Latest Odisha News

BREAKING NEWS

ତହସିଲଦାରଙ୍କୁ ଆକ୍ରମଣକୁ ଓଏଏସ୍‌ ସଂଘର ନିନ୍ଦା

ବ୍ରହ୍ମପୁର: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ୍ ଜରଡା ଥାନା ଅନ୍ତର୍ଗତ ବୁଢୀଘାଟି ଗାଁରେ ମଦ ଧରପଗଡ ବେଳେ ତହସିଲଦାର ଅମିତ କୁମାର ନାୟକ ଏବଂ ଅବକାରୀ ବିଭାଗ କର୍ମଚାରୀଙ୍କୁ ମାଡ ଘଟଣାର ଘୋର ନିନ୍ଦା କରିଛି ଓଡ଼ିଶା ପ୍ରଶାସନିକ ସେବା ସଂଘର ଗଞ୍ଜାମ ଜିଲା ଶାଖା। ସରକାରଙ୍କ ନିର୍ଦ୍ଦେଶକୁ ଅନୁପାଳନ ନିମନ୍ତେ ତହସିଲଦାର ଅମୀତ୍ କୁମାର ନାୟକ ମାଜିଷ୍ଟ୍ରେଟ୍‌ ଭାବେ ଏହି ଚଢ଼ଉରେ ସାମିଲ ହୋଇଥିଲେ ।

ଏହି ଘଟଣାରେ ସଂପୃକ୍ତି ଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ସେମାନଙ୍କ ପ୍ରତି ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି କରିଛି ।  ଘଟଣାରେ ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ତହସିଲଦାର ନାୟକ ଏବଂ ଅବକାରୀ କର୍ମଚାରୀମାନଙ୍କୁ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ସାକ୍ଷାତ କରି ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରମାନଙ୍କୁ ପଚାରି ବୁଝିଛନ୍ତି ।

ଗଞ୍ଜାମ ଅତିରିକ୍ତ ଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ପାତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଜିଲାର ଅନ୍ୟାନ୍ୟ ଓଡିଶା ପ୍ରଶାସନିକ ସେବା ସଂଘର କର୍ମକର୍ତ୍ତାଗଣ ଏହି ସମୟରେ ସେଠାରେ ଉପସ୍ଥିତ ଥିଲେ। ଓଡିଶା ପ୍ରଶାସନିକ ସେବା ଗଞ୍ଜାମ ଜିଲା ଶାଖାର ସଭାପତି ତଥା ଅତିରିକ୍ତ ଜିଲାପାଳ ଲୀନା କୁମାରୀ ଖେସ୍ ଏବଂ ପ୍ରଶାସନିକ ସେବା ସଂଘର ଅନ୍ୟାନ୍ୟ ଅଧିକାରୀମାନେ ଜିଲାପାଳ ପରିଡ଼ାଙ୍କୁ ସାକ୍ଷାତ କରି ଏଭଳି ନିନ୍ଦନୀୟ କାର୍ଯ୍ୟ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।
ସୂଚନା ଯୋଗ୍ୟ ଯେ, ଜରଡା ଥାନା ମନ୍ଦରଡା ପଞ୍ଚାୟତ ବୁଡ଼ିଘାଟି ଆଦିବାସୀ ଗ୍ରାମରେ ମଦ ଚଢଉକୁ ନେଇ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ସକାଳ ସାଢେ଼ ୯ଟା ବେଳେ ଚୋରା ମଦ ଧରିବା ପାଇଁ ସାତଟି ଗାଡ଼ିରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ପାତ୍ରପୁର ତହସିଲଦାର ଅମିତ କୁମାର ନାୟକ, ବ୍ରହ୍ମପୁର ଓ ଚିକିଟି ଅବକାରୀ ବିଭାଗର ଅଧିକାରୀ, ଜରଡା ପୋଲିସ ଏବଂ ଏକ ପ୍ଲାଟନ ରିଜର୍ଭ ଫୋର୍ସ ଚଢ଼ଉରେ ସାମିଲ ହୋଇଥିଲେ। ଏହି ସମୟରେ ଗ୍ରାମର ଆଦିବାସୀମାନେ ମିଳିତ ହୋଇ ଏହାର ପ୍ରତିବାଦ କରିଥିଲେ । ଅଦିବାସୀଙ୍କ ଆକ୍ରମଣରେ ତହସିଲଦାର ନାୟକଙ୍କ ସମେତ ଅବକାରୀ ବିଭାଗର ୫ଜଣ କର୍ମଚାରୀ ଆହତ ହୋଇଥିଲେ । ବିଭାଗୀୟ ଗାଡ଼ିଗୁଡ଼ିକର ଚକାରୁ ପବନ ବାହାର କରିଦେବା ସହ ଗଛ କାଟି ରାସ୍ତା ଅବରୋଧ କରିଥିଲେ । ଆହତଙ୍କୁ ଅନ୍ୟ ଗାଡ଼ିରେ ପ୍ରଥମେ ସୁରଙ୍ଗୀ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଅଣା ଯାଇଥିଲା ।

Leave A Reply

Your email address will not be published.