Latest Odisha News

BREAKING NEWS

କାନ୍ଦି ପକାଇଲେ କରୋନା ଯୋଦ୍ଧା, ବଖାଣିଲେ ଅଭିଜ୍ଞତା

ଭୁବନେଶ୍ୱର: ରାଜ୍ୟର ସର୍ବପ୍ରଥମ କୋଭିଡ୧୯ ପଜିଟିଭ ଚିହ୍ନଟ ହୋଇଥିବା ରୋଗୀଙ୍କୁ ସେବା କରିଥିବା ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ନର୍ସ ସ୍ୱର୍ଣ୍ଣପ୍ରଭା ବଖାଣିଲେ ଅଭିଜ୍ଞତା । ଏହି ସମୟରେ ସେ ନିଜ କୁ ସମ୍ବାଳି ନପାରି କାନ୍ଦି ମଧ୍ୟ ପକାଇଛନ୍ତି ।

ଆଜି କୋଭିଡ୧୯କୁ ନେଇ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କରୋନା ଯୋଦ୍ଧା ନର୍ସ ସ୍ୱର୍ଣ୍ଣପ୍ରଭା କହିଛନ୍ତି ଯେ, ଗତ ମାର୍ଚ୍ଚ ମାସରେ ରାଜ୍ୟର ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ଖବର ମିଳିବା ପରେ ହସ୍ପିଟାଲର ସମସ୍ତ ସେବିକା ଏକ ଅଜଣା ଆତଙ୍କରେ ଆତଙ୍କିତ ହୋଇ ପଡ଼ିଥିଲେ।

କାରଣ, ସେତେବେଳକୁ ଏହି ରୋଗକୁ ନେଇ ଏତେଟା ଚର୍ଚ୍ଚା ଓ ଆଲୋଚନା ହୋଇ ନଥିଲା କିମ୍ବା ଏତେଟା ସଚେତନତା ମଧ୍ୟ ସୃଷ୍ଟି ହୋଇ ନଥିଲା । ଏକ ଅଜଣା ଆତଙ୍କରେ ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସିଥିଲା। ହେଲେ, ପର ମୁହୂର୍ତ୍ତରେ ସମସ୍ତେ ନିଜକୁ ଦୃଢ଼ କରି ନିଜ ନିଜ ମନରେ ସାହାସ ବାନ୍ଧି ନେଇଥିଲେ। କାରଣ, ନର୍ସଙ୍କ ମୂଳ ଧର୍ମ ହେଉଛି ସେବା।

ପରବର୍ତ୍ତୀ ସମୟରେ ମୋତେ ଯେତେବେଳେ ସଂପୃକ୍ତ କରୋନା ରୋଗୀଙ୍କ ସେବା, ଶୁଶ୍ରୁଷା କରିବା ପାଇଁ ମନୋନୀତ କରାଗଲା ସେତେବେଳେ ମୁଁ ଆଦୌ ବିଚଳିତ କିମ୍ବା ଭୟଭୀତ ହୋଇ ନଥିଲି। ମୁଁ ନିଜକୁ ଦୃଢ଼ କରିବା ସହ ମନରେ ସାହସ ବାନ୍ଧି ସାରିଥିଲି। ସଂପୃକ୍ତ କରୋନା ରୋଗୀଙ୍କ ସେବା, ଶୁଶ୍ରୁଷା କରିବା ସହ ତାଙ୍କର ଭାଙ୍ଗି ପଡ଼ିଥିବା ମନୋବଳକୁ ଦୃଢ଼ କରିବାରେ ତାଙ୍କୁ ସହାୟତା କରିଥିଲି। ଫଳରେ ଚିକିତ୍ସା ପରେ ସେ କରୋନାରୁ ଆରୋଗ୍ୟ ଲାଭ କରି ନିଜ ଘରକୁ ସୁସ୍ଥ ହୋଇ ଫେରିଥିଲେ ବୋଲି କହିଛନ୍ତି ସେବିକା ସ୍ୱର୍ଣ୍ଣପ୍ରଭା। ଏହି ଅଭିଜ୍ଞତା ବଖାଣିବା ସମୟରେ ସେ ନିଜ କୁ ସମ୍ବାଳି ନପାରି କାନ୍ଦି ପକାଇଥିଲେ କରୋନା ଯୋଦ୍ଧା ସ୍ୱର୍ଣ୍ଣପ୍ରଭା ।

ଆଜି ଥିଲା ବିଶ୍ୱ ନର୍ସ ଡେ । ଏଥିପାଇଁ ରାଜ୍ୟ ସରକାର ସେବିକା ସ୍ୱର୍ଣ୍ଣପ୍ରଭା ନାୟକଙ୍କୁ ରାଜ୍ୟର ଜଣେ ସଫଳ କରୋନା ଯୋଦ୍ଧା ଭାବେ ଘୋଷଣା କରି ତାଙ୍କୁ ସମ୍ମାନିତ କରିଛନ୍ତି। ଏହି ଅବସରରେ ସେବିକା ସ୍ୱର୍ଣ୍ଣପ୍ରଭା ରାଜ୍ୟବାସୀଙ୍କୁ କରୋନାକୁ ନେଇ ଆଦୌ ବିଚଳିତ କିମ୍ବା ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.