Latest Odisha News

BREAKING NEWS

ଦେଖନ୍ତୁ: ଟିକ୍ ଟକ୍ ଲାଗି ଡ଼ାକ୍ତରଖାନାରେ ନାଚିଲେ ନର୍ସ୍

ମାଲକାନଗିରି: ଡ଼ାକ୍ତରଖାନା ମଧ୍ୟରେ ଚିକିତ୍ସାଧିନ ଶିଶୁଙ୍କୁ ଧରି କିପରି ନର୍ସମାନେ ନାଚୁଛନ୍ତି ତାହାର କିଛି ଭିଡ଼ିଓ କ୍ଲିପ୍ ଏବେ ମୋବାଇଲକୁ ମୋବାଇଲ୍ ଘୁରି ବୁଲୁଛି । ଏହି ଭିଡ଼ିଓ କ୍ଲିପଟି ଟିକ୍ ଟକ୍ ସୋସିଆଲ୍ ଗ୍ରୁପରେ ଛାଡ଼ି ମଜ୍ଜାନେଇଛନ୍ତି ସଂପୃକ୍ତ ମହିଳା କର୍ମଚାରୀମାନେ ।

ଭିଡ଼ିଓ କ୍ଲିପରେ ଡ଼ାକ୍ତରଖାନାର ମହିଳା କର୍ମଚାରୀମାନେ ନାଚୁଥିବା ସହିତ ଏକ ନବଜାତକ ଶିଶୁକୁ ମଧ୍ୟ ସେହି ନାଚରେ ସାମିଲ୍ କରିଛନ୍ତି । ଡ଼ାକ୍ତରଖାନାର ଏସଏନସିୟୁ ଭିତରେ ମହିଳା କର୍ମଚାରୀଙ୍କ ଏହି ବେଫିକର୍ ମସ୍ତିକୁ ନେଇ ଟିକ୍ ଟକ୍ ରେ କିଛି ପ୍ରଶଂସା କରିଥିବା ବେଳେ ଏହି ଘଟଣାର ସତ୍ୟାସତ୍ୟ ଜାଣିବାକୁ ଏବେ ବୁଦ୍ଧିଜୀବୀ ଚିନ୍ତା କରୁଛନ୍ତି । ବୁଦ୍ଧିଜୀବବୀ ମହଲରେ ଏହି ଘଟଣାକୁ ନାପସନ୍ଦ କରାଯାଇଛି ।

ସମଗ୍ର ବିଶ୍ୱରେ ଏବେ ଟିକ୍ ଟକ୍ ର ନିଶା ଯୁବବର୍ଗଙ୍କୁ ଘାରିଥିବା ବେଳେ ଏହି ଭିଡ଼ିଓଟି ଉତ୍ତୋଳନ କରାଯାଇଛି ଉପାନ୍ତ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଖାଲି ସେତିକି ନୁହେଁ, ଏହା ଡ଼ାକ୍ତରଖାନାର ଗୁରୁତ୍ୱପୂର୍ଣ୍ଣ ଏସଏନସିୟୁ ବିଭାଗ ଭିତରେ ହିଁ ଘଟିଛି । ଡ଼ାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଶିଶୁମାନଙ୍କୁ ଏହି ଏସଏନସିୟୁ ବିଭାଗକୁ ହିଁ ସ୍ଥାନାନ୍ତରୀତ କରାଯାଇଥାଏ ।

