Latest Odisha News

BREAKING NEWS

ବାବୁଙ୍କ ଘର ନା ଟଙ୍କାର ଭଣ୍ଡାର ? ବାହାରୁଛି ପେଟି ପେଟି ୫୦୦ ଟଙ୍କାର ବଣ୍ଡଲ

ଭୁବନେଶ୍ୱର: ବାବୁଙ୍କ ଘର ନୁହେଁ ତ ଟଙ୍କାର ଭଣ୍ଡାର । ଯେମିତି  ବାବୁଙ୍କ ଘରେ ଅଛି ଟଙ୍କାର ମେସିନ । ଖାଲି ବାହାରୁଛି ୫୦୦ଟଙ୍କିଆ ନୋଟ । ସେ ପୁଣି ପେଟି ଭିତରୁ । ଟଙ୍କା ଗଣି ଗଣି ଥକି ଗଲେଣି ଭିଜିଲାନ୍ସ ଟିମ । ଆମେ କହୁଛୁନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ କଥା । ପ୍ରଶାନ୍ତ ରାଉତରଙ୍କ ଘରୁ ବର୍ତ୍ତମାନ ସୁଦ୍ଧା ଜବତ ହେଲାଣି ୩ କୋଟି ୧୬ ଲକ୍ଷ ୫୦ ହଜାର ଟଙ୍କା ।

ଆଜି ସକାଳୁ ସକାଳୁ  ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘର ଓ ବାସଭବନ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା ।   ଚଢାଉ ବେଳେ ଉପଜିଲ୍ଲାପାଳଙ୍କ ଘରୁ ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ । ଏପରିକି ତାଙ୍କର ପଡୋଶୀଙ୍କ ଛାତ ଉପରୁ ବିଡା ବିଡା ୫୦୦ ଟଙ୍କିଆ ନୋଟ ପେଟି ଜବତ କରିିଛି ଭିଜିଲାନ୍ସ ।

ଏହି ପ୍ରଶାସନିକ ଅଧିକାରୀଙ୍କର ଭୁବନେଶ୍ୱର କାନନ ବିହାରରେ ରହିଛି ଦୁଇ ମହଲା ବିଶିଷ୍ଟ ଘର । ଏହି ଘର ସମେତ , ନବରଙ୍ଗପୁର ସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟ, ଭଦ୍ରକର ବାହୁଡରଡ ସ୍ଥିତ ପୈତୃକ ବାସଭବନରେ ଏକକାଳୀନ ଚଢଉ ଚାଲିଛି । ତେବେ କାନନ ବିହାର ସ୍ଥିତ ଘରୁ ମିଳିଛି ବିଡା ବିଡା ଟଙ୍କା ।  ୬ଟି  ପେଟିରେ ଖାଲି ୫୦୦ ଟଙ୍କିଆ ନୋଟ  ଭର୍ତ୍ତି ହୋଇଥିଲା ଯାହାର ପରମାଣ ପ୍ରାୟ ୨ କୋଟି ୨୫ ଲକ୍ଷ ହେବ ବୋଲି କହିଛି ଭିଜିଲାନ୍ସ । ଭିଜିଲାନ୍ସ ଆସିବା ଦେଖି ତରବରିଆ ଭାବେ ଶ୍ରୀ ରାଉତ ଏହି ଟଙ୍କା ପଡୋଶୀଙ୍କ ଛାତକୁ ଫିଙ୍ଗି ଦେଇଥିଲେ । ସେହିପରି ଫିଙ୍ଗାଯାଇଥିବା ବ୍ରିଫକେସରେ ସୁନା ଓ ରୂପା ଅଳଙ୍କାର ସହିତ ଗୋଲ୍ଡ କଏନ୍ ଓ ବିଭିନ୍ନ ବ୍ୟାଙ୍କର ପାସବୁକ ସହିତ ଜମି ପଟ୍ଟା ରହିଛି ଯାହାର ହିସାବ ଚାଲିଛି ।

ସେହିପରି ନବରଙ୍ଗପୁର ସ୍ଥିତ   ସରକାରୀ ବାସଭବନରୁ ଟଙ୍କା ଭର୍ତ୍ତି  ଦୁଇଟି ପେଟି ମିଳିଛି । ଗୋଟିଏ ୫୬ ଲକ୍ଷ ଓ ଆଉ ଗୋଟିଏରୁ ୨୧ ଲକ୍ଷ ଟଂକା ମିଳିଥିବାବେଳେ ଆଉ ଏକ ଆଲମିରାରୁ ମିଳିଛି ୧୨.୫ ଲକ୍ଷ ଟଙ୍କା ।   ଏବେ ବି ଗଣତି ଜାରି ରହିଛି । ଏହି ରେଡରେ ୨ ଆଡିସନାଲ ଏସପି, ୭ଡିଏସପି ଓ ୮ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।

 

Leave A Reply

Your email address will not be published.