଥଳ ଭାଗରେ ଅଗ୍ନି କ୍ଷେପଣାସ୍ତ୍ର ସିରିଜ ରହିଛି ତ ଜଳଭାଗରୁ ଆଇଏନଏସ ଅରିହନ୍ତ ଭଳି ସବମରିନରୁ ପରମାଣୁ ମିସାଇଲ୍ ଉତକ୍ଷେପଣ କରା ଯାଇପାରିବ । ସେହିପରି ଆକାଶମାର୍ଗରୁ ରାଫେଲ, ସୁଖୋଇ-୩୦ ଏମକେଆଇ, ମିରାଜ-୨୦୦୦, ଜାଗୁଆର ଭଳି ଲଢାଖୁ ବିମାନ ପରମାଣୁ ବୋମା ପକାଇବାରେ ସକ୍ଷମ । ଭାରତକୁ ପରମାଣୁ ଧମକର ନାଲିଆଖି ଦେଖାଉଥିବା ପାକିସ୍ତାନ, ବାସ୍ତବରେ ଭାରତର ଜବାବୀ ଆକ୍ସନ ଭୟରେ ରହିଛି ।

Comments are closed.