ଏହି ଭିଡ଼ିଓଟିରେ ସ୍ୱାସ୍ଥ୍ୟ ଚିକିତ୍ସା ଲାଗି ରହିଥିବା ମହିଳା କର୍ମଚାରୀମାନେ ନିଜର ହିତାହିତ ଜ୍ଞାନ ଭୁଲିଯାଇ ମସ୍ତିରେ ମଜ୍ଜିଯାଇଛନ୍ତି । ଖାଲି ସେତିକି ନୁହେଁ ଏହି ଭିଡ଼ିଓରେ ଏମିତି କିଛି ଦୃଶ୍ୟ ରହିଛି ଯାହାକୁ ଦେଖିଲେ ନିଶ୍ଚିତ ରୂପେ କଷ୍ଟ ଲାଗିବ । କାରଣ, ଶିଶୁ ଓ ନବଜାତକଙ୍କ ଚିକିତ୍ସା କରିବା ସ୍ଥାନରେ ନିଜର କର୍ତ୍ତବ୍ୟ ଭୁଲିଯାଇ ଲୁଡୁପାଲିରେ ବ୍ୟସ୍ତ ରହୁଛନ୍ତି ଏହି କର୍ମଚାରୀ । ଏହି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଗୃହ ମଧ୍ୟକୁ ସାଧା ପୋଷାକରେ ପ୍ରବେଶ କରିବାର ଅନୁମତି ନଥିଲେ ମଧ୍ୟ ଏମାନେ ସାଦା ପୋଷାକରେ ନାଚୁଥିବାର ଦୃଶ୍ୟ ରହିଛି ଏହି ଭିଡ଼ିଓରେ ।

କିଛି ସପ୍ତାହ ପୂର୍ବରୁ ଏହି ଟିକ୍ ଟିକ୍ କୁ ବ୍ୟାନ କରିବା ନେଇ ଦେଶରେ ଚର୍ଚ୍ଚା ଜୋରଦାର୍ ଚାଲିଥିବା ବେଳେ ଏବେ ଟିକ୍ ଟକ୍ କୁ ନେଇ ଅନେକ ବିବାଦୀୟ ଘଟଣା ନଜରକୁ ଆସୁଛି । ଅନେକ ବିପଦପୂର୍ଣ୍ଣ ସ୍ଥାନରେ ସେଲଫି ନେଇ କିଛି ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ସ୍ଥାନରେ ଟିକ୍ ଟକରେ ବିବାଦୀୟ ଭିଡ଼ିଓକୁ ନେଇ ଥାନା ପର୍ଯ୍ୟନ୍ତ କଥା ଯାଇଛି । ଟିକ୍ ଟିକରେ ମଜା ମସ୍ତି କରିବା ଲାଗି କୋମଳମତି ବାଳକ ବାଳିକାମାନେ ଏବେ ଇଚ୍ଛା ପ୍ରକାଶ କରୁଥିବା ବେଳେ ଏନେଇ ଅଭିଭାବକ ମାନଙ୍କ ଚିନ୍ତା ଦ୍ୱିଗୁଣିତ ହେବାରେ ଲାଗିଛି । ଉପାନ୍ତ ମାଲକାନଗିରିର ମୁଖ୍ୟ ଚିକିତ୍ସାଳୟର ଏହି ଘଟଣାର ସତ୍ୟାସତ୍ୟର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି ।

ଏହି ଘଟଣା ସମ୍ପର୍କରେ ଡ଼ାକ୍ତରଖାନାର ଭାରପ୍ରାପ୍ତ ଅଧିକାରୀ ସପନ କୁମାର ଦିଣ୍ଡାଙ୍କୁ ପଚରାଯିବାରେ ସେ କହିଛନ୍ତି, ସେ ସୋସିଆଲ ମିଡ଼ିଆରେ ପ୍ରଦର୍ଶିତ ହୋଇଥିବା ସମସ୍ତ ଭିଡ଼ିଓ ଗୁଡ଼ିକର କ୍ଲିପିଂ ଦେଖିଛନ୍ତି ।

“ଏସମ୍ପର୍କରେ ମୁଁ ସିଡ଼ିଏମଓଙ୍କ ସହିତ ଆଲୋଚନା କରିବି, ଘଟଣାର ତଦନ୍ତ ହୋଇ ସତ୍ୟାସତ୍ୟ ଜଣାପଡ଼ିବା ପରେ ସଂପୃକ୍ତ ନର୍ସ ଏବଂ ମହିଳା କର୍ମଚାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି,”ବୋଲି କହିଛନ୍ତି ଡ଼ାକ୍ତରଖାନାର ଭାରପ୍ରାପ୍ତ ଅଧିକାରୀ ସପନ କୁମାର ଦିଣ୍ଡା ।

Leave A Reply

Your email address will not be published.