ପୁରୀ: ୧୨ ମାସରେ ୨୪ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ବିଭିନ୍ନ ବେଶର କିଛି ନା କିଛି ବିଶେଷତ୍ବ ରହିଥାଏ । ତନ୍ମଧ୍ୟରୁ ମହାପ୍ରଭୁଙ୍କ ଘୋଡ ଲାଗି ନୀତି ଅନ୍ୟତମ । ଯାହାକି ଆଜି ଶ୍ରୀମନ୍ଦିରରେ ସମ୍ପନ୍ନ କରାଯିବ । ମାର୍ଗଶୀର ମାସ ଶୁକ୍ଳ ଷଷ୍ଠୀ ଦିନ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କ ଓଢ଼ଣଷଷ୍ଠୀ ପର୍ବ । ସେହି ତିଥିରୁ ଶୀତବସ୍ତ୍ର ପରିଧାନ କରିବେ ତିନି ଠାକୁରେ । ଗତକାଲି ଠାକୁରଙ୍କୁ ଲାଗି ହେବାକୁ ଥିବା ଘୋଡ଼ ଅଧିବାସ ନୀତି ସମ୍ପାଦନ ହେବା ପରେ ଆଜିଠାରୁ ଶୀତ ବସ୍ତ୍ର ପରିଧାନ କରିବେ ମହାପ୍ରଭୁ ।
ତେବେ ମାର୍ଗଶିର ଶୁକ୍ଳଷଷ୍ଠୀ ଠାରୁ ମାଘ ଶୁକ୍ଲପଞ୍ଚମୀ ଯାଏଁ ମଧ୍ୟାହ୍ନ ଧୂପ ଓ ଦୈନନ୍ଦିନ ଅବକାଶ ପରେ ଶ୍ରୀଜୀଉମାନଙ୍କର ଘୋଡ଼ବେଶ କରାଯାଇଥାଏ । ଅଧିକ ଶୀତ ପଡ଼ିଥିବା ବେଳେ ମହାପ୍ରଭୁ ଦେହମୁଣ୍ଡ ସଂପୂର୍ଣ୍ଣ ଘୋଡାଇ ହେବା ପରି ବେଶ ପିନ୍ଧିଥାଆନ୍ତି । ଶୀତ କମିଗଲେ ଜାମାଲାଗି ବେଶ ଧାରଣକରନ୍ତି ମହାପ୍ରଭୁ । ଯାହା ମାଘ ଶୁକ୍ଳ ଷଷ୍ଠୀଠାରୁ ଫଗୁ ଦଶମୀ ଯାଏଁ ଜାମାଲାଗି ବା ଠିଆଘୋଡ଼ ବେଶ କରାଯାଇଥାଏ । ମାର୍ଗଶିର ଷଷ୍ଠୀଠାରୁ ଘୋଡ଼ଲାଗି ଆରମ୍ଭ ହୋଇ ମାଘ ବସନ୍ତ ପଞ୍ଚମୀ ଯାଏଁ ଏମିତି ୬୦ ଦିନ ପର୍ଯ୍ୟନ୍ତ ଚାଲୁ ରହେ । ବସନ୍ତ ଷଷ୍ଠୀଠାରୁ ଫଗୁ ଦଶମୀ ପର୍ଯ୍ୟନ୍ତ ୩୫ ଦିନ ଲାଗି ମହାପ୍ରଭୁ ଜାମାଲାଗି ବା ଠିଆଘୋଡ଼ ବେଶରେ ଭୂଷିତ ହୁଅନ୍ତି ।
ଏଥିପାଇଁ ଶ୍ରୀମନ୍ଦିରର ଦର୍ଜି ସେବକଙ୍କ ଦ୍ୱାରା ଶୀତବସ୍ତ୍ର ପ୍ରସ୍ତୁତ କରାଯାଇଥାଏ । ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ୪ଟି ଘୋଡ଼ ସହ ଘୋଡ଼ଲାଗି ବେଶ ପାଇଁ ଖଟ ପାଛୋଡ଼ି, ତୁଳିପଟା, ଥୋଡ଼ ପାହାଡ଼ିଆ, ଫୁଲଛେଦା ଆଦି ତିଆରି କରାଯାଇଥାଏ । ପତନୀ, ଗୀତଗୋବିନ୍ଦ ପାଟ ଓ ସୂତାପୁଟାରେ ଠାକୁରଙ୍କ ନୂତନ ବସ୍ତ୍ର ତିଆରି କରାଯାଇଥାଏ ।
ଏଥିସହିତ ମଦନମୋହନ, ସୁଦର୍ଶନ, ଗରୁଡ଼, ପତିତପାବନ, ଗୁଣ୍ଡିଚାମନ୍ଦିରରେ ବିରାଜିତ ନୃସିଂହ ମହାପ୍ରଭୁ, ସୂର୍ଯ୍ୟଦେବ, ମୁକ୍ତିମଣ୍ଡପ ପାଶ୍ୱର୍ରେ ବିରାଜିତ ନୃସିଂହ ମହାପ୍ରଭୁ, ଦକ୍ଷିଣକାଳୀକା ଓ କାକୁଡ଼ିଖାଇ ଠାକୁରାଣୀଙ୍କ ପାଇଁ ମଧ୍ୟ ପୋଷାକ ତିଆରି କରାଯାଏ । ପଞ୍ଚମୀ ରାତିରେ ଚନ୍ଦନଲାଗି ପରେ ତିନି ଠାକୁରଙ୍କ ପାଇଁ ଘୋଡ଼ ୨୧ଟି ସହିତ ବିମଳା, ସରସ୍ୱତୀ, ମହାଲକ୍ଷ୍ମୀ ତଥା ମଦନମୋହନଙ୍କ ଘୋଡ଼ ଅଧିବାସ ହୋଇ ରହିଥାଏ ।
Comments are closed